Unknown

 

 

 

 

 

 

 

 

 

 

 

ପ୍ରବନ୍ଧମାଳା

ଭକ୍ତକବି ମଧୁସୂଦନ ରାଓ

 

 

 

 

 

 

 

ପ୍ରବନ୍ଧମାଳାର ଯେଉଁ ସଂସ୍କରଣ ଆମ୍ଭମାନଙ୍କର ହସ୍ତଗତ ହେଲା, ତାହା ଏକ ପରିମାର୍ଜିତ ନୂତନ ସଂସ୍କରଣ ବୋଲି ପ୍ରକାଶ ପାଇଛି । ସେଥିରୁ ଅଧିକାଂଶ ପ୍ରବନ୍ଧ ‘ସାହିତ୍ୟ ପ୍ରସଙ୍ଗ’ (୧୯୩୭ ସଂଶୋଧିତ, ସଂସ୍କରଣ) ରେ ସ୍ଥାନ ପାଇଛି। ତେଣୁ ସେସବୁ ଏଠାରେ ପ୍ରଦତ୍ତ ହୋଇନାହିଁ ।

 

— ପ୍ରକାଶକ

Image

 

ବାୟୁରାଶି

 

ଯେଉଁ ସୁବିସ୍ତୀର୍ଣ୍ଣ ବାୟୁରାଶି ସମସ୍ତ ବସୁନ୍ଧରାକୁ ସମାଚ୍ଛାଦିତ କର ରହିଅଛି ; ଯାହାର ସାଗରୋପମ ଅନନ୍ତ ଗର୍ଭମଧ୍ୟରେ ଜୀବମାନେ ମୀନାଦି ଜଳଚର ସଦୃଶ ଅବସ୍ଥାନ କରୁଅଛନ୍ତି, ଯାହାର ମୃଦୁ ହିଲ୍ଲୋଳ ବନ ଏବଂ ଉପବନମାନଙ୍କର ପତ୍ରାବଳି ଏବଂ କୁସୁମରାଶିକୁ କମ୍ପିତ କରି ଏବଂ ନାସାତର୍ପଣକାରୀ ପରିମଳ ବହନ କରି, ପ୍ରଣୟିଜନୋଚିତ ଯତ୍ନସହକାରେ ପରିଶ୍ରାନ୍ତ ଜୀବମାନଙ୍କର ସନ୍ତାପ ଅପନୋଦନ କରୁଅଛି; ଯେଉଁ ପ୍ରଭଞ୍ଚନ ଭୟଙ୍କର ବେଗରେ ପ୍ରବାହିତ ହୋଇ, ଘୋର ଭୈରବନାଦରେ ସମସ୍ତ ବିଶ୍ୱକୁ ଆତଙ୍କାକୁଳ କରି ଅଟଳ ଗିରିଶୃଙ୍ଗକୁ ସୁଦ୍ଧା ବିଦୀର୍ଣ୍ଣ କରୁଅଛି; ଯାହାର ଅସୀମ ଶକ୍ତି ପ୍ରଚଣ୍ଡ ସଂହାରମୂର୍ତ୍ତି ଧାରଣ କଲେ ଅରଣ୍ୟାନୀ ସବୁ ସମୂଳରେ ଉତ୍ପାଟିତ ହେଉଅଛି, ଐଶ୍ୱର୍ଯ୍ୟପରିପୂର୍ଣ୍ଣ ନଗରମାନ ବିଧ୍ୱସ୍ତ ହେଉଅଛି ଏବଂ ସୁବୃହତ୍‌ ପୋତରାଜି କ୍ରୀଡ଼ାସାମଗ୍ରୀତୁଲ୍ୟ ଇତସ୍ତତଃ ବିକ୍ଷିପ୍ତ ହୋଇ ଚୂର୍ଣ୍ଣ ହେଉଅଛି; ଯାହାକୁ ପ୍ରାଚୀନ ପଣ୍ଡିତମାନେ ପ୍ରାଣରୂପେ ଉପଲବ୍‌ଧି କରି ଜଗତ୍‌ପ୍ରାଣ ଆଖ୍ୟା ପ୍ରଦାନ କରିଅଛନ୍ତି; ସେହି ବାୟୁରାଶି ବିଷୟ ଆଲୋଚନା କରିବା କୀଦୃଶ କୈାତୁକର ବିଷୟ !

 

ବାୟୁ ନଥିଳେ ଉଷାକାଳୀନ ଆକାଶର ଅରୁଣିମା,ପ୍ରଭାତର କାଞ୍ଚନକାନ୍ତି, ମଧ୍ୟାହ୍ନର ସୁପ୍ରଖର ତେଜ ଏବଂ ସାୟଂକାଳୀନ ଜୀମୂତପଟଳର ଅନିର୍ବଚନୀୟ ରମଣୀୟତା, କିଛି ହିଁ ନୟନଗୋଚର ହୁଅନ୍ତା ନାହିଁ । ବାୟୁ ନଥିଲେ ଇନ୍ଦ୍ରକୋଦଣ୍ଡର ମନୋହାରିଣୀ ଶୋଭା,ଚଞ୍ଚଳ ବାରିଦମାଳାର ସ୍ନିଗ୍‌ଧ ଛବି ଏବଂ କନକପ୍ରଭା ସୈାଦାମିନୀର ବିଚିତ୍ର କ୍ରୀଡ଼ା ଲକ୍ଷିତ ହୁଅନ୍ତା ନାହିଁ । ବାୟୁ ନ ଥିଲେ ଆମ୍ଭମାନଙ୍କର ଏହି ଆବାସଭୂମି ବସୁନ୍ଧରାର ଦେହ ଅଂଶୁମାଳୀର ପ୍ରଚଣ୍ଡ ତେଜରେ ଦଗ୍‌ଧ ହୋଇଯାଆନ୍ତା । ବାୟୁରାଶି ନ ଥିଲେ ସାୟଂକାଳୀନ ସୂର୍ଯ୍ୟ କ୍ଷଣକ ମଧ୍ୟରେ ଅସ୍ତମିତ ହୋଇ ସମସ୍ତ ଅବନୀମଣ୍ଡଳକୁ ଘୋରତମ ଅନ୍ଧକାର ସମୁଦ୍ରରେ ନିମଗ୍ନ କରନ୍ତା; କିନ୍ତୁ ବାୟୁରାଶି ସ୍ୱଦେହରେ କିୟତ୍‌ପରିମାଣ ସୈାରରଶ୍ମି ସଞ୍ଚୟ କରି ରଖି ତାହାକୁ କ୍ରମେ କ୍ରମେ ପରିତ୍ୟାଗ କରେ; ସୁତରାଂ ସାନ୍ଧ୍ୟ ଅନ୍ଧକାର କ୍ରମଶଃ ଧରଣୀମୁଖକୁ ଆଚ୍ଛାଦନ କରେ ଏବଂ ଏହି ପ୍ରକାର ଜୀବମାନେ ବିଶ୍ରାମାର୍ଥ ଆଶ୍ରୟ ଲୋଡ଼ିବାକୁ ସମୟ ଏବଂ ସୁବିଧା ଲାଭ କରନ୍ତି । ବାୟୁ ନ ଥିଲେ ନିଶାବସାନ ନୋହୁଣୁ ପ୍ରଚଣ୍ଡ ମାର୍ତ୍ତଣ୍ଡ ଦିଗ୍‌ବଳୟୋପରି ଉଦିତ ହୋଇ ପ୍ରଚଣ୍ଡ କିରଣସଂପାତଦ୍ୱାରା ଜୀବକୁଳକୁ ଦଗ୍‌ଧ କରନ୍ତା;କିନ୍ତୁ ବାୟୁମଣ୍ଡଳ ପ୍ରଥମତଃ ସୂର୍ଯ୍ୟର ଏକମାତ୍ର ରଶ୍ମିରେଖା ଗ୍ରହଣକରି ଜଗତକୁ ଉଷାର ଆଗମନବାର୍ତ୍ତା ପ୍ରଦାନ କରେ । ତଦନନ୍ତର ଏକ ଏକ ଅଧିକ କିରଣ ଗ୍ରହଣକରି ଶର୍ବରୀର ଅନ୍ଧକାରକୁ ବିଦୂରିତ କରେ ଏବଂ ମୃଦୁମନ୍ଦକଭାବରେ ନିଦ୍ରିତା ଧରଣୀର ମୁଖୋପରି ସୈାରଜ୍ୟୋତିକୁ ପାତିତକରି ତାହାକୁ ଜାଗ୍ରତ ଏବଂ ନବୀନ କରେ ।

 

ବାୟୁ ନ ଥିଲେ ହୁତାଶନ ପ୍ରଜ୍ଜ୍ୱଳିତ ହୁଅନ୍ତା ନାହିଁ, ମେଘମାନେ ଜଳବର୍ଷଣ କରନ୍ତେ ନାହିଁ,ଶିଶିରବିନ୍ଦୁଚୟ ପତ୍ରପୁଷ୍ପଦଳରେ ପରିଶୋଭିତ ହୁଅନ୍ତା ନାହିଁ ଏବଂ ତୁଷାର, କରକା ଏବଂ କୁଜ୍‌ଝଟିକାଦିର ବୈଚିତ୍ର୍ୟ ଲକ୍ଷିତ ହୁଅନ୍ତା ନାହିଁ । ବାୟୁ ନ ଥିଲେ କର୍ଣ୍ଣ ଶ୍ରବଣ କରି ପାରନ୍ତା ନାହିଁ ଏବଂ ନାସିକା ଆଘ୍ରାଣ କରିପାରନ୍ତା ନାହିଁ । ବାୟୁରାଶି ନ ଥିଲେ ବିହଙ୍ଗମାନଙ୍କର ମଧୁର କାକଳି, ସମୀରଣର ମୃଦୁ ମର୍ମ୍ମର ଶବ୍ଦ ଅଥବା ପ୍ରଭଞ୍ଜନର ଘୋର ଗର୍ଜ୍ଜନଧ୍ୱନି,ମେଘକଦମ୍ବ ଅଥବା ପର୍ବତପ୍ରସ୍ଥରୁ ପ୍ରପାତିତ ବାରିଧାରାର ଗଭୀର ନିନାଦ, ଅର୍ଣ୍ଣବ କିମ୍ବା ଅଶନିର ଘୋର ଶବ୍ଦ, ଗାୟକ କଣ୍ଠୋତ୍‌ଥିତ ସୁମଧୁର ଗୀତଧ୍ୱନି, ବାଗ୍ମୀର ତେଜଃପରିପୂରିତ ବାଣୀ ପରମ୍ପରା ଏବଂ ଭକ୍ତମାନଙ୍କର ହୃଦୟନିଃସୃତ ଈଶ୍ୱରାରାଧନା, କିଛି ହିଁ ଶ୍ରୁତିଗୋଚର ହୁଅନ୍ତା ନାହିଁ ।

 

ଏତଦ୍ଦେଶୀୟ ପ୍ରାଚୀନ ପଣ୍ଡିତମାନେ ସ୍ଥିର କରିଥିଲେ ଯେ ବାୟୁ ଗୋଟିଏ ମୈାଳିକ ପଦାର୍ଥ । ସେମାନଙ୍କ ମତ ଅନୁସାରେ କ୍ଷିତି, ଜଳ, ତେଜ, ମରୁତ୍‌ ଓ ଆକାଶ ଏହି ପଞ୍ଚମହାଭୂତରୁ ଯାବତୀୟ ବସ୍ତୁ ଉତ୍ପନ୍ନ ହୋଇଅଛି; କିନ୍ତୁ ଇଦାନୀନ୍ତନ ବିଜ୍ଞାନଜ୍ଞ ପଣ୍ଠିତମାନେ ନାନା ପରୀକ୍ଷାଦ୍ୱାରା ପ୍ରତିପନ୍ନ କରିଅଛନ୍ତି ଯେ କ୍ଷିତି, ଜଳ ଓ ମରୁତ୍‌ ଯୈାଗିକପଦାର୍ଥ ଅଟନ୍ତି । ରସାୟନଜ୍ଞ କୋବିଦମାନେ ସ୍ଥିର କରିଅଛନ୍ତି ଯେ ଅମ୍ଳଜନକ ଏବଂ ଯବକ୍ଷାରଜନକ ନାମକ ବାଷ୍ଫୀୟ ପଦାର୍ଥଦ୍ୱୟର ମିଶ୍ରଣରେ ବାୟୁ ଉତ୍ପନ୍ନ ହୋଇଅଛି । ଅମ୍ଳଜନକ ନାମକ ବାଷ୍ପକୁ ଆମ୍ଭେମାନେ ନିଃଶ୍ୱାସ ସହକାରେ ଗ୍ରହଣ କରି ଜୀବନଧାରଣ କରୁଁ । ଏହାର ଅଭାବରେ ଆମ୍ଭେମାନେ ମୁହୂର୍ତ୍ତେ ସୁଦ୍ଧା ଜୀବିତ ରହି ନ ପାରୁଁ । ଏହି ଅମ୍ଳଜନକ ବାଷ୍ପର ଦାହିକାଶକ୍ତି ଅଛି । ବାସ୍ତବରେ ଯେଉଁ ଅଗ୍ନି ଜ୍ୱଳନ୍ତ କାଷ୍ଠରେ ଦେଖାଯାଏ, ତାହା କାଷ୍ଠଗତ ଦାହ୍ୟ ପଦାର୍ଥର ସହିତ ବାୟୁସ୍ଥ ଅମ୍ଳଜନକ ବାଷ୍ପର ସଂଯୋଗରେ ସମୁତ୍ପନ୍ନ ହୁଏ । ପ୍ରଦୀପରେ ଯେଉଁ ଅଗ୍ନି ବର୍ତ୍ତମାନ ଥାଏ, ତାହା ତୈଳ ସହିତ ବାୟୁସ୍ଥିତ ଅମ୍ଳଜନକ ସଂଯୋଗରୁ ଜାତହୁଏ । ଅମ୍ଳଜନକର ଦାହିକାଶକ୍ତି ଏଡ଼େ ପ୍ରବଳ ଯେ ଯଦି ବାୟୁରାଶି ମଧ୍ୟରେ କେବଳ ଅମ୍ଳଜନକ ବାଷ୍ପ ବିଦ୍ୟମାନ ଥାଆନ୍ତା, ତାହାହେଲେ ସମସ୍ତ ବସ୍ତୁ ଭସ୍ମୀଭୂତ ହୋଇଯାଆନ୍ତା । ଏଥିପାଇଁ କରୁଣାନିଧାନ ପରମେଶ୍ୱର ଯବକ୍ଷାରଜନକ ନାମକ ଅନ୍ୟ ଗୋଟିଏ କୋମଳସ୍ୱଭାବ ବାଷ୍ପ ସହିତ ଅମ୍ଳଜନକୁ ମିଶ୍ରିତ କରି ତାହାର ଉଗ୍ରସ୍ୱଭାବର ଖର୍ବତା ସମ୍ପାଦନ କରିଅଛନ୍ତି । ଉଲ୍ଲିଖିତ ବାୟୁଦ୍ୱୟ ବ୍ୟତିରେକେ ବାୟୁରାଶିମଧ୍ୟରେ ଅଙ୍ଗାରକାମ୍ଳ ନାମକ ଆହୁରି ଏକପ୍ରକାର ବାଷ୍ପ ଅଛି । ଜୀବମାନେ ନିଃଶ୍ୱାସ କାଳରେ ବାୟୁସ୍ଥ ଅମ୍ଳଜନକ ବାଷ୍ପକୁ ଗ୍ରହଣ କରନ୍ତି ଏବଂ ଅଙ୍ଗାରକାମ୍ଳ ନାମକ ବିଷଦୂଷିତ ବାଷ୍ପକୁ ବିସର୍ଜ୍ଜନ କରନ୍ତି । ଶେଷୋକ୍ତ ବାଷ୍ପ ଜୀବମାନଙ୍କର ଅତ୍ୟନ୍ତ ଅନିଷ୍ଟକର ଅଟେ । ଯେଉଁ ସ୍ଥାନରେ ବହୁସଂଖ୍ୟକ ଲୋକ ଏକତ୍ରିତ ହୁଅନ୍ତି, ସେ ସ୍ଥାନରେ ବାୟୁ ମନୁଷ୍ୟବିନିଃସୃତ ଅଙ୍ଗାରକାମ୍ଳ ବାଷ୍ପଦ୍ୱାରା ଅତ୍ୟନ୍ତ ଦୂଷିତ ହୁଏ । ପରନ୍ତୁ ଏହି ଅଙ୍ଗାରକାମ୍ଳ ବାଷ୍ପ ଉଦ୍ଭିଦମାନଙ୍କର ଉପକାରୀ ଅଟେ । ପ୍ରାଣୀମାନେ ଯେପରି ଅମ୍ଳଜନକ ବାଷ୍ପ ଗ୍ରହଣ କରି ଜୀବନ ଧାରଣ କରନ୍ତି, ଉଦ୍ଭିଦମାନେ ସେହିପରି ଅଙ୍ଗାରକାମ୍ଳ ବାଷ୍ପରୁ ଅଙ୍ଗାରଭାଗ ଗ୍ରହଣ କରି ଜୀବିତ ଏବଂ ପରିବର୍ଦ୍ଧିତ ହୁଅନ୍ତି । ଉଦ୍ଭିଦମାନେ ଅଙ୍ଗାରକାମ୍ଳର ଅମ୍ଳଜନକ ଭାଗକୁ ତ୍ୟାଗ କରନ୍ତି ଏବଂ ଆମ୍ଭେମାନେ ସେହି ଅମ୍ଳଜନକ ବାଷ୍ପକୁ ଗ୍ରହଣ କରି ଅଙ୍ଗାରକାମ୍ଳ ବାୟୁକୁ ବିସର୍ଜ୍ଜନ କରୁଁ ।

Image

 

ସୂର୍ଯ୍ୟ

 

ଯେଉଁ ସୂର୍ଯ୍ୟ ଅତୁଲ୍ୟ ମହିମାରେ ଆକାଶ-ମଣ୍ଡଳରେ ବିରାଜିତ ହୋଇ ପୃଥିବୀକୁ ଶୁଭ୍ରଜ୍ୟୋତିର୍ବସନରେ ବିଭୂଷିତ କରୁଅଛି, ଯେଉଁ ସବିତା ସ୍ୱୀୟ ଅକ୍ଷୟକୋଷରୁ ପ୍ରଭୂତ ତାପ ଏବଂ ତେଜ ବିତରଣ କରି ଉଦ୍ଭିଜ୍ଜ ଏବଂ ପ୍ରାଣୀ-ଜଗତ୍‌କୁ ଜୀବିତ ଏବଂ ବର୍ଦ୍ଧିତ କରୁଅଛି, ଯେଉଁ ଭାସ୍କର ସ୍ୱୀୟ କରଦ୍ୱାରା ଚନ୍ଦ୍ରକଳେବରକୁ ସ୍ନିଗ୍‌ଧଜ୍ୟୋତିରେ ମଣ୍ଡିତ କରୁଅଛି, ଯେଉଁ ଭାନୁ ଗ୍ରହଜଗତ୍‌ର କେନ୍ଦ୍ରସ୍ଥଳରେ ଅବସ୍ଥାନ କରି ପୃଥିବୀ ପ୍ରଭୃତି ଗ୍ରହମାନଙ୍କୁ ଆକର୍ଷଣଶକ୍ତିଦ୍ୱାରା ନିଜ ବିମ୍ବର ଚତୁର୍ଦ୍ଦିଗରେ ପରିଭ୍ରମିତ କରାଉଅଛି, ଯାହାର ଅମିତ ତେଜ ଏବଂ ଅକଥନୀୟ ପ୍ରଭାବ ସନ୍ଦର୍ଶନ କରି ପ୍ରାଚୀନକାଳର ମନୁଷ୍ୟମାନେ ଏତାଦୃଶ ବିମୁଗ୍‌ଧ ହୋଇଥିଲେ ଯେ ସେମାନେ ଏହି ଅତ୍ୟୁଜ୍ଜ୍ୱଳ ପ୍ରଭାପୂର୍ଣ୍ଣ ପଦାର୍ଥକୁ ପରମଦେବତାଜ୍ଞାନରେ ଆରାଧନା କରୁଥିଲେ, ଯାହାକୁ ଏହି ଊନବିଂଶ ଶଦାବ୍ଦୀରେ ମଧ୍ୟ ବହୁସଂଖ୍ୟକ ନରନାରୀ ଜଗଦୀଶ୍ୱରଙ୍କ ପ୍ରତିରୂପ ମଣି ପୂଜା କରୁଅଛନ୍ତି, ସେହି ଜ୍ୟୋତିର୍ବିମଣ୍ଡିତ ଧ୍ୱାନ୍ତହାରୀ ସୂର୍ଯ୍ୟ ଯେ ଅତ୍ୟନ୍ତ ବିସ୍ମୟକର ପଦାର୍ଥ,ତାହା ବୋଲିବା ବାହୁଲ୍ୟ ମାତ୍ର ।

 

ଇଉରୋପର ଆଧୁନିକ ବିଜ୍ଞାନବେତ୍ତାମାନେ ପ୍ରଗାଢ ଅଧ୍ୟବସାୟ ସହକାରେ ପରିବେକ୍ଷଣ ଏବଂ ବିଶୁଦ୍ଧ ଗଣନାଦ୍ୱାରା ସୂର୍ଯ୍ୟ ସମ୍ବନ୍ଧରେ ଯେଉଁ ତତ୍ତ୍ୱମାନ ପ୍ରକାଶ କରିଅଛନ୍ତି, ତାହା ଏପରି ବିସ୍ମୟଜନକ ଯେ ତାହା ପ୍ରଥମତଃ କାହାର କପୋଳକଳ୍ପିତ ଉପନ୍ୟାସ ବୋଲି ପ୍ରତୀୟମାନ ହୁଏ ; କିନ୍ତୁ ବାସ୍ତବରେ ସେହି ମତଗୁଡ଼ିକ ଏଦାଦୃଶ ଆଶ୍ଚର୍ଯ୍ୟୋତ୍ପାଦକ ହେଳେହେଁ ସଂପୂର୍ଣ୍ଣରୂପେ ସତ୍ୟ ଅଟେ । ସେଥିରେ ଅଣୁମାତ୍ର କଳ୍ପନାବିଳାସ ଅଥବା ଅତ୍ୟୁକ୍ତି ଲକ୍ଷିତ ହୁଅଇ ନାହିଁ । ପରନ୍ତୁ ଏହି ଅନନ୍ତ ସୃଷ୍ଟି ବିଷୟ ପର୍ଯ୍ୟାଲୋଚନା କଲେ ତଦପେକ୍ଷା କୋଟିଗୁଣରେ ଅଧିକତର ବିସ୍ମୟୋତ୍ପାଦକ ତତ୍ତ୍ୱମାନ ପ୍ରକାଶିତ ହେବ ।

 

ସୈାରଜଗତର ମଧ୍ୟବର୍ତ୍ତୀ ଗ୍ରହସମୂହ ସହିତ ସୂର୍ଯ୍ୟର କି ସମ୍ବନ୍ଧ, ଏହା ଆଦୈା ଏକମାତ୍ର ଆଲୋଚନୀୟ । ସୂର୍ଯ୍ୟର ପ୍ରଧାନତମ କାର୍ଯ୍ୟ ଏହି ଯେ; ସେ ସ୍ୱୀୟ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରେ ସୈାରଜଗତ୍‌ର ଅନ୍ତର୍ଗତ ସମସ୍ତ ଗ୍ରହମାନଙ୍କୁ ପରିଚାଳିତ କରୁଅଛି ଏବଂ ପ୍ରାଣଧାରଣର ଏକାନ୍ତ ପ୍ରୟୋଜନୀୟ ତାପ ଏବଂ ଆଲୋକକୁ ବିତରଣ କରୁଅଛି । ସୂର୍ଯ୍ୟ ନିର୍ବାପିତ ଏବଂ ଧ୍ୱଂସପ୍ରାପ୍ତ ହେଲେ ଗ୍ରହମାନେ ଘୋରତମ ଶୀତ ଏବଂ ଅନ୍ଧକାରରେ ପତିତ ହୋଇ ଜୀବଶୂନ୍ୟ ହେବେ ଏବଂ ସରଳରେଖାକ୍ରମରେ ଅନନ୍ତ ସ୍ଥାନ ମଧ୍ୟରେ ନିରୁଦ୍ଦେଶ୍ୟଭାବରେ ଗତି କରୁଥିବେ । ମାଧ୍ୟାକର୍ଷଣଶକ୍ତିର ଉଦାହରଣ ପ୍ରତି ମୁହୂର୍ତ୍ତ ଆମ୍ଭମାନଙ୍କର ନେତ୍ରଗୋଚର ହେଉଅଛି । ଖଣ୍ଡେ ଲୋଷ୍ଟ୍ର ଉର୍ଦ୍ଧ୍ୱକୁ ପ୍ରକ୍ଷିପ୍ତ ହେଲେ ପୁନର୍ବାର ତାହା ଯେ ଭୂତଳକୁ ଆନୀତ ହେଉଅଛି, ତାହା କେବଳ ପୃଥିବୀର ମାଧ୍ୟାକର୍ଷଣଶକ୍ତି ଯୋଗୁଁ ଘଟୁଅଛି ; କିନ୍ତୁ ଅଜ୍ଞ ବ୍ୟକ୍ତିମାନେ ପଚାରିପାରନ୍ତି, ଏହା କିପରି ସମ୍ଭବ ହୋଇପାରେ ଯେ ଥାଳିତୁଲ୍ୟ ଦୃଶମାନ୍‌ ସୂର୍ଯ୍ୟ ଏହି ପ୍ରକାଣ୍ଡ ପୃଥିବୀକୁ ଆକର୍ଷଣବଳରେ ଆପଣାର ଚତୁର୍ଦ୍ଦିଗରେ ପରିଭ୍ରମିତ କରୁଅଛି ? ତାହାର ଉତ୍ତର ଏହି କି ଯେ ସୂର୍ଯ୍ୟ ଆମ୍ଭମାନଙ୍କ ଚକ୍ଷୁକୁ ଯେପରି କ୍ଷୁଦ୍ର ଦିଶେ, ବସ୍ତୁତଃ ତାହା ସେପରି ନୁହେଁ ।

 

ଇଉରୋପୀୟ ବିଜ୍ଞାନପରାୟଣ ପଣ୍ଡିତମାନେ ବିଶୁଦ୍ଧ ଗଣନାଦ୍ୱାରା ଅବଧାରଣ କରିଅଛନ୍ତି ଯେ ପୃଥିବୀଠାରୁ ସୂର୍ଯ୍ୟର ଦୂରତ୍ୱ ନବକୋଟି ପଞ୍ଚାଶଲକ୍ଷ ମାଇଲ ଏବଂ ସୂର୍ଯ୍ୟମଣ୍ଡଳର ବ୍ୟାସ ପୃଥିବୀର ବ୍ୟାସର ୧୧୧ ଗୁଣ ; ଅର୍ଥାତ୍‌ ଆଠଲକ୍ଷ ବୟାଅଶୀହଜାର ମାଇଲ ଅଟେ । ଉଲ୍ଲିଖିତ ସଂଖ୍ୟାଦ୍ୱୟକୁ ତୁଣ୍ଡରେ କହିବା ସହଜ ଅଟେ; ମାତ୍ର ତାହାକୁ ପ୍ରକୃତରୂପେ ଉପଲବ୍‌ଧି କରିବା ତେଡ଼େ ସହଜ ନୁହେଁ । ନିମ୍ନଲିଖିତ ରୀତିରେ ତାହା କଥଞ୍ଚିତ୍‌ ଉପଲବ୍‌ଧ ହୋଇପାରେ । ଯଦି କୈାଣସି ରେଳଗାଡ଼ି ପ୍ରତିଘଣ୍ଟାରେ ୪୦ ମାଇଲ ଲେଖାଏଁ ଯାଏ,ତାହାହେଲେ ଛବିଶ ଦିବସ ଏବଂ ଛବିଶ ରାତ୍ରି ଅବିଶ୍ରାନ୍ତଭାବରେ ଚାଳିତ ହେଲେ ଉକ୍ତ ଗାଡ଼ି ପୃଥିବୀକୁ ଥରେ ପ୍ରଦିକ୍ଷଣ କରିପାରିବ । ଏହି ଗଣନା ଅନୁସାରେ ପୃଥିବୀରୁ ସୂର୍ଯ୍ୟମଣ୍ଡଳକୁ ଯିବାକୁ ହେଲେ ଉକ୍ତ ଗାଡ଼ିକୁ ୨୭୦ ବର୍ଷରୁ ଅଧିକ କାଳ ଲାଗିବ ଏବଂ ଉକ୍ତ ଗାଡ଼ିକୁ ସୂର୍ଯ୍ୟବ୍ୟାସର ଏପ ପ୍ରାନ୍ତରୁ ଅପର ପ୍ରାନ୍ତକୁ ଯିବାକୁ ପ୍ରାୟ ତିନିବର୍ଷ ଲାଗିବ । ସୂର୍ଯ୍ୟର ବ୍ୟାସକୁ ପୃଥିବୀର ବ୍ୟାସର ୧୧୦ ଗୁଣ ବୋଲି ସ୍ୱୀକାର କଲେ, ଏହା ମଧ୍ୟ ପରିମିତିଶାସ୍ତ୍ର ଅନୁସାରେ ସ୍ୱୀକାର କରିବାକୁ ହେବ ଯେ ପୃଥିବୀର ଘନଫଳ ଅପେକ୍ଷା ସୂର୍ଯ୍ୟମଣ୍ଡଳର ଘନଫଳ ୧୩,୩୧,୦୦୦ ଗୁଣ ଅଧିକ । ଏହି ଗଣନାଦ୍ୱାରା ସୂର୍ଯ୍ୟମଣ୍ଡଳର ଆୟତନ ଏବଂ ପରିମାଣ କଥଞ୍ଚିତ୍‌ ହୃଦୟଙ୍ଗମ ହୋଇପାରେ ।

 

ଜ୍ୟୋତିର୍ବେତ୍ତା ପଣ୍ଡିତମାନେ ସ୍ଥିର କରିଛନ୍ତି ଯେ ପୃଥିବୀର ଆୟତନ ଅପେକ୍ଷା ସୂର୍ଯ୍ୟମଣ୍ଡଳର ଆୟତନ ଯାଦୃଶ ବୃହତ୍‌; ଭାର ତାଦୃଶ ଅଧିକ ନୁହେଁ । ପୃଥିବୀର ଭାର ଅପେକ୍ଷା ସୂର୍ଯ୍ୟମଣ୍ଡଳର ଭାର ତିନିଲକ୍ଷ ଛତିଶହଜାର ଗୁଣମାତ୍ର ଅଧିକ। କିନ୍ତୁ ପୂର୍ବକଥିତ ଗଣନା ଅନୁସାରେ ତାହାର ଆୟତନ ପୃଥିବୀର ଆୟତନ ଅପେକ୍ଷା ତେରଲକ୍ଷ ଏକତ୍ରିଶହଜାର ଗୁଣ ବୃହତ୍‌ । ଏଥିରୁ ସହଜରେ ଅନୁମିତ ହେଉଅଛି ଯେ ସୈାରପଦାର୍ଥମାନ ପାର୍ଥିବପଦାର୍ଥର ତୁଳନାରେ ଅପେକ୍ଷାକୃତ ଲଘୁ । ପୃଥିବୀ ଭୂପୃଷ୍ଠସ୍ଥ ପଦାର୍ଥମାନଙ୍କୁ ଯାଦୃଶ ବଳ ସହକାରେ ଆକର୍ଷଣ କରେ, ସୂର୍ଯ୍ୟ ସ୍ୱୀୟ ପୃଷ୍ଠଦେଶସ୍ଥ ବସ୍ତୁମାନଙ୍କୁ ତଦପେକ୍ଷା ତିରିଶ ଗୁଣ ବଳରେ ଆକର୍ଷଣ କରେ ।

 

ସୂର୍ଯ୍ୟର ତାପ ଏବଂ ଆଲୋକ ବିଷୟରେ ଇଉରୋପୀୟ ପଣ୍ଡିତମାନେ ଗଣନାଦ୍ୱାରା ସ୍ଥିର କରିଅଛନ୍ତି ଯେ ସମସ୍ତ ଗ୍ରହ ଏବଂ ଉପଗ୍ରହମାନେ ସୂର୍ଯ୍ୟମଣ୍ଡଳରୁ ଯେତେ ତାପ ଏବଂ ଆଲୋକ ଗ୍ରହଣ କରନ୍ତ, ତଦପେକ୍ଷା ୨,୨୭,୦୦୦,୦୦୦ ଗୁଣ ଅଧିକ ତେଜ ତାହାର ଦେହରୁ ବିକୀର୍ଣ୍ଣ ହୁଏ । ଅବଶିଷ୍ଟ ତେଜ ଅନନ୍ତ ନାକ୍ଷତ୍ରିକ ଜଗତ୍‌ ମଧ୍ୟରେ ସଂଚାରିତ ହୁଏ । ଏତଦୃଶ ପ୍ରଚଣ୍ଡ ତାପ ଏବଂ ପ୍ରଖର ଆଲୋକର ପରିମାଣକୁ ହୃଦୟଙ୍ଗମ କରିବା ଅସାଧ୍ୟ ଅଟେ । ଯାହାହେଉ, ଏହା ନିଃସନ୍ଦେହ ଅଟେ ଯେ ସ୍ୱର୍ଣ୍ଣ, ପ୍ଲାଟିନମ୍‌ ପ୍ରଭୃତି କଠିନ ପାର୍ଥିବପଦର୍ଥମାନ ସୂର୍ଯ୍ୟମଣ୍ଡଳକୁ ନୀତ ହେଲେ ତାହାର ପ୍ରଚଣ୍ଡ ତାପଯୋଗରେ ବାଷ୍ପରୂପରେ ପରିଣତ ହୋଇ ଉଡ଼ିଯିବ ।

 

ଦୂରବୀକ୍ଷଣ ଯନ୍ତ୍ରର ସାହାଯ୍ୟରେ ଦେଖିଲେ ସୂର୍ଯ୍ୟମଣ୍ଡଳରେ କତିପୟ କୃଷ୍ଣବର୍ଣ୍ଣ ଚିହ୍ନ ଲକ୍ଷିତ ହୁଏ । ଏହି ଭୂମଣ୍ଡଳ ଯେପରି ବାୟୁରାଶିଦ୍ୱାରା ପରିବୃତ, ସୂର୍ଯ୍ୟ ସେହିପରି ଏକ ଜ୍ୟୋତିର୍ମୟ ବାଷ୍ପୀୟ ଆବରଣଦ୍ୱାରା ପରିବୃତ । ଏହି ତେଜୋମୟ ଆବରଣ କୌଣସି କୌଣସି ସମୟରେ ଛିନ୍ନ ହୋଇଗଲେ, ସେହି ଛିଦ୍ରମାନଙ୍କର ଅନ୍ତରାଳରେ କୃଷ୍ଣଚିହ୍ନମାନ ଦେଖାଯାଏ । ଏହି ଚିହ୍ନଗୁଡ଼ିକ ସର୍ବଦା ଏକସ୍ଥାନରେ ଦେଖାଯାଏ ନାହିଁ; ତାହା ସୂର୍ଂଯ୍ୟର ଏକପାଶ୍ୱରୁ ଅପରପାଶ୍ୱକୁ ଗତି କରେ । ଆଜି ଯେଉଁଏକ ସ୍ଥାନରେ ଦେଖିବ, ପଚିଶ ଦିନ ବିଗତ ନ ହେଲେ ସେ ଚିହ୍ନ ସେ ସ୍ଥାନରେ ଦୃଷ୍ଟିଗୋଚର ହେବନାହିଁ । ଏଥିରୁ ଅନୁମତି ହେଉଅଛି ଯେ ପୃଥିବୀ ଯେପରି ନିଜ ମେରୁଦଣ୍ଡ ଉପରେ ଆବର୍ତ୍ତନ କରେ, ସୂର୍ଯ୍ୟ ମଧ୍ୟ ସେହିପରି ଘୂର୍ଣ୍ଣିତ ହେଉଅଛି। ଏହି ଆବର୍ତ୍ତନ ୨୫ ଦିନ ଆଠଘଣ୍ଟାରେ ଏକ ବାର ସମ୍ପାଦିତ ହୁଏ ।

 

ସୂର୍ଯ୍ୟମଣ୍ଡଳର ଉପାଦାନ ସମ୍ବନ୍ଧରେ ବୈଜ୍ଞାନିକମାନେ ନିରୂପଣ କରିଅଛନ୍ତି ଯେ ଏହି ପୃଥିବୀରେ ଯେଉଁସବୁ ପଦାର୍ଥ ଦୃଷ୍ଟିଗୋଚର ହୁଏ, ସେହି ସବୁ ପଦାର୍ଥର ଯୋଗରେ ସୂର୍ଯ୍ୟର ଶରୀର ଗଠିତ ହୋଇଛି । ସୂର୍ଯ୍ୟ ନିଜେ ତଜୋମୟ ନୁହେଁ; କିନ୍ତୁ ପୂର୍ବୋକ୍ତ ଜ୍ୟୋତିର୍ମୟ ବାଷ୍ପୀୟ ପରିବେଶଦ୍ୱାରା ଆବୃତ ଥଇବାରୁ ତାହା ଏପରି ତେଜୋମୟ ଦିଶେ । ବସ୍ତଯୁତଃ ସୂର୍ଯ୍ୟ ଗୋଟିଏ କୃଷ୍ଣବର୍ଣ୍ଣ ଗୋଲକ ଅଟେ ।

 

ସୂର୍ଯ୍ୟ ଯେ କେବଳ ସୌରଗଜତ୍‌ର କେନ୍ଦ୍ର ଏବଂ ଚାଳକ ଅଟେ, ଏମନ୍ତ ନୁହେଁ । ସୂର୍ଯ୍ୟ ସୁମହାନ୍‌ ନାକ୍ଷତ୍ରିକ ଜଗତ୍‌ର ଅନ୍ତର୍ଗତ ଅଟେ । ଏହା ନକ୍ଷତ୍ରରୂପେ ଗୋଟିଏ ଅପରିଜ୍ଞେୟ କକ୍ଷରେ ପରିଭ୍ରମଣ କରୁଅଛ । ଏହି ପରିଭ୍ରମଣଦ୍ୱାରା ସୃଷ୍ଟିକର୍ତ୍ତାଙ୍କର କି ଉଦ୍ଦେଶ୍ୟ ସାଧିତ ହେଉଅଛି, ତାହା ଅବଧାରଣ କରିବା ଅସାଧ୍ୟ । ଆମ୍ଭେମାନେ ଏତିକି କହିଁପାରୁ ଯେ ତାହା ନିରର୍ଥକ ନୁହେଁ ।

Image

 

ଜାତୀୟ ସାହିତ୍ୟ

 

ସାହିତ୍ୟ ଅବସ୍ଥା ଜାତିବିଶେଷର ସଭ୍ୟତାର ପରିମାପ ଅଟେ । ଯେଉଁ ଜାତି ଯେ ପରିମାଣରେ ଉନ୍ନତ, ସେହି ଜାତିର ସାହିତ୍ୟ ସେହି ପରିମାଣରେ ମାର୍ଜିତ ଏବଂ ଶ୍ରୀସମ୍ପନ୍ନ । କୌଣସି ଦେଶର ସାହିତ୍ୟ ସଙ୍ଗରେ ସେହି ଦେଶର ସର୍ବବିଧ ଉନ୍ନତିର କିପରି ଘନିଷ୍ଠ ସମ୍ବନ୍ଧ, ତାହା ଇତିହାସରେ ସତ୍ୟ ପ୍ରତି ଦୃଷ୍ଟିପାତ କଲେ ସହଜରେ ଉପଲବ୍‌ଧ ହେବ । ପ୍ରାଚୀନ ଆର୍ଯ୍ୟଜାତି, ପ୍ରାଚୀନ ଗ୍ରୀକ୍‌ ଓ ରୋମକ ଜାତି, ଆଧୁନିକ ଇଂଲଣ୍ଡୀୟ, ଫରାସିସ୍‌ ଏବଂ ଜର୍ମାନ୍‌ ଜାତିମାନଙ୍କର ସାହିତ୍ୟ ଉଲ୍ଲିଖିତ ମତର ଅନୁକୂଳ ପ୍ରମାଣସ୍ୱରୂପ । ଯେଉଁ ଜାତିମାନେ ଅର୍ଦ୍ଧସଭ୍ୟ, ସେମାନଙ୍କର ସାହିତ୍ୟ ଅତ୍ୟନ୍ତ ଅପରିପକ୍ୱ ଏବଂ ନିକୃଷ୍ଟ ; ପୁଣି ଯେଉଁ ଜାତିମାନେ ଘୋର ଅସଭ୍ୟ ଅବସ୍ଥାରେ ଅଛନ୍ତି, ସେମାନେ ସଂପୂର୍ଣ୍ଣରୂପେ ସାହିତ୍ୟବିବର୍ଜିତ ।

 

ପୃଥିବୀର ଆଦିସଭ୍ୟ ଭାରତବର୍ଷସ୍ଥ ଆର୍ଯ୍ୟଜାତିର ଗୈାରବ-ରବି ବହୁକାଳ ହେଲା ଅସ୍ତମିତ ହୋଇଅଛି;ସେମାନଙ୍କର କୀର୍ତ୍ତି, ଗୈାରବ, ଶୈାର୍ଯ୍ୟ, ବୀର୍ଯ୍ୟ ସମସ୍ତେ କାଳର ଦାରୁଣ ଶାସନରେ ବିଲୁପ୍ତ ହୋଇଅଛି;କିନ୍ତୁ ସେମାନଙ୍କର ସାହିତ୍ୟ କୋଷରରେ ଯେଉଁ ସବୁ ଅମୂଲ୍ୟ ରତ୍ନ ସଞ୍ଚିତ ଥିଲା, ତାହାର ସୁବିମଳ ଜ୍ୟୋତି ଦୀନହୀନ ଭାରତୀୟମାନଙ୍କର ନୈରାଶ୍ୟ-ଜର୍ଜରିତ ଏବଂ ନିବିଡ଼ ଅନ୍ଧକାରମୟ ହୃଦୟରେ ସୁଦ୍ଧା ମୃତସଂଜୀବନୀ ଆଶାର ପ୍ରଭାବକୁ ଜାଗ୍ରତ ଓ ସନ୍ଦୀପ୍ତ କରୁଅଛି । କେବଳ ତାହା ନୁହେଁ, ଆର୍ଯ୍ୟମାନଙ୍କର ଭାଷା ନିଜ ପୁରାଣ ମହିମାରେ ଅବସ୍ଥାନ କରି ଶତ ଶତ ନୂତନ ଭାଷାର ଉତ୍ପାଦନଦ୍ୱାରା ଏବଂ ବହୁ ଭିନ୍ନ ଦେଶୀୟ ଭାଷା ସହିତ ନିଜ ସଂପର୍କ ପ୍ରକାଶଦ୍ୱାରା ଭାରତଭୂମିର ଅଶେଷ କଲ୍ୟାଣ ସାଧନ କରୁଅଛି ଏବଂ ସ୍ମୃତିର ଅତୀତ ପୂରାକାଳର ଇତିବୃତ୍ତ ବିଷୟକ ପ୍ରକୃତ ତତ୍ତ୍ୱର ସଂକଳନ ପକ୍ଷରେ ପ୍ରଭୂତ ସହାୟତା କରୁଅଛି । ଗ୍ରୀସ୍‌ ଓ ରୋମ୍‌ ରାଜ୍ୟର ପୁରାତନ ଐଶ୍ୱର୍ଯ୍ୟ, ପୁରାତନ ବୀର୍ଯ୍ୟ ଏବଂ କୀର୍ତ୍ତି ସର୍ବ ବିଲୋପୀ କାଳସ୍ରୋତଦ୍ୱାରା ଧୈାତ ହୋଇଯାଇଅଛି ; କିନ୍ତୁ ଗ୍ରୀକ୍‌ ଓ ଲାଟିନ୍‌ ଭାଷାର ରତ୍ନଚୟ ସଂଗ୍ରହ କରି ଆଧୁନିକ ଇଉରୋପ ଏତେଦୂର ଉନ୍ନତ ଏବଂ ମାର୍ଜିତ ହୋଇଅଛି । ଅର୍ଜ୍ଜୁନ, ସିକନ୍ଦର ଏବଂ ସିଜର୍‌ ପ୍ରଭୃତି ଭୁବନବିଜୟୀ ବୀରମାନଙ୍କର କୀର୍ତ୍ତିସମୂହ ଭସ୍ମାବଶେଷ ହୋଇଅଛି ; କିନ୍ତୁ କବିଗୁରୁ ବାଲ୍ମୀକି, ବ୍ୟାସ, ହୋମର୍‌ ଓ ବର୍ଜିଲ୍‌ ; ଦାର୍ଶନିକୁଳତିଳକ ପ୍ଳେଟୋ ଏବଂ ବାଗ୍ମୀଶ୍ରେଷ୍ଠ ଡ଼ିମସ୍‌ଥିନିସ୍‌ ଏବଂ ସିସିରୋ ଏବଂ ବୁଦ୍ଧ, ଈଶ, ମହମ୍ମଦ ପ୍ରଭୃତି ମହାପୁରୁଷମାନଙ୍କର ବାକ୍ୟାବଳୀ ସମସ୍ତ ପୃଥିବୀ ପରିଭ୍ରମଣ କରୁଅଛି ଏବଂ ମନୁଷ୍ୟ ହୃଦୟକୁ ଉଦାର ଏବଂ ମଧୁର ଭାବରେ ପରିପୂର୍ଣ୍ଣ କରୁଅଛି । ଆଧୁନିକ ଇଂରାଜୀ, ଜର୍ମାନୀ ଓ ପଂରାସିସ୍‌ ଜାତିମାନଙ୍କର ଯେ ଏତେ ଶ୍ରୀବୃଦ୍ଧି ଲକ୍ଷିତ ହେଉଅଛି, ଅଭିଜ୍ଞ ବ୍ୟକ୍ତିମାନଙ୍କ ମତରେ ଇଂରାଜୀ, ଜର୍ମାନ୍‌ ଓ ଫରାସି ସାହିତ୍ୟର ଉନ୍ନତି ତାହାର ଗୋଟିଏ ପ୍ରଧାନ କାରଣ ଅଟେ-। ଜାତିଗତ ଉନ୍ନତି ଯେଉଁ ପରିମାଣରେ ସାହିତ୍ୟର ଶ୍ରୀବୃଦ୍ଧି ସାଧନ କରେ, ସାହିତ୍ୟର ଉନ୍ନତି ସେହି ପରିମାଣରେ ଜାତୀୟ ଶ୍ରୀବୃଦ୍ଧି ସାଧନ କରେ।

 

ସାହିତ୍ୟରୂପ ଦର୍ପଣରେ ଜାତିବିଶେଷର ଉନ୍ନତି ଏବଂ ମହାଭାବ ମନୁଷ୍ୟମାନଙ୍କର ଉଦାର ମନ ପ୍ରତିବିମ୍ବିତ ହୁଏ । ପ୍ରାଚୀନକାଳର ଜଣେ ବିଜ୍ଞ ପଣ୍ଡିତ କହିଅଛନ୍ତି ଯେ ସଂସାରର ସାରପଦାର୍ଥ ମନୁଷ୍ୟ ଏବଂ ମନୁଷ୍ୟର ଦାରପଦାର୍ଥ ମନ । ଯେଉଁ ସାହିତ୍ୟ ଏହି ସାରଭୂତ ମନର ଉଚ୍ଚଚିନ୍ତାମାନଙ୍କର ବିମଳ ଜ୍ୟୋତିକୁ ଅମ୍ଳାନଭାବରେ ସଂରକ୍ଷଣ କରିଅଛି, ତାହା କିପରି ଉପାଦେୟ ଏହା ବୁଦ୍ଧିମାନ୍ ବ୍ୟକ୍ତିମାତ୍ରକେ ଅନୁଭବ କରିପାରିବେ । ଦେଶମଧ୍ୟରେ ଉନ୍ନତ ଏବଂ ପ୍ରତିଭାନ୍ୱିତ ବ୍ୟକ୍ତିମାନେ ଜନ୍ମଗ୍ରହଣ କଲେ, ଦେଶୀୟ ଭାଷା, କାବ୍ୟ, ଉପନ୍ୟାସ, ଦର୍ଶନ, ବିଜ୍ଞାନ, ଇତିହାସ, ଲୋକଚରିତ, ଧର୍ମଶାସ୍ତ୍ର ଏବଂ ବ୍ୟବସ୍ଥାଶାସ୍ତ୍ର ପ୍ରଭୃତି ନାନା ସାହିତ୍ୟ ରତ୍ନଦ୍ୱାରା ଅଳଂକୃତ ହୁଏ ଏବଂ ଭାଷା ଏହି ପ୍ରକାରେ ପରିପୁଷ୍ଟ ଏବଂ ଶ୍ରୀସମ୍ପନ୍ନ ହୋଇ ଉନ୍ନତ ଓ ଉଦାର ଭାବନିଚୟକୁ ଜନସମାଜରେ ପ୍ରଚାର କରିବାକୁ ପ୍ରବୃତ୍ତ ହେଲେ, ଦେଶର ଲୋକବର୍ଗ ସହଜରେ ଜ୍ଞାନ ଏବଂ ସଭ୍ୟତାରେ ଉନ୍ନତ ହୁଅନ୍ତି । ଅତଏବ ଜାତୀୟ ସାହିତ୍ୟ ଏବଂ ଜାତୀୟ ଉନ୍ନତି ଏହି ଉଭୟର ପରସ୍ପର ସମ୍ୱନ୍ଧ ନିତ୍ୟ ଏବଂ ଅପରିବର୍ତ୍ତନୀୟ ।

Image

 

ପରିଶ୍ରମର ସୁଖ

 

କି ଉପାୟ ଅବଲମ୍ବନ କଲେ ଏହି ମାନବଜୀବନ ନିତ୍ୟ ସନ୍ତୋଷର ନିକେତନ ହେବ-? ଏହି ପ୍ରଶ୍ନ ସମସ୍ତଙ୍କ ହୃଦୟରୁ ନିସୃତ ହେଉଅଛି ; କିନ୍ତୁ ଅଳ୍ପ ଲୋକେ ଏହାର ପ୍ରକୃତ ଉତ୍ତର ଲଭିବାକୁ ବ୍ୟାକୁଳ ଅଟନ୍ତି । ତେଣୁ ‘‘ସଂସାରରେ ସୁଖ-ସନ୍ତୋଷ ନାହିଁ’’ ଏହି ହାହାକାର ସର୍ବଦା ଶ୍ରୁତିଗୋଚର ହୁଅଇ । ଯେଉଁମାନଙ୍କର ଅନ୍ତର ପ୍ରକୃତ ଜ୍ଞାନାଲୋକରେ ବିଭୂଷିତ ଏବଂ ଯେଉଁମାନେ ସର୍ବଦା ହୃଦୟରେ ପବିତ୍ର ସୁଖ ସନ୍ତେଷ ଅନୁଭବ କରୁଅଛନ୍ତି, ସେମାନଙ୍କୁ ଜିଜ୍ଞାସାକଲେ ସେମାନେ ଯେଉଁ ଉତ୍ତର ପ୍ରଦାନ କରିବେ, ତାହାହିଁ ଆମ୍ଭମାନଙ୍କର ଶିକ୍ଷଣୀୟ ଏବଂ ପାଳନୀୟ । ସର୍ବଦେଶର ଏବଂ ସର୍ବକାଳର ଜ୍ଞାନୀମାନେ ମୁକ୍ତକଣ୍ଠରେ କହିଅଛନ୍ତି ଯେ ସର୍ବଦା ସତ୍‌କାର୍ଯ୍ୟରେ ନିଯୁକ୍ତ ଥିବା ସୁଖଲାଭର ପ୍ରକୃଷ୍ଟ ଉପାୟ ଅଟେ । ଏହି ଶ୍ରେଷ୍ଠ ଉପଦେଶ ସମସ୍ତଙ୍କର ଅବଲମ୍ବନିୟ, ଏହାହିଁ ପ୍ରସ୍ତାବିତ ପ୍ରଶ୍ନର ପ୍ରକୃତ ଉତ୍ତର ଅଟେ ।

 

କୌଣସି ପ୍ରକାର ସତ୍‌କାର୍ଯ୍ୟରେ ନିଯୁକ୍ତ ହେବି; ଏହି ପବିତ୍ର ସଙ୍କଳ୍ପ ମନରେ ଉଦିତ ହେଲାକ୍ଷଣି ଜୀବନର ଜଡ଼ତା ଦୂର ହୁଏ, ଆଳସ୍ୟ ଅପସାରିତ ହୁଏ, ବୁଦ୍ଧିବୃତ୍ତି ସଦୁପାୟମାନ ଚିନ୍ତିବାପଇଁ ଜାଗ୍ରତ ହୁଏ ଏବଂ ଆଶାର ଉଜ୍ୱଳ କିରଣରେ ଜୀବନର ମାର୍ଗ ଆଲୋକିତ ହୁଏ । ସଙ୍କଳ୍ପକୁ ଅନୁସରଣ କରି କାର୍ଯ୍ୟରେ ହସ୍ତକ୍ଷେପ କଲାକ୍ଷଣି ଏକପ୍ରକାର ନବଜୀବନର ସଞ୍ଚାର ଅନୁଭୂତ ହୁଏ, ଆଶା ପୂର୍ବାପେକ୍ଷା ଉଜ୍ଜ୍ୱଳତର ତେଜ ବିକିରଣ କରେ ଏବଂ ପ୍ରକୃଷ୍ଟ ଉପାୟମାନ ବୃଦ୍ଧି ସମକ୍ଷରେ ଦେଦୀପ୍ୟମାନ ହୁଏ । ପୁଣି ହୃଦୟର ସଙ୍କଳ୍ପ କାର୍ଯ୍ୟରେ ପରିଣତ ହେଲେ ଏବଂ ଅନ୍ତରର ଆଶା ଫଳବତୀ ହେଲେ, ଯେଉଁ ନିର୍ମଳ ଆନନ୍ଦ ଉପଲବ୍‌ଧ ହୁଏ, ତାହା କିଏ ବର୍ଣ୍ଣନା କରିପାରିବ ? ତେତେବେଳେ ଆମ୍ଭେମାନେ ଜୀବନର ମହା ଲକ୍ଷ୍ୟ ଏବଂ ଆପଣାର ସ୍ୱାଧୀନତା ଓ ପାରକ୍ରମ ହୃଦୟଙ୍ଗମ କରି, ପ୍ରକୃତ ପ୍ରଫୁଲ୍ଲ ଏବଂ ପୁଲକିତ ହେଉଁ । ବିହଙ୍କମାନେ ଆକାଶରେ ଉଡ଼ି ଏବଂ ମୀନମାନେ ଜଳରେ ସନ୍ତରଣ କରି ଯେଉଁ ସୁଖ ଲାଭ କରନ୍ତି; ମନୁଷ୍ୟ କାର୍ଯ୍ୟରେ ସ୍ୱୀୟ ଶକ୍ତି ଏବଂ ମନୋବୃତ୍ତିମାନଙ୍କୁ ପ୍ରୟୋଗ କରି ସେହିପରି ସୁଖ ଭୋଗ କରେ । ଯେଉଁମାନେ ପରିଶ୍ରମକୁ ଜୀବନର ପରମ ସୁଖ ଏବଂ ଆଳସ୍ୟକୁ ମୃତ୍ୟୁ ବୋଲି ଜ୍ଞାନ କରନ୍ତି, ସେମାନଙ୍କର ମନ ସର୍ବଦା ଜାଗ୍ରତ, ସଜୀବ ଏବଂ ପ୍ରସନ୍ନ ଥାଏ ।

 

ଜଣେ ପ୍ରସିଦ୍ଧ ଗ୍ରନ୍ଥକାର ପରିଶ୍ରମକୁ ମନୁଷ୍ୟର ସର୍ବଶ୍ରେଷ୍ଠ ପ୍ରହରୀ ବୋଲି ନିର୍ଦ୍ଦେଷ କରିଅଛନ୍ତି । ଏହି ଉକ୍ତିଟି ଅତ୍ୟନ୍ତ ସାରଗର୍ଭକ । ବାସ୍ତବରେ ଯେଉଁ ବ୍ୟକ୍ତି ସର୍ବଦା ସତ୍‌କାର୍ଯ୍ୟରେ ନିଯୁକ୍ତ ଥାଏ, ପାପଚିନ୍ତା ତାହାର ମନୋମଧ୍ୟରେ ପ୍ରବେଶଲାଭ କରିପାରେ ନାହିଁ । ତାହାର ଭାବନା, କଳ୍ପନା ଏବଂ କାମନାଚୟ ସର୍ବଦା କାର୍ଯ୍ୟମଧ୍ୟରେ ବିଚରଣ କରିବାରୁ ପାପ ଏବଂ ପ୍ରଲୋଭନ ତାହାକୁ ଆକ୍ରମଣ କରିବାକୁ ଅବସର ସୁଦ୍ଧା ପାଆନ୍ତି ନାହିଁ । ଅତଏବ କାର୍ଯ୍ୟରେ ନିରନ୍ତର ବ୍ୟାପୃତ ଥିବା ଚିତ୍ତଶୁଦ୍ଧିର ଗୋଟିଏ ସହଜ ଏବଂ ପ୍ରଧାନ ଉପାୟ ଅଟେ । ପକ୍ଷାନ୍ତରେ ଆଳସ୍ୟ ଏବଂ ବିଳାସପରାୟଣତା ମନୁଷ୍ୟକୁ ସାରହୀନ ଏବଂ ନିଶ୍ଚେଷ୍ଟ କରି ତାହାକୁ ପାପପିଶାଚର ବିକଟମୁଖରେ ନିକ୍ଷେପ କରଇ । ପୃଥିବୀରେ ଯେତେ ପ୍ରକାର ଦୁଷ୍କାର୍ଯ୍ୟ ଅନୁଷ୍ଠିତ ହେଉଅଛି, ତାହାର ଅଧିକାଂଶ ଯେ ଶ୍ରମବିହୀନ ଇନ୍ଦିୟପରାୟଣ ବ୍ୟକ୍ତିମାନଙ୍କଦ୍ୱାରା ସମ୍ପାଦିତ ହେଉଅଛି, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

ପରିଶ୍ରମ ଦ୍ୱିବିଧ ; ସ୍ୱର୍ଥପର ପରିଶ୍ରମ ଓ ନିଃସ୍ୱାର୍ଥ ପରିଶ୍ରମ । ସ୍ୱାର୍ଥସାଧନ ନିମିତ୍ତ ଯେଉଁ ପରିଶ୍ରମ କାରଯାଏ, ତାହା ସ୍ୱାର୍ଥପର ଏବଂ ପରର ହିତ ନିମିତ୍ତ ଯେଉଁ ପରିଶ୍ରମ କରାଯାଏ ତାହା ନିଃସ୍ୱାର୍ଥ । ସ୍ୱାର୍ଥପର ପରିଶ୍ରମର ଦୃଷ୍ଟାନ୍ତ ପୃଥିବୀରେ ବିରଳ ନୁହେଁ । ସ୍ୱାର୍ଥସାଧନ ଆଶ୍ରୟରେ ସମମ୍ତ ପରିଶ୍ରମ କରୁଛନ୍ତି । ଧନଲାଳସା ଏବଂ ଯଶଃସମ୍ମାନକାମନାର ବଶବର୍ତ୍ତୀ ହୋଇ ଲୋକେ ଅହର୍ନିଶ କାର୍ଯ୍ୟ କରୁଅଛନ୍ତି । ସ୍ୱାର୍ଥପରେ ପରିଶ୍ରମ ଯେ ସଫଳପ୍ରଦ ନୁହେଁ, ଏହା ଆମ୍ଭେମାନେ କହୁନାହୁଁ ; କିନ୍ତୁ ଦେଶହିତକର ଏବଂ ନରହିତକର କାର୍ଯ୍ୟରେ ରତ ହେଲେ ହୃଦୟର ଯେ ପ୍ରକାର ପ୍ରଶସ୍ତତା, ଉଦାରତା ଏବଂ ପ୍ରସନ୍ନତା ଅନୁଭୂତ ହୁଏ, ସ୍ୱାର୍ଥପର ପରିଶ୍ରମରେ ତାହା କଦାପି ଉପଲବ୍‌ଧ ହୁଏନାହିଁ ।

Image

 

ନେପୋଲିଅନ୍‌

 

ଯେ ଇତାଲୀ ଏକସମୟରେ ଅର୍ଦ୍ଧ-ଜଗତର ଅଧୀଶ୍ୱରୀ ଥିଲା; ଯେ ଇତାଲୀ ସିପିୟୋ, ସିଜର, ପମ୍ପି, ଗାରିବାଲ୍‌ଡ଼ି ବୀରକେଶରୀମାନଙ୍କର ଜନ୍ମଭୂମି ; ଯେ ଇତାଲୀ ଦେଶରେ ଭର୍ଚ୍ଚିଲ, ଦାନ୍ତେ, ତାସୋ, ପିତ୍ରାକ କବିଚୂଡ଼ାମଣିମାନେ ଜନ୍ମଗ୍ରହଣ କରିଥିଲେ; ଯେ ଇତାଲୀ ଗାଲିଲିୟୋ, କୋପର୍ନିକସ, କଲମ୍ବସ ପ୍ରଭୃତି ପ୍ରତିଭାଶାଳୀ ମହାତ୍ମାମାନଙ୍କା ଧାତ୍ରୀ ସ୍ୱରୂପ ; ଯେ ଇତାଲୀ ଖ୍ରୀଷ୍ଟିୟାନ କାଥଲିକ ସଂପ୍ରଦାୟର ପ୍ରଭାବ ବିସ୍ତାର କରି ପ୍ରାୟ ସମସ୍ତ ଇଉରୋପକୁ ସ୍ୱୀୟ ପଦତଳରେ ରଖିଅଛି; ଯହିଁରେ ସାଧାରଣତନ୍ତ୍ର ଶାସନ ସର୍ବପ୍ରଥମେ ପ୍ରତିଷ୍ଠିତ ହୋଇ ରୋମ, ଜେନୋଆ, ଫ୍ଲରେନ୍‌ସ ନଗରୀମାନଙ୍କୁ ଅତ୍ୟନ୍ତ ସମୃଦ୍ଧିଶାଳିନୀ କରିଥିଲା ; ସେହି ଇତାଲୀର ପଶ୍ଚିମ ଭାଗରେ ଭୂମଧ୍ୟସାଗର ପରିବେଷ୍ଟିତ ନିତ୍ୟବସନ୍ତଲୀଳାମୟ କର୍ସିକା ନାମକ ଗୋଟିଏ ରମଣୀୟ ଦ୍ୱୀପ ଅଛି ।

 

ଖ୍ରୀଷ୍ଟାବ୍ଦ ୧୭୬୯ ସାଲର ଅଗଷ୍ଟ ମାସ ୧୫ ତାରିଖରେ ନେପୋଲିଅନ ପ୍ରୋକ୍ତ କର୍ସିକା ଦ୍ୱୀପ ଅନ୍ତର୍ଗତ ଆଜେସିଓ ନଗରରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କର ପିତା କାର୍ଲୋ ବୋନାପାର୍ଟ ଜଣେ ସମ୍ଭ୍ରାନ୍ତବଂଶୋଭବ ସୁବିଦ୍ୱାନ ସ୍ୱଦେଶପ୍ରେମିକ ସୈନିକ ଥିଲେ । ୧୭୬୮ ସାଲରେ କର୍ସିକା ଏବଂ ଫ୍ରାନ୍‌ସ ମଧ୍ୟରେ ସଂଗ୍ରାମ ଉପସ୍ଥିତ ହୁଅନ୍ତେ ସେ ସ୍ୱଦେଶର ସ୍ୱାଧୀନତା ନିମିତ୍ତ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ ; କିନ୍ତୁ ଫରାସିମାନେ ଯୁଦ୍ଧରେ ଜୟୀ ହେବାରୁ ତାଙ୍କୁ ଅଗତ୍ୟା ଫ୍ରାନ୍‌ସର ଅଧୀନତା ସ୍ୱୀକାର କରିବାକୁ ହେଲା । ନେପୋଲିଅନ୍‌ଙ୍କର ଜନନୀ ପରମସୁନ୍ଦରୀ ଲେଟିଶିୟା ଅତ୍ୟନ୍ତ ବୁଦ୍ଧିମତୀ, ମନସ୍ୱିନୀ ଏବଂ ପବିତ୍ରଚରିତ୍ରା ଥିଲେ । ତାଙ୍କ ସ୍ୱାମୀ ଅଳ୍ପ ବୟସରେ ମାନବଲୀଳା ସମ୍ବରଣ କରିବାରୁ ଲେଟିଶିୟା ସନ୍ତାନମାନଙ୍କର ଶିକ୍ଷାଭାର ସ୍ୱହସ୍ତରେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ ସେ ଏ ପ୍ରକାର ନୈପୁଣ୍ୟ ଏବଂ ଅଧ୍ୟବସାୟସହକାରେ ସମ୍ପାଦନ କରିଥିଲେ ଯେ ନେପୋଲିଅନ୍ ଉକ୍ତ ବିଷୟରେ ନିମ୍ନଲିଖିତରୂପେ ଲେଖିଅଛନ୍ତି: ମୋହର ଜନନୀଙ୍କଠାରେ ନାରୀର ସ୍ନିଗ୍‌ଧ ପ୍ରୀତି ଏବଂ ପୁରୁଷର ଦୃଢ ବୁଦ୍ଧିମତ୍ତା ଏକାଧାରରେ ସମାବିଷ୍ଟ ଥିଲା । ତାଙ୍କର ଧୈର୍ଯ୍ୟ, ବୁଦ୍ଧିମତ୍ତା ଏବଂ କଠୋରତା ମିଶ୍ର ଦୟାର ପଟାନ୍ତର କାହିଁ ? ଶୋକ ଅବା ବିପଦରେ ତାହାଙ୍କୁ କଦାପି ଅଧୀର ଅବା କାତର ଦେଖି ନାହିଁ ।’’ ଶୈଶବ ଏବଂ ବାଲ୍ୟକାଳରେ ନେପୋଲିଅନ କୌଣସି ପ୍ରକାର ଅସାଧାରଣ ଶକ୍ତି ପ୍ରଦର୍ଶନ କରି ନଥିଲେ । ଅଭିମାନ, ଦୃଢପ୍ରତିଜ୍ଞତା ଏବଂ ଅବାଧ୍ୟତା ତାଙ୍କ ବାଲ୍ୟଚରିତ୍ରର ପ୍ରଧାନ ଲକ୍ଷଣ ଥିଲା । ଦର୍ଶବର୍ଷ ବୟଃକ୍ରମ କାଳରେ ସେ ଗୋଟିଏ ସୈନିକ ବିଦ୍ୟାଳୟକୁ ପ୍ରେରିତ ହୋଇଥିଲେ । ତାଙ୍କର ସହାଧ୍ୟାୟୀମାନେ ସମସ୍ତେ କୁଳୀନ ବଂଶଜ ଏବଂ ଧନୀ ସନ୍ତନ ଥିଲେ । ନେପୋଲିଅନ ଦରିଦ୍ର ଥିବାରୁ ସେମାନଙ୍କ ସଙ୍ଗରେ ସ୍ୱଚ୍ଛନ୍ଦ ଭାବରେ ମିଶିପାରୁ ନଥିଲେ ଏବଂ କାଳେ କେହି ତାଙ୍କ ପ୍ରତି ଘୃଣାଯୁକ୍ତ ବାକ୍ୟ ପ୍ରୟୋଗ କରିବ, ଏଥିପାଇଁ ସେ ନିଭୃତ ଅଧ୍ୟୟନଦ୍ୱାରା କାଳଯାପନ କରୁଥିଲେ । ଚାରିବର୍ଷ ଉତ୍ତାରେ ସେ ବିଶିଷ୍ଟ ପ୍ରଶଂସା ସହିତ ଉତ୍ତୀର୍ଣ୍ଣ ହୋଇ ଫ୍ରାନ୍‌ସ ରାଜଧାନୀ ପାରିସ୍‌ ନଗରୀସ୍ଥ ପ୍ରଧାନ ସୈନିକ ବିଦ୍ୟାଳୟକୁ ପ୍ରେରିତ ହେଲେ । ତତ୍ରତ୍ୟ କୁଳୀନ ବଂଶୀୟ ଛାତ୍ରବୃନ୍ଦଙ୍କର ବିଳାସପ୍ରିୟତା ଏବଂ ଦରିଦ୍ରାବଜ୍ଞା ସନ୍ଦର୍ଶନ କରି ସେ ଅତ୍ୟନ୍ତ ବ୍ୟଥିତ ହୋଇଥିଲେ ଏବଂ ବିଦ୍ୟାଳୟରେ କଠୋର ଶାସନ ପ୍ରବର୍ତ୍ତାଇବା ନିମନ୍ତେ ଅଧ୍ୟକ୍ଷଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ-। ଦିନକରେ ସେ କୁଳୀନ ସହପାଠିମାନଙ୍କର ବିଳାସ ପ୍ରତି ଲକ୍ଷ୍ୟକରି କହିଲେ, ‘‘ମୁଁ ଯଦି ଫ୍ରାନ୍‌ସର ଅଧିପତି ହୁଅନ୍ତି, ଏ ସମନ୍ତ ଶୀଘ୍ର ପରିବର୍ତ୍ତିତ ହୋଇଯାଆନ୍ତା ।’’ ନେପୋଲିଅନ୍ ତିନିବର୍ଷ ଏହି ବିଦ୍ୟାଳୟରେ ଅବସ୍ଥାନ କରିଥିଲେ । ଏହି ସମୟ ସଧ୍ୟରେ ତାହାଙ୍କର ଚରିତ୍ର ଦୃଢ଼ୀଭୂତ ହୋଇଥିଲା ଏବଂ ଭାବୀ ଜୀବନର ନୀତି ସମୁଦାୟ ହୃଦୟରେ ପରିପୁଷ୍ଟ ହୋଇଥିଲା । ପ୍ରାଗାଢ଼ ଅଧ୍ୟବସାୟ ସହିତ ସେ ଅଧୀତବ୍ୟ ବିଷୟମାନ ଶିକ୍ଷା କରିଥିଲେ । ଗଣିତଶାସ୍ତ୍ରରେ ତାଙ୍କର ଏ ପ୍ରକାର ବ୍ୟୁତ୍ପତ୍ତି ଜନ୍ମିଥିଲା ଯେ ସୁବିଖ୍ୟାତ ଗଣିତଜ୍ଞ ଲାପ୍ଳା ସାହେବ ମୁକ୍ତକଣ୍ଠରେ ତାହାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ନେପୋଲିଅନ୍‌ ଅତ୍ୟନ୍ତ ଆଗ୍ରହସହକାରେ ବୀରମାନଙ୍କର ଜୀବନଚରିତ ଏବଂ ସଭ୍ୟଜାତିମାଙ୍କର ଇତିହାସ ପାଠ କରିଥିଲେ । ଏହି ପ୍ରକାରେ ମାନସିକ ଏବଂ ରାଜନୈତିକ ଶିକ୍ଷାଲାଭ କରି ନେପୋଲିଅନ ବିଦ୍ୟାଳୟରୁ ବହିର୍ଗତ ହେଲେ ।

 

୧୭୮୫ ଖ୍ରୀଷ୍ଟାବ୍ଦରେ ଷୋଡ଼ଶ ବର୍ଷ ବୟଃକ୍ରମ କାଳରେ ନେପୋଲିଅନ୍ ଅଧସ୍ତନ କର୍ମଚାରୀରୂପେ ଗୋଲନ୍ଦାଜ ସେନାଶ୍ରେଣୀରେ ପ୍ରବିଷ୍ଟ ହେଲେ । ଏତେବେଳେ ଗୋଲନ୍ଦାଜ ସେନାର ନାୟକତ୍ୱ ଲହିବା ତେଙ୍କ ଆକାଙ୍‌କ୍ଷାର ଚରମସୀମା ଥିଲା; କିନ୍ତୁ ହାୟ, ସେ ଜାଣିନଥିଲେ ଯେ ତାଙ୍କର ଦୁର୍ବାର ଲାଳସା ସାଥିରେ ପରିତୃପ୍ତ ନ ହୋଇ ସମସ୍ତ ପୃଥିବୀକୁ କରକବଳିତ କରିବା ପାଇଁ ତାହାଙ୍କୁ ପ୍ରବର୍ତ୍ତାଇବ । ୧୭୮୯ ସାଲରେ ଭୁବନବିଦିତ ଫରାସିସ ରାଷ୍ଟ୍ରବିପ୍ଳବ ଆରବ୍‌ଧ ହେଲା । ଏବଂ ଏହି ବିପ୍ଳବରୂପ ଆବର୍ତ୍ତର ମଧ୍ୟକୁ ଆନୀତ ହେବାରୁ ତାହାଙ୍କର ମନ ଭୟଙ୍କରରୂପେ ଆନ୍ଦୋଳିତ ହେବାକୁ ଲାଗିଲା । ୧୭୯୨ ସାଲର ଅଗଷ୍ଟ ମାସ ୧୦ ତାରିଖରେ ବିଦ୍ରୋହୀ ପ୍ରଜାମାନଙ୍କର ରାଜପ୍ରାସାଦକୁ ଆକ୍ରମଣ କରିବା, ଶତ ଶତ ଶୋଣିତବିନ୍ଦୁବର୍ଷି ନରମୁଣ୍ଡ ତ୍ରିଶୂଳୋପରି ବହନ କରି ରକ୍ତାକ୍ତ ଦେହରେ ଭୈରବ ନିନାଦ ସହ ରାଜମାର୍ଗରେ ଭ୍ରମଣ କରିବା, ଫ୍ରାନ୍‌ସନୃପତି ଷୋଡ଼ଶ ଲୁଇଙ୍କୁ କାରାଗରରେ ନିକ୍ଷେପ କରିବା ଏବଂ ସାଧାରଣତନ୍ତ୍ର ଶାସନ ପ୍ରତିଷ୍ଠାର ଘୋଷଣା ଦେବା ପ୍ରଭୃତି ଯେଉଁ ଲୋମହର୍ଷଣକାରୀ ବ୍ୟାପାରମାନ ସଂଘଟିତ ହୋଇଥିଲେ, ତାହା ନେପୋଲିଅନି ସ୍ୱନେତ୍ରରେ ଦେଖିଥିଲେ । ୧୭୯୩ ଅବ୍ଦର ଆରମ୍ଭରେ ଲୁଇଙ୍କର ମସ୍ତକ ରାଜରକ୍ତଲୋଲୁପ ନରପିଶାଚମାନଙ୍କ କର୍ତ୍ତୃକ ଛିନ୍ନହେଲା ଏବଂ ଏହି ଘଟନାର ଏକମାସ ଉତ୍ତାରେ ଇଂଲଣ୍ତ ଏବଂ ଫ୍ରାନ୍‌ସ ସଧ୍ୟରେ ଯୁଦ୍ଧ ଉଦ୍‌ଘୋଷିତ ହେଲା । ରାଜପକ୍ଷୀୟ କେତେକ ବ୍ୟକ୍ତି ସମୁଦ୍ରତଟବର୍ତ୍ତୀ ଲିୟନ ନଗରକୁ ଇଂଲଣ୍ତର ହସ୍ତରେ ସମର୍ପଣ କରିଥିଲେ । ନୂତନ ପ୍ରତିଷ୍ଠିତ ସାଧାରଣତନ୍ତ୍ର ଉକ୍ତ ନଗରକୁ ନିଜ କାରୟତ୍ତ କରିବା ଆଶୟରେ ସ୍ୱୀୟ ସୈନ୍ୟଦ୍ୱାରା ପରିବେଷ୍ଟନ କଲେ । ଚାରିମାସ ଅତୀତ ହେଲା; ଅଥଚ ଅବରୁଦ୍ଧ ନଗର ଅଧିକୃତ ହୋଇପାରିଲା ନାହିଁ । ଅବଶେଷରେ ନେପୋଲିଅନ୍‌ ସେଠାକୁ ପ୍ରେରିତ ହୋଇ ଗୋଟିଏ ସୁକୌଶଳୟୁକ୍ତ ଉପାୟ ଉଦ୍ଭାବନ କରି ଶଂସିତ ନଗରକୁ ଅଧିକାର କଲେ ଏବଂ ଇଂରେଜମାନଙ୍କୁ ସେଠାରୁ ବହିଷ୍କୃତ କରିଦେଲେ । ଏହି କାର୍ଯ୍ୟଦ୍ୱାରା ଫ୍ରାନ୍‌ସର ଗୌରବ ରକ୍ଷିତ ହେଲା ଏବଂ ସାଧାରଣତନ୍ତ୍ରର ପ୍ରଭାବ ପରିବର୍ଦ୍ଧିତ ହେଲା ।

 

ଏଥିଉତ୍ତାରେ ୧୭୯୪ ଅବ୍ଦର ପ୍ରାରମ୍ଭରେ ନେପୋଲିଅନ୍‌ ଇତାଲୀୟ ଚମ୍ୱର ଅନ୍ୟତର ସେନାପତି ପଦରେ ନିଯୁକ୍ତ ହେଲେ ଏବଂ ଅସାଧାରଣ ନୈପୁଣ୍ୟସହକାରେ ଫ୍ରାନ୍‌ସର ବିପକ୍ଷୀୟ ଇତାଲୀୟମାନଙ୍କୁ ପରାସ୍ତ କଲେ । ଏହି ଯୁଦ୍ଧର ଅବସାନ ହୁଅନ୍ତେ ତାଙ୍କର ଯଶଃସୌରଭ ବିସ୍ତାରିତ ହେବାକୁ ଲାଗିଲା ; କିନ୍ତୁ ସାଲିସେଟି ନାମକ ତଣେ ଉଚ୍ଚପଦସ୍ଥ ବ୍ୟକ୍ତି ଈର୍ଷାପରବେଶ ହୋଇ ତାଙ୍କ ବିରୁଦ୍ଧରେ ଅନେକ ଭୟାନକ ଅଭିଯୋଗ ଆନୟନ କଲେ ଏବଂ କିଛିକାଳ ପାଇଁ ତାଙ୍କୁ ସେନାପତି ପଦରୁ ରହିତ କରାଇଲେ । ନେପୋଲିଅନ୍‌ ପୁନର୍ବିଚାର ପାର୍ଥନା କଲେ ଏବଂ ଅବଶେଷରେ ନିରପରାଧ ବୋଲି ପ୍ରମାଣିତ ହେଲେ । ଏହି ସମୟରେ ଅର୍ଥାଭାବଯୋଗୁଁ ତାଙ୍କୁ ଅତ୍ୟନ୍ତ କଷ୍ଟ ସହିବାକୁ ହୋଇଥିଲା । ଦିନକରେ ତାଙ୍କ ଦୈନ୍ୟଦଶା ବିଷୟ ଆଲୋଚନା କରି ସେ ଏପରି ବ୍ୟଥିତ ହୋଇଥିଲେ ଯେ ସ୍ୱୀୟ ପ୍ରାଣ ବିନାଶ କରିବା ନିମିତ୍ତ ତାଙ୍କର ମତି ବଳିଥିଲା ; କିନ୍ତୁ ଜୁନଟ ନାମକ ତାଙ୍କର ଜଣେ ମିତ୍ର ଏ ସମୟରେ ଅର୍ଥ-ସାହାଯ୍ୟଦ୍ୱାରା ତାହାଙ୍କୁ ଉକ୍ତ ପାପ-ସଂକଳ୍ପରୁ ନିବୃତ୍ତ କରାଇଥିଲେ ।

 

୧୭୯୫ ଅବ୍ଦର ଅକ୍‌ଟୋବର ମାସ ତିନି ତାରିଖରେ ସାଧାରଣତନ୍ତ୍ରବିରୋଧୀ ୪୦୦୦ ସୈନ୍ୟ ପାରିସ ନଗରିରେ ବିଦ୍ରୋହ-ପତାକା ଉଡ଼ାଇଲେ । ସେମାନେ ରଜପ୍ରାସାଦକୁ ଅଧିକାର କରି ନୂତନ ଶାସଦପଦ୍ଧତିକୁ ରହିତ କରି ସ୍ୱୀୟ ହସ୍ତରେ ରଜ୍ୟଭାର ଗ୍ରହଣ କରିବାର ସଂକଳ୍ପ କରିଥିଲେ ।

 

ଏହି ବିପତ୍ପାତ କାଳରେ ସାଧାରଣତନ୍ତ୍ର ସଭା ଗତ୍ୟନ୍ତର ନଦେଖି ନେପୋଲିଅନ୍‌ଙ୍କ ବିପ୍ଳବନିବାରିଣୀ ସଭାର ଅଧିନାୟକ ପଦରେ ନିଯୁକ୍ତ କଲେ । ବିଦ୍ରୋହୀ ସୈନ୍ୟବର୍ଗ ରାଜପ୍ରାସାଦ ଆକ୍ରମଣ ନିମିତ୍ତ ଅଗ୍ରସର ହୁଅନ୍ତେ ନେପୋଲିଅନ୍‌ଙ୍କର ସୈନ୍ୟମାନେ ତାଙ୍କ ଆଦେଶ ଅନୁସାରେ ଅବିରାମ ଗୋଳାବର୍ଷଣ କରିବାକୁ ଲାଗିଲେ । ଘଣ୍ଟାକ ମଧ୍ୟରେ ବିଦ୍ରୋହୀ ସୈନ୍ୟ ପରାସ୍ତ ହୋଇ ପଳାୟନ କଲେ ଏବଂ ଫ୍ରାନ୍‌ସର ରାଜଧାନୀ ପୁନର୍ବାର ପ୍ରଶାନ୍ତ ଭାବ ଧାରଣ କଲା । ଏହି ଯଶୋଲାଭ ଉତ୍ତାରେ ସମସ୍ତେ ନେପୋଲିଅନ୍‌ଙ୍କର ପ୍ରଶଂସାବାଦ କରିବାକୁ ଲାଗିଲେ ଏବଂ ସୌଭାଗ୍ୟଲକ୍ଷ୍ମୀ ସବୁଆଡ଼ରେ ତାଙ୍କର ଅନୁକୂଳ ହେଲା । ଦିନକରେ ଦ୍ୱାଦଶବର୍ଷୀୟ ଗୋଟିଏ କମନିୟ ବାଳକ ତାଙ୍କ ସମୀପକୁ ଆସି କହିଲା, ‘‘ମହାଶୟ, ମୋର ନାମ ବୋହାରନେସ୍‌ । ମୋର ପିତା ଜଣେ ସମ୍ଭ୍ରାନ୍ତ ସେନାପତି ଥିଲେ ; ତାଙ୍କ ପ୍ରାଣ ବିନିଷ୍ଟ ହୋଇଅଛି, ଏବେ ତାଙ୍କ ତରବାରିଖଣ୍ଡ ମୋତେ ପ୍ରଦାନ କରନ୍ତୁ ।’’ ନେପୋଲିଅନ୍‌ ତାହାର ର୍ପ୍ରାଥନାରେ ସମ୍ମତ ହେଲେ । ଉକ୍ତ ବାଳକ ତରବାରିକୁ ସାଶ୍ରୁ ନୟନରେ ଚୁମ୍ୱନ କରି ସ୍ୱଗୃହକୁ ଘେନିଗଲା । ପରଦିନ ତାହାର ଜନନୀ ନେପୋଲିଅନ୍‌ଙ୍କୁ ନିଜ କୃତଜ୍ଞତା ଜଣାଇବାପାଇଁ ତାଙ୍କ ସମୀପକୁ ଗଲେ । ସାକ୍ଷାତ ହେଲା । ନେପୋଲିଅନ୍‌ ଏହି ରମଣୀର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇଥିଲେ ଏବଂ କତିପୟ ମାସ ଉତ୍ତାରେ ତାଙ୍କ ସଙ୍ଗରେ ପରିଣୟସୂତ୍ରରେ ବଦ୍ଧ ହେଲେ । ଏହି ଅସାମାନ୍ୟା ସୁନ୍ଦରୀର ନାମ ଜୋସେଫିନ୍‌ ।

 

ବିବାହର ଅବ୍ୟବହିତ ପରେ ନେପୋଲିଅନ୍‌ ଇତାଲୀୟ ସୌନ୍ୟର ଅଧିନାୟକ ପଦରେ ନିଯୁକ୍ତ ହୋଇ ଇତାଲୀକୁ ପ୍ରସ୍ଥାନ କଲେ । ତେତେବେଳେ ଇତାଲୀୟ ସୈନ୍ୟ ଅତ୍ୟନ୍ତ ଦୁରବସ୍ଥାରେ ଅବସ୍ଥିତ ଥିଲେ; କିନ୍ତୁ ନେପୋଲିଅନ୍ ସେମାନଙ୍କ ଦୁର୍ଦ୍ଦଶା ଅବଲୋକନ କରି କିଛିମାତ୍ର ହିତୋତ୍ସାହ ନହୋଇ ୭୫ ସମସ୍ର ସୁଶିକ୍ଷିତ ପରାକ୍ରାନ୍ତ ଅଷ୍ଟ୍ରୀୟମାନଙ୍କ ବିରୁଦ୍ଧରେ ସମର କରିବାକୁ ବାହାରିଲେ । ସେ ସ୍ୱୀୟ ସୈନ୍ୟମାନଙ୍କୁ ସମ୍ବୋଧନ କରି କହିଲେ, ‘‘ତୁମ୍ଭେମାନେ ଅନ୍ନବସ୍ତ୍ରହୀନ ହୋଇଅଛି । ଏହି ପାର୍ବତ୍ୟ ଦେଶରେ ତୁମ୍ଭମାନଙ୍କୁ ଅନାକ କଷ୍ଟ ସହିବାକୁ ହେଉଅଛି-; ଅଥଚ ତୁମ୍ଭେମାନେ କିଛି ଯଶ ଲଭିପାରୁନାହିଁ । ଭାସ୍କରବିମ୍ୱତଳରେ ଯେଉଁ ଦେଶ ଉର୍ବରତମ ବୋଲି ପ୍ରଖ୍ୟାତ, ସେଠାକୁ ମୁଁ ତୁମ୍ଭମାନଙ୍କୁ ଘେନିଯିବାକୁ ଆସିଅଛି । ସମୃଦ୍ଧିମନ୍ତ ନଗରମାନ ଶୀଘ୍ର ତୁମ୍ଭମାନଙ୍କର କରାୟତ୍ତ ହେବ ଏବଂ ପୁଷ୍କଳ ଧନ ଓ କୀର୍ତ୍ତି ତୁମ୍ଭେମାନେ ଅର୍ଜନ କରିବ । ସୈନିକବର୍ଗ ! ଏତେବେଳେ କି ତୁମ୍ଭେମାନେ ସାହସବର୍ଜିତ ହେବ ?’’ ଏହି ଉତ୍ସାହପୂର୍ଣ୍ଣ ବାକ୍ୟମାନ ଶୁଣନ୍ତେ ଇତାଲୀୟ ସୌନ୍ୟବର୍ଗଙ୍କର ସାହସ ପୁନରୁଦ୍ଦୀପତି ହେଲା ।

 

୧୭୯୬ ଅବ୍ଦର ଏପ୍ରିଲ ମାସ ଏଗାର ତାରିଖରେ ନେପୋଲିଅନ୍‌ ଅଷ୍ଟ୍ରୀୟାର ସୌନ୍ୟମାନଙ୍କୁ ମଣ୍ଟିନଣ୍ଟ ନାମକ ସ୍ଥାନରେ ପ୍ରଥମବାର ଭେଟି ସେମାନଙ୍କୁ ପରାସ୍ଥ କଲେ ଏବଂ ଏକ ମାସମଧ୍ୟରେ ସିଲେସିମୋ, ମଣ୍ଡୋଭୀ, ଲୋଡ଼ି ନାମକ ସ୍ଥାନତ୍ରୟରେ ତିନିଗୋଟି ତୁମୁଳ ସଂଗ୍ରାମରେ ଅଷ୍ଟ୍ରୀୟାର ସମସ୍ତ ବଳ ଏବଂ ଦର୍ପ ଏକାବେଳକେ ଚୂର୍ଣ୍ଣ କରିଦେଲେ । ସମସ୍ତ ଲମ୍ୱାର୍ଡ଼ୀ ବର୍ତ୍ତମାନ ତାହାଙ୍କର ପାଦାନତ ହେଲା । ଏହି ସମୟରେ ନେପୋଲିଅନ୍‌ ଫ୍ରାନ୍‌ସର ସାଧାରଣତନ୍ତ୍ରକର୍ତ୍ତୃକ ଆଦିଷ୍ଟ ହୋଇ ଅତ୍ୟନ୍ତ ଅନ୍ୟାୟରୂପେ ଇତାଲୀର ପ୍ରଧାନ ନଗରମାନଙ୍କର ଧନରାଶି ଏବଂ ଛବି ଓ ମୂର୍ତ୍ତି ପ୍ରଭୃତି ଉତ୍କୃଷ୍ଟ ଶିଳ୍ପମାନ ଲୁଣ୍ଠିତ କରାଇ ପାରୀନଗରୀକୁ ପ୍ରେରଣ କରିଥିଲେ । ବିଜିତ ଜାତି ଉପରେ ଏପରି ଦୌରାତ୍ମ୍ୟ ଏବଂ ଅତ୍ୟାଚାର କରିବା କେବଳ ବନ୍ୟ ଏବଂ ଅସଭ୍ୟ ଜାତିମାନଙ୍କୁ ଶୋଭା ପାଇପାରେ । ଅତଏବ ଫ୍ରାନ୍‌ସର ସାଧାରଣତନ୍ତ୍ର ଏପରି ବିଗର୍ହିତ ଏବଂ ଲଜ୍ଜାଜନକ କାର୍ଯ୍ୟଦ୍ୱାରା ସ୍ୱଦେଶ ଏବଂ ସ୍ୱଜାତିକୁ ସଭ୍ୟଜଗତରେ ନୟନରେ କଳଙ୍କିତ କରିଥିଲା ମାତ୍ର ।

 

ପୂର୍ବୋକ୍ତ ଲୋଡ଼ିଯୁଦ୍ଧ ଉତ୍ତାରେ ନେପୋଲିଅନ୍‌ ସ୍ୱୀୟ ସୌନ୍ୟବର୍ଗଙ୍କ ସମୀପରେ ନିମ୍ନଲିଖିତ ଭାବରେ ଘୋଷଣା ପ୍ରଚାର କରିଥିଲେ ।

 

‘‘ହେ ସୌନ୍ୟବର୍ଗ ! ତୁମ୍ଭେମାନେ ବେଗବତୀସ୍ରୋତସ୍ୱତୀତୁଲ୍ୟ ବହିର୍ଗତ ହୋଇ ପଥବର୍ତ୍ତୀ ସମସ୍ତ ପ୍ରତିବନ୍ଧକ ଲଙ୍ଘନ କରି ପୀମଣ୍ଡ ନଗରକୁ ଅଷ୍ଟ୍ରୀୟାର ଉତ୍ପଡ଼ନରୁ ରକ୍ଷାକରିଅଛି ଏବଂ ସମସ୍ତ ଲମ୍ୱାର୍ଡ଼ୀ ପ୍ରଦେଶରେ ଫ୍ରାନ୍‌ସର ଜୟବୈଜୟନ୍ତୀ ଉଡ଼ାଇଅଛି । ତୁମ୍ଭମାନଙ୍କର ବିଜୟବାର୍ତ୍ତା ଶ୍ରବଣ କରି ସମସ୍ତ ଫ୍ରାନ୍‌ସ ଦେଶର ହୃଦୟ ଆନନ୍ଦରେ ନୃତ୍ୟ କରୁଅଛି । ତୁମ୍ଭମାନଙ୍କର ପରିବାର ଏବଂ ବନ୍ଧୁବର୍ଗ ତୁମ୍ଭର ଯଶ ସ୍ମରଣ କରି ଗର୍ବିତ ଏବଂ ଉଲ୍ଲସିତ ହେଉଅଛନ୍ତି ।

 

‘‘ସୈନିକବର୍ଗ ! ତୁମ୍ଭେମାନେ ଅନେକ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିଅଛି ସତ୍ୟ ; କିନ୍ତୁ ଏତେବେଳେ ସୁଦ୍ଧା ଆହୁରି ଅନେକ କାର୍ଯ୍ୟ ପଡ଼ିଅଛି । ଏ ବିଶ୍ରାମର ସମୟ ନୁହେଁ । ଭାବୀ ବଂଶମାନେ କି ଆମ୍ଭମାନଙ୍କୁ ଅଳସପ୍ରକୃତିକୁ ଏବଂ ବିଶ୍ରାମଲୋଲୁପ ବୋଲି ତିରଷ୍କାର କରିବେ ? ନା, ଏହିକ୍ଷଣି ଅସ୍ତ୍ରଧାରଣ କରି ଶତ୍ରୁମାନଙ୍କୁ ଦମନ କରିବାକୁ ହେବ, କେତେ ଅହିତର ପ୍ରତିବିଧାନ କରିବାକୁ ହେବ ଏବଂ ସ୍ୱଦେଶର ଗୌରବ ପରିବର୍ଦ୍ଧନ କରିବାକୁ ହେବ । ଆମ୍ଭମାନଙ୍କର ଶତ୍ରୁମାନେ ଏବେ ତ୍ରସ୍ତ ଏବଂ କମ୍ପିତ ହୁଅନ୍ତୁ । ବୈରସାଧନର ଦୁନ୍ଦୂଭି ଏବେ ନିନାଦିତ କର ।

 

‘‘କିନ୍ତୁ ଇତାଲୀୟ ପ୍ରଜାମାନଙ୍କର ଆମ୍ଭେମାନେ ବୈରୀ ନୋହୁଁ । ବୀରଶ୍ରେଷ୍ଠ ସିପିୟୋ, ସିଜିର ପଭୃତିଙ୍କର ବଂଶଧରମାନଙ୍କ ଉପରେ ଆମ୍ଭେମାନେ ଉତ୍ପୀଡ଼ନ କରିବୁ ନାହିଁ । ରୋମ ନଗରିର ଅସ୍ତଗତ ସୌଭାଗ୍ୟଭାନୁର ପୁନରାନୟନ, ତହିଁର ଚିରସ୍କରଣୀୟ ଜଗଦ୍‌ବନ୍ଦ୍ୟ ବୀରେନ୍ଦ୍ରମାନଙ୍କର ମୂର୍ତ୍ତି ସଂସ୍ଥାପନ, ଦାସତ୍ୱଜର୍ଜରିତ ରୋମକମାନଙ୍କର ପୁନରୁଦ୍ଧାର ଏହି ସୁମହତ୍‌ କାର୍ଯ୍ୟମାନ ଆମ୍ଭମାନଙ୍କୁ ସାଧନ କରିବାକୁ ହେବ । ସୌନିକବର୍ଗ ! ପତିତ ଇତାଲୀର ଊଦ୍ଧାରବିଧାନ କଲେ ତୁମ୍ଭେମାନେ ନିଜେ ଅକ୍ଷୟ ଅମୃତ ଯଶ ଲାଭ କରିବ ଏବଂ ପ୍ରିୟତମ ଫ୍ରାନ୍‌ସକୁ ମଧ୍ୟ ଜାତୀୟ ଗୌରବ ମଞ୍ଚର ଉଚ୍ଚତମ ସୋପାନରେ ଅଧିରୂଢ଼ କରାଇବ ।’’

 

ପରାଜିତ ଅଷ୍ଟ୍ରୀୟା ପୁନର୍ବାର ସମରସଜ୍ଜା କରିବାକୁ ଲାଗିଲା । ଜୁଲାଇ ମାସର ଅବସାନ ସମୟକୁ ଉରମସର ନାମକ ଜଣେ ଅଷ୍ଟୀୟ ସେନାପତି ଷଷ୍ଟୀ ସହସ୍ର ସୈନ୍ୟ ଘେନି ପୁନର୍ବାର ଇତାଲୀ ଭୂମିରେ ଉପସ୍ଥିତ ହେଲେ । ନେପୋଲିଅନ୍‌ ସେତେବେଳେ ମାଞ୍ଜୁଆ ନଗରର ଅବରୋଧରେ ନିଯୁକ୍ତ ଥିଲେ । ଶତ୍ରୁକର୍ତ୍ତୃକ ଆକ୍ରାନ୍ତ ହେବାକୁ ତାଙ୍କୁ ଅବରୋଧ କାର୍ଯ୍ୟ ପରିତ୍ୟାଗ କରିବାକୁ ପଡ଼ିଲା । ଯାହା ହେଉ, ଫରାସିସ୍‌ ସୈନ୍ୟବର୍ଗ ଅଳ୍ପ ଦିବସ ମଧ୍ୟରେ ଦୁଇଗୋଟି ଯୁଦ୍ଧରେ ଅଷ୍ଟ୍ରୀୟମାନଙ୍କୁ ପରାଭୂତ କଲେ ଏବଂ ସେମାନଙ୍କର ଅଧିକାଂଶ ସୈନ୍ୟ ସଂହାର କଲେ । ଆଶ୍ଚର୍ଯ୍ୟର ବିଷୟ ଷହି ଯେ, ଅଷ୍ଟ୍ରୀୟା ଏତେବେଳଯାଏ ସୁଦ୍ଧା ହତୋତ୍ସାହ ହୋଇନଥିଲା । ତୃତୀୟବାର ପଞ୍ଚାଶତ୍‌ ସହସ୍ର ସୈନ୍ୟ ପୁନଃ ପ୍ରେରିତ ହୁଅନ୍ତେ ଭାଷଣ ସଂଗ୍ରାମ ଉପସ୍ଥିତ ହେଲା । ନେପୋଲିଅନ୍‌ଙ୍କର ସୈନ୍ୟମାନେ ଯତ୍‌ପରୋନାସ୍ତି ଶ୍ରାନ୍ତ ହୋଇଥିଲେ ଏବଂ ସେ ନିଜେ ଅଷ୍ଟ୍ରୀୟାର ପ୍ରଭୂତ ଶକ୍ତି ଏବଂ ବୀର୍ଯ୍ୟ ସନ୍ଦର୍ଶନ କରି ହତାଶପ୍ରାୟ ହୋଇଥିଲେ । ପ୍ରଥମେ ଅଷ୍ଟୀୟ ସୈନ୍ୟବର୍ଗ ଫରାସିସ୍‌ମାନଙ୍କୁ ପାରଭୂତ କରିଥିଲେ; କିନ୍ତୁ ଅବଶେଷରେ ନେପୋଲିଅନ୍‌ ସ୍ୱୀୟ ସୈନ୍ୟମାନଙ୍କୁ ନାନାପ୍ରକାରେ ଉତ୍ତେଜିତ କରି ତିନିଦିନ ପର୍ଯ୍ୟନ୍ତ ଘୋର ଯୁଦ୍ଧ ହେଲା ଉତ୍ତରେ ନଭେମ୍ବର ମାସ ୧୭ ତାରିଖରେ ଶତ୍ରୁକୁ ସମ୍ପୂର୍ଣ୍ଣରୂପେ ପରାସ୍ତକଲେ । ଏହି ଯୁଦ୍ଧରେ ଅଷ୍ଟ୍ରିୟାର ବହୁ ରଣବିଶାରଦ ଯୋଦ୍ଧାମନେ ନିହତ ହୋଇଥିଲେ । ଏହି ସଂଗ୍ରାମର ବୃତ୍ତାନ୍ତ ପ୍ରଚାରିତ ହୁଅନ୍ତେ ସମସ୍ତେ ଇଉରୋପ ଭୟରେ କମ୍ପୀତ ହେବାକୁ ଲାଗିଲା ଏବଂ ନେପୋଲିଅନ୍‌ଙ୍କର ଅଲୌକିକ କୀର୍ତ୍ତି ଏବଂ ସାହସର ଆଖ୍ୟାନ ପାଠକରି ସମୁଦାୟ ପୃଥିବୀ ଚକିତ ହେଲା ।

 

୧୭୯୭ ଅବ୍ଦର ଜାନୁୟାରୀ ମାସରେ ଅଷ୍ଟ୍ରୀୟା ଚତୁର୍ଥବାର ଯୁଦ୍ଧ ନିମିତ୍ତ ପଞ୍ଚାଶତ୍‌ ସହସ୍ର ସୈନ୍ୟ ପ୍ରେରଣ କଲା । ଏଥର ସୁଦ୍ଧା ତାହାକୁ ଦୁର୍ଭାଗ୍ୟବଶତଃ ପରାଜୟ ସ୍ୱିକାର କରିବାକୁ ହୋଇଥିଲା । ଅଷ୍ଟ୍ରୀୟା ଶେଷବାର ସ୍ୱୀୟ ଭାଗ୍ୟ ପରୀକ୍ଷା କରିବା ନିମନ୍ତେ ଆହୁରି ଥରେ ଯୁଦ୍ଧର ଆୟୋଜନ କରିବାକୁ ଲାଗିଲା ଏବଂ ଏହି ଉଦ୍ଦେଶ୍ୟରେ ସୁବିଖ୍ୟାତ ସେନାପତି ରାଜପୁତ୍ର ଚାର୍ଲସଙ୍କୁ ଅଧିନାୟକ ପଦରେ ବରଣ କରି ତାଙ୍କ ସଙ୍ଗରେ ବହୁସଂଖ୍ୟକ ସୈନ୍ୟ ପ୍ରରଣ କଲା । ଫ୍ରାନ୍‌ସ ମଧ୍ୟ ନେପୋଲିଅନ୍‌ଙ୍କ ସାହାଯ୍ୟାର୍ଥେ ବିଂଶତି ସହସ୍ର ସୈନ୍ୟ ପ୍ରେରଣ କରିଥିଲା । ୧୭୯୭ ସାଲର ମାର୍ଚ୍ଚ ମାସ ୧୨ ତାରିଖରେ ସଂଗ୍ରାମ ଆରବ୍‌ଧ ହେଲା । ବିଂଶତି ଦିନ ମଧ୍ୟରେ ଦଶଗୋଟି ଯୁଦ୍ଧ ହୋଇଥିଲା । ରାଜପୁତ୍ର ଚାର୍ଲସ ସ୍ୱଦେଶଗୌରବ ରକ୍ଷା ନିମିତ୍ତ ଅବିଶ୍ରାନ୍ତ ଯତ୍ନ କରିଥିଲେ; ମାତ୍ର ତାଙ୍କର ସମସ୍ତ ଶ୍ରମ ବିଫଳ ହେଲା । ତାଙ୍କର ଅଧିକାଂଶ ସୈନ୍ୟବର୍ଗ ନିହତ ହେବାରୁ ସେ ଇତାଲୀକୁ ପ୍ରତ୍ୟାବର୍ତ୍ତନ କଲେ । ଏଣେ ନେପୋଲିଅନ୍‌ ପର୍ବତରାଜ ଆଲପସ୍‌ ଗିରିକୁ ସସୈନ୍ୟରେ ଅତିକ୍ରମ କରି ଅଷ୍ଟ୍ରୀୟାର ରାଜଧାନୀ ଭିୟୋନା ନଗର ଅଭିମୁଖରେ ଧାବମାନ ହେଲେ । ଏହି ବାର୍ତ୍ତା ଶ୍ରବଣ କରି ଅଷ୍ଟ୍ରୀୟାର ରାଜପରିବାର ତ୍ରସ୍ତ ହୋଇ ରାଜଧାନୀ ପରିତ୍ୟାଗ କରି ହଙ୍ଗେରୀ ପ୍ରଦେଶକୁ ପଳାୟନ କଲେ । ଅବଶେଷରେ ସନ୍ଧି ପ୍ରସ୍ତାବିତ ହେଲା ଏବଂ ଉଭୟ ପକ୍ଷ ଯୁଦ୍ଧରୁ ନିବୃତ୍ତ ହେଲେ । ପୂର୍ବୋଲ୍ଲିଖିତ ଯୁଦ୍ଧମାନଙ୍କରେ ନେପୋଲିଅନ୍‌ କୌଶଳ, ଅଧ୍ୟବସାୟ ଏବଂ ବୀରପଣର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

 

ଇତିମଧ୍ୟରେ ଭିନିସ୍‌ ନଗର ଫ୍ରାନ୍‌ସ ବିରୁଦ୍ଧରେ ଯୁଦ୍ଧୋଦ୍‌ଘୋଷଣ କରି ନେପୋଲିଅନ୍‌ଙ୍କର ହସ୍ତଗତ କେତେକ ସ୍ଥାନକୁ ଅବରେଧ କଲା ଏବଂ ତାଙ୍କର କତିପୟ ରୋଗଶଯ୍ୟାଶାୟୀ ସୈନିକଙ୍କୁ ବଧାକଲା । ନେପୋଲିଅନ୍‌ ଏହି ବାର୍ତ୍ତା ଶ୍ରବଣ କରି ଭୀଷଣ ବେଗରେ ଭିନିସ୍‌ ଅଭିମୁଖରେ ପ୍ରଧାବିତ ହେଲେ ଏବଂ ଏକ ସପ୍ତାହ ମଧ୍ୟରେ ଉକ୍ତ ନଗରକୁ ଅଧିକାର କରି ତହିଁରେ ଅଭିନବ ଶାସନ ପ୍ରଣାଳୀ ପ୍ରତିଷ୍ଟିତ କଲେ । ନେପୋଲିଅନ୍‌ ବର୍ତ୍ତମାନ ଇତାଲୀକୁ ଅଷ୍ଟ୍ରେୟାର କବଳରୁ ମୁକ୍ତ କରି ଭିନିସ୍‌ର ଗର୍ବକୁ ଖର୍ବ କରି, ଯଥେଚ୍ଛାଚାରୀ ଇଉରୋପୀୟ ରାଜନ୍ୟବର୍ଗଙ୍କ ଚିତ୍ତରେ ଘୋର ତ୍ରାସକୁ ଉପୁଜାଇ, ଇତାଲୀୟମାନଙ୍କ ସୁଶିକ୍ଷା ଏବଂ ବାଣିଜ୍ୟୋନ୍ନତି ନିମିତ୍ତ ଅନେକଗୁଡିଏ ସଦୁପାୟ ଅବଧାରଣ କରି ଏବଂ ଫ୍ରାନ୍‌ସର ନାମକୁ ଅବିନଶ୍ୱର କୀର୍ତ୍ତିମାଳାରେ ବିଭୂଷିତ କରି ନିଜ ହୃଦୟ-ପ୍ରଣୟିନୀ ଜୋସେଫିନ୍‌ଙ୍କର ସଙ୍ଗରେ ପାରୀ ନଗରକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ସେଠାରେ ଅତ୍ୟନ୍ତ ସମାଦର ଓ ଆଗ୍ରହସହକାରେ ଗୃହୀତ ହେଲେ । ଫ୍ରାନ୍‌ସର ପ୍ରଧାନତମ ବ୍ୟକ୍ତିମାନେ ଇତାଲୀର ଉଦ୍ଧାରକର୍ତ୍ତାଙ୍କ ସହିତ ଆଳାପ କାରିବାପାଇଁ ତାଙ୍କର ଦ୍ୱାରସ୍ଥ ହୋଇଥିଲେ ।

 

ଏଥିଉତ୍ତାରେ ସାଧାରଣତନ୍ତ୍ରର ଶାସନୀସଭା ଇଂଲଣ୍ଡକୁ ଆକ୍ରମଣ କରିବାର କଳ୍ପନା କରି ନେପୋଲିଅନ୍‌ଙ୍କଠାରେ ଏହି କଠିନ କାର୍ଯ୍ୟର ଭାର ନ୍ୟସ୍ତ କଲେ । ନେପୋଲିଅନ୍‌ ଫ୍ରାନ୍‌ସର ଉପକୂଳରେ ରହି ସ୍ୱଦେଶ ଏବଂ ଇଂଲଣ୍ଡ ଉଭୟର ରଣତରୀ ବିଷୟକ ତତ୍ତ୍ୱମାନ ଅଭିନିବେଶ ସହକାରେ ଆଲୋଚନା କଲେ । ଅବଶେଷରେ ସେ ଏହି ସିଦ୍ଧାନ୍ତରେ ଉପନିତ ହେଲେ ଯେ ଇଂଲଣ୍ଡକୁ ଜୟ କରିବାର କଳ୍ପନା ନିତ୍ୟାନ୍ତ ଅସାର ଏବଂ ଅସଙ୍ଗତ ଅଟେ । ତେଣୁ ସେ ପ୍ରୋକ୍ତ ଶାସନୀସଭାକୁ ଇଂଲଣ୍ଡ ଆକ୍ରମଣ ବ୍ୟାପାରରୁ ନିବୃତ୍ତ କରାଇଲେ । ତଦନନ୍ତର ଶାସନୀସଭାର ଅଦେଶ ଅନୁସାରେ ନେପୋଲିଅନ୍‌ ତ୍ରିଂଶତ୍‌ ସହସ୍ର ସୈନ୍ୟ ଘେନି ଇଜିପ୍ତ ଜୟବାସନାର ବଶବର୍ତ୍ତୀ ହୋଇ ୧୭୯୮ ଅବ୍ଦର ମୋ ମାସରେ ସମୁଦ୍ରପଥରେ ଇଜିପ୍ତ ଅଭିମୁଖରେ ଯାତ୍ରା କଲେ । ଏହି ସମୟରେ ଇଜିପ୍ତ ଅଧିଶ୍ୱର ତୁରୁଷ୍କ ସୁଲତାନଙ୍କ ସଙ୍ଗରେ ଫ୍ରାନ୍‌ଦର ମିତ୍ରତା ଥିଲା । ସୁତାରାଂ ଏପରି ଅବସ୍ଥାରେ ତାଙ୍କର ଅଧିନ ପ୍ରଦେଶ ଆକ୍ରମଣ କରିବା ଫ୍ରାନ୍‌ସ ପକ୍ଷରେ ସଂପୂର୍ଣ୍ଣରୂପେ ନୀତିବିଗର୍ହିତ ହୋଇଥିଲା । ନେପୋଲିଅନ୍‌ ଆଲେକ୍‌ଜାନ୍ଦିୟା ନଗରରେ ଉପନୀତ ହୋଇ ଇଜିପ୍ତଦେଶୀୟ ପ୍ରଜାବର୍ଗର ଅବଗତି ନିମିତ୍ତ ନିମ୍ନଲିଖିତ ଘୋଷଣା ପ୍ରଚାର କଲେ :

 

‘‘ହେ ମିଶରବାସିବର୍ଗ ! ଆମ୍ଭେ ତୁମ୍ଭମାନଙ୍କର ଧର୍ମ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆସିନାହୁଁ । ତୁମ୍ଭର ସ୍ୱତ୍ୱାପହାରକମାନଙ୍କୁ ମମୁଚିତ ଶାସ୍ତି ପ୍ରଦାନ କରିବା ଆରମ୍ଭ ଆଗମନର ଉଦ୍ଦେଶ୍ୟ । ଈଶ୍ୱରଙ୍କର ପୟଗମ୍ବର ମହମ୍ମଦ ଏବଂ ଧର୍ମଶାସ୍ତ୍ର କୋରାନ୍‌ ଏତଦୁଭୟକୁ ଆମ୍ଭେ ସଂପୂର୍ଣ୍ଣରୂପେ ସମାଦର କରୁଁ । ତୁମ୍ଭେମାନେ ପ୍ରତାରକମାନଙ୍କ କଥାରେ ପଡ଼ି ଆମ୍ଭର ବିରୋଧୀ ନ ହୁଅ । ଯେଉଁମାନେ ଅପହାରକମାନଙ୍କର ଅନୁକୂଳ ହୋଇ ଆମ୍ଭ ବିରୁଦ୍ଧରେ ଶାସ୍ତ୍ର ଗ୍ରହଣ କରିବେ, ସେମାନଙ୍କର ତ୍ରାହିଁ ନାହିଁ ।’’

 

ନେପୋଲିଅନ୍‌ କେରୋ ନଗର ଆଡ଼କୁ ଅଗ୍ରସର ହୋଇ ଜୁଲାଇ ମାସ ୨୧ ତାରିଖରେ ପିରାମିଡ଼ ଯୁଦ୍ଧରେ ଶତ୍ରୁମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କଲେ । ତଦନ୍ତର ରାଜଧାନୀରେ ପ୍ରବେଶ କରି ମିଶର ଦେଶର ଶାସନ ପ୍ରଣାଳୀକୁ ସଂଶୋଧିତ ଏବଂ ପରିବର୍ତ୍ତିତ କଲେ । ଇତିମଧ୍ୟରେ ନେଲସନ୍‌ନାମା ଇଂଲଣ୍ଡର ସୁବିଖ୍ୟାତ ସାମୁଦ୍ରିକ ସେନାନୀ ଆବୁକର ଉପସାଗରରେ ଫରାସିସ୍‌ ରଣତରୀମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାଜିତ ଏବଂ ବିଧ୍ୱସ୍ତ କରିଥିଲେ । ମିଶରର ରାଜଧାନୀ କେରୋ ନଗରରେ ମଧ୍ୟ ନାନାପ୍ରକାର ଉପଦ୍ରବ ସଂଘଟିତ ହେବାକୁ ଲାଗିଲା । ନେପୋଲିଅନ୍‌ ଏହିପ୍ରକାରେ ଉଦ୍‌ବେଜିତ ହୋଇ ମିଶର ଦେଶରେ କେତେକ ସୈନ୍ୟ ରଖି ସୁବିସ୍ତୀର୍ଣ୍ଣ ମରୁପ୍ରାନ୍ତର ମଧ୍ୟଦେଇ ସିରିଆ ପ୍ରଦେଶକୁ ଗମନ କଲେ ଏବଂ ତତ୍ରତ୍ୟ ଜାଫା ଦୁର୍ଗକୁ ଅଧିକାର କରି ଏକର ନାମକ ପ୍ରସିଦ୍ଧ ଦୁର୍ଗର ଅବରେଧ କାର୍ଯ୍ୟରେ ବ୍ୟାପୃତ ହେଲେ । ଅନେକ ଦିବସ ପର୍ଯ୍ୟନ୍ତ ଅବରୁଦ୍ଧ ହୋଇ ସୁଦ୍ଧା ଏକର ନଗର ନେପୋଲିଅନ୍‌ଙ୍କର ହସ୍ତଗତ ହେଲାନାହିଁ । ସୁତରାଂ ବିଫଳପ୍ରଯତ୍ନ ହୋଇ ତାହାଙ୍କୁ ସିରିଆରୁ ବାହୁଡ଼ି ଆସିବାକୁ ହେଲା । ଜୁଲାଇ ମାସ ୨୫ ତାରିଖରେ ନେପୋଲିଅନ୍‌ ତୁରୁଷ୍କ ସୁଲତାନଙ୍କକର୍ତ୍ତୁକ ପ୍ରେରିତ ଅଷ୍ଟାଦଶ ସହସ୍ର ସୈନ୍ୟଙ୍କୁ ଆବୁକର ନାମକ ସ୍ଥାନରେ ପରାଭୂତ କଲେ । ଏହି ସମୟରେ ଫ୍ରାନ୍‌ସ ଏବଂ ଇତାଲୀର ନାନାବିଧ ଉପଦ୍ରବ ଘଟିବାର ସମ୍ବାଦ ତାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେ ସୈନ୍ୟବର୍ଗଙ୍କୁ ମିଶରରେ ରଖି କତିପୟ ଅନୁଚର ସମଭିବ୍ୟାହାରରେ ସମୁଦ୍ରମାର୍ଗରେ ଇଉରୋପ ଆଡ଼କୁ ଯାତ୍ରାକଲେ । ଏହି ସମୟରେ ଫ୍ରାନ୍‌ସବୈରୀ ଇଂଲଣ୍ଡର ରଣତରୀମାନ ଭୂମଧ୍ୟସାଗର ମଧ୍ୟରେ ଶତ୍ରୁ ଅନ୍ୱେଷଣରେ ଭ୍ରମଣ କରୁଥିଲେ । ଏଣୁ ନେପୋଲିଅନ୍‌ଙ୍କର ଶତ୍ରୁହସ୍ତରେ ପତିତ ହେବାର ବିଲକ୍ଷଣ ଆଶଙ୍କା ଥିଲା । ଯାହାହେଉ ନେପୋଲିଅନ୍‌ ଅପୂର୍ବ ଧୈର୍ଯ୍ୟ ଏବଂ କୌଶଳ ସହକରେ ସମସ୍ତ ବିଘ୍ନ ଅତିକ୍ରମ କରି ଅକ୍‌ଟୋବର ମାସରେ ପାରୀ ନଗରୀରେ ପ୍ରବିଷ୍ଟ ହେଲେ । ସେ ସମୟରେ ପୂର୍ବୋଲିଖିତ ଶାସନୀସଭାର ଦୁର୍ବୁଦ୍ଧିତା ଯୋଗୁଁ ଫ୍ରାନ୍‌ସରୁ ଶାନ୍ତି ପଳାୟନ କରିଥିଲା ଏବଂ ନୂତନ ରାଷ୍ଟ୍ରବିପ୍ଳବ ଆରବ୍‌ଧ ପ୍ରାୟ ହୋଇଥିଲା । ନେପୋଲିଅନ୍‌ ସମସ୍ତ ବିଷୟ ପର୍ଯ୍ୟୋଲଚନା କରି କତିପୟ ବନ୍ଧୁମାନଙ୍କ ସହାୟତାରେ ଶାସନୀସଭାକୁ ରହିତ କଲେ ଏବଂ ଅଭିନବ ଶାସନ ପ୍ରତିଷ୍ଠାପିତ କଲେ-। ନୂତନ ବନ୍ଦୋବସ୍ତ ଅନୁସାରେ ନେପୋଲିଅନ୍‌ ପ୍ରଧାନତମ ରାଜପୁରୁଷ ପଦରେ ନିଯୁକ୍ତ ହୋଇ କୌଶଳକ୍ରମେ ଧନାଗମର ନାନା ପନ୍ଥା ଉଦ୍‌ଘାଟନ କରି ରାଜକୋଷକୁ ପରିପୂର୍ଣ୍ଣ କଲେ; ଅନେକ ପ୍ରକାର ଉତ୍ପୀଡ଼କ ଆଇନମାନ ରହିତ କଲେ ଏବଂ ବିନାପରାଧରେ ନିର୍ବାସିତ ଦେଶହିତୈଷୀ ମହାତ୍ମାମାନଙ୍କୁ ଫ୍ରାନ୍‌ସକୁ ପୁନରାନୟନ କରି ସେମାନଙ୍କୁ ଉଚ୍ଚପଦରେ ପ୍ରତିଷ୍ଠିତ କଲେ ।

 

ପୂର୍ବୋକ୍ତ ପ୍ରକାର କାର୍ଯ୍ୟ କଳାପ ଦ୍ୱାରା ନେପୋଲିଅନ୍‌ଙ୍କର ଅସାମାନ୍ୟ ପ୍ରତିଭା ବିପ୍ଳବୋପଦ୍ରୁତ ଫ୍ରାନ୍‌ସ ଦେଶରେ ଶାନ୍ତି ସଂସ୍ଥାପନ କରି ତାହାର ଅରାତିବର୍ଗଙ୍କୁ ପୁନର୍ବାର ଦମନ କରିବା ନିମିତ୍ତ ନବୀନ ଉପାୟମାନ କଳ୍ପନା କରିବାକୁ ଲାଗିଲା । ନେପୋଲିଅନ୍‌ ଅତିଶୟ କ୍ଷିପ୍ର ଏବଂ ଗୁପ୍ତ ଭାବରେ ଜେନିଭା ହ୍ରଦତଟରେ ୩୬,୦୦୦ ସୈନ୍ୟ ସଂଗ୍ରହ କରି ଅଷ୍ଟ୍ରୀୟାର ଶତ୍ରୁତାର ପ୍ରତିଶୋଧ କରିବା ଆଶୟରେ ୧୮୦୦ ଅବ୍ଦର ମେ ମେସ ୧୩ ତାରିଖ ଦିନ ଆଲ୍‌ପସରୂପ ଦୁର୍ଗମ ଏବଂ ଦୁରତିକ୍ରମଣୀୟ ପ୍ରତିବନ୍ଧକ ଲଙ୍ଘନ କରିବାକୁ ଆରମ୍ଭ କଲେ ଏବଂ ଅଦ୍ଭୁତ କୌଶଳ ଓ ସାହସ ସହକାରେ ତାହାକୁ ପାର ହୋଇ ଜୁନ୍‌ ମାସର ପ୍ରାରମ୍ଭରେ ମିଲାନ ନଗରକୁ ଅଧିକାର କଲେ । ସେହି ମାସର ୧୪ ତାରିଖରେ ମାରେଙ୍ଗୋ ନାମକ ପ୍ରଖ୍ୟାତ ସମରରେ ଅଷ୍ଟ୍ରୀୟମାନଙ୍କୁ ସମୂର୍ଣ୍ଣରୂପେ ପରାସ୍ତ କରି ସେମାନଙ୍କଠାରୁ ସମସ୍ତ ଲମ୍ବାଡ଼ି ପ୍ରଦେଶ ଦ୍ୱିତୀୟବାର ଅଧିକାର କଲେ-। ଅବଶେଷରେ ଅଷ୍ଟ୍ରିୟମାନେ ସର୍ବତୋଭାବେ ପରାଭୂତ ହୋଇ ୧୮୦୧ ଅବ୍ଦର ଫେବୃୟାରୀ ମାସରେ ଫ୍ରାନ୍‌ସ ସଙ୍ଗରେ ସନ୍ଧି କଲେ । ଏହି ସମୟରେ ଇଂଲଣ୍ଡ ଏବଂ ଫ୍ରାନ୍‌ସ ମଧ୍ୟରେ ସନ୍ଧି ସ୍ଥାପନ କରିବାର ଉଦ୍ୟମ ହୋଇଥିଲା ଏବଂ ୧୮୦୨ ଅବ୍ଦର ମାର୍ଚ୍ଚ ମାସରେ ଉଭୟ ଦେଶ ଚିର ବୈରଭାବର ପ୍ରଭୂତ ଅନିଷ୍ଟକାରିତା ହୃଦୟଙ୍ଗମ କରି ସନ୍ଧି ସ୍ୱାକ୍ଷର କଲେ ।

 

ପୂର୍ବୋଲିଖିତ କରାଳ ରାଷ୍ଟ୍ରବିପ୍ଳବ ସମୟରେ ଫରାସିସ୍‌ମାନେ ଏପରି ଉନ୍ମତ୍ତ ଏବଂ ବିବେକଶୂନ୍ୟ ହୋଇଥିଲେ ଯେ ସେମାନେ ଧର୍ମ ଓ ଇଶ୍ୱରବିଶ୍ୱାସିକୁ ପ୍ରକାରାନ୍ତରେ ସମାଜବକ୍ଷରୁ ଉତ୍ପାଟିତ କରିଥିଲେ । ନେପୋଲିଅନ୍‌ ନାସ୍ତିକାର ଏପରି ଭୟାନକ ପ୍ରଚାର ସନ୍ଦର୍ଶନ କରି ଈଶ୍ୱରୋପାସନା ପୂନର୍ବାର ପ୍ରତିଷ୍ଠିତ କରିବା ନିମିତ୍ତ ଐକାନ୍ତିକ ଯତ୍ନ କରିବାକୁ ଲାଗିଲେ ଏବଂ ସ୍ୱଳ୍ପକାଳ ମଧ୍ୟରେ ଫରାସିସ୍‌ମାନଙ୍କ ହୃଦୟରେ ମାନବାତ୍ମାର ଅବିନଶ୍ୱର ଧର୍ମଭାବ ପୁନର୍ବାର ଜାଗ୍ରତ ହେଲା । ଧର୍ମମନ୍ଦିରମାନ ପୁନର୍ବାର ଈଶ୍ୱରଙ୍କ ନାମଧ୍ୱନିରେ ନିନାଦିତ ହେବାକୁ ଲାଗିଲା । ଅନନ୍ତର ନେପୋଲିଅନ୍‌ କତିପୟ ବ୍ୟବସ୍ଥା-ଶାସ୍ତ୍ରଜ୍ଞ ପଣ୍ଡିତମାନଙ୍କ ସାହାଯ୍ୟରେ ଫ୍ରାନ୍‌ସର ସମସ୍ତ ଆଇନକୁ ସଂଶୋଧିତ ଏବଂ ସଂହିତାବଦ୍ଧ କଲୋ ଊହି ସଂହିତା ‘ନେପୋଲିଅନ୍‌ ସଂହିତା’ ନାମରେ ଆଜିଯାଏ ଅଭିହିତ ହେଉଅଛି । ସେ ଏହି ସମୟରେ ଜାତୀୟଶିକ୍ଷାର ଉନ୍ନତିବିଧାନାଶୟରେ ଫ୍ରାନ୍‌ସରେ ଅନେକ ବିଜ୍ଞାନ ବିଦ୍ୟାଳୟ ସଂସ୍ଥାପନ କଲେ । ନାଳ, ସେତୁ, ରାଜମାର୍ଗ, ଚିତ୍ରଶାଳା ପ୍ରଭୃତି ଅନେକ ହିତକର କାର୍ଯ୍ୟ ଏହି ସମୟରେ ଅନୁଷ୍ଠିତ ହୋଇଥିଲା ।

 

ଇଂଲଣ୍ଡ ଏବଂ ଫ୍ରାନ୍‌ସ ମଧ୍ୟରେ ଶାନ୍ତି ବହୁଦିନ ପର୍ଯ୍ୟନ୍ତ ରହିନଥିଲା । ୧୮୦୩ ଅବ୍ଦର ମେ ମାସରେ ପୁନର୍ବାର ଯୁଦ୍ଧ ଉଦ୍‌ଘୋଷିତ ହେଲା । ଇଂରାଜ ରଣତରୀଚୟ ଚତୁର୍ଦ୍ଦିଗରେ ଫ୍ରାନ୍‌ସର ବାଣିଜ୍ୟକୁ ବାଧାଦେବାକୁ ଲାଗିଲା । ଏଣେ ନେପୋଲିଅନ୍‌ ଇଂଲାଣ୍ଡକୁ ଆକ୍ରମଣ କରିବା ଅଭିପ୍ରାୟରେ ସଂଗ୍ରାମସଜ୍ଜା ବିଧାନ କରିବାରେ ବ୍ୟାପୃତ ହେଲେ ଏବଂ ଦେଶସହସ୍ରାଧିକ ଫ୍ରାନ୍‌ସନିବାସୀ ଇଂରେଜଙ୍କୁ କାରାରୁଦ୍ଧ କଲେ । ନେପୋଲିଅନ୍‌ ଇଂରେଜମାନଙ୍କର ଚରିତ୍ର ଏବଂ ଅବସ୍ଥା ବିଷୟରେ ଏପରି ଅନଭିଜ୍ଞ ଥିଲେ ଯେ, ସେ ପ୍ରକାଶ୍ୟରୂପେ କହିଲେ, ‘‘ଆମ୍ଭେ ଇଂଲଣ୍ଡଭୂମିରେ ପଦକ୍ଷେପ କଲାକ୍ଷଣି ଇଂରାଜମାନେ ଆମ୍ଭଙ୍କୁ ମୁକ୍ତିଦାତା ବୋଲି ସମ୍ମାନପୂର୍ବକ ଗ୍ରହଣ କରିବେ ।’’ ଯୁଦ୍ଧସଜ୍ଜାର ଅବସାନ ନୋହୁଣୁ କତିପୟ ବ୍ୟକ୍ତି ନେପୋଲିଅନ୍‌ଙ୍କର ପ୍ରାଣବିନାଶାର୍ଥ ଗୋଟିଏ ଭୟାନକ ଚକ୍ରାନ୍ତ କରିଥିଲେ । ଏହି ଚକ୍ରାନ୍ତ ଧରାପଡ଼ିଲା ଏବଂ ଅପରାଧୀମାନେ ଅତି ନିର୍ଦ୍ଦୟ ଭାବରେ ନିହିତ ହେଲେ । ଏହି ଘଟଣା ଉତ୍ତାରେ ନିଜ ଜୀବନକୁ ଅଧିକତର ନିରାପଦ କରିବା ଆଶୟରେ ନେପୋଲିଅନ୍‌ ସମ୍ରାଟ୍‌ ଉପାଧି ଧାରଣ କରିବାର ଅଭିଳାଷ ପ୍ରକାଶ କଲେ । ଫ୍ରାନ୍‌ସର ପ୍ରାୟ ଯାବତୀୟ ଲୋକ ସ୍ୱଦେଶୀୟ ଶାସନ ପ୍ରଣାଳୀର ଏହି ପ୍ରସ୍ତାବିତ ପରିବର୍ତନ ଅନୁମୋଦନ କରିବାରୁ ନେପୋଲଅନ୍‌ ୧୮୦୪ ଅବ୍ଦର ମେ ମାସରେ ଉକ୍ତ ଉପାଧି ଗ୍ରହଣ କଲେ ଏବଂ ସେହି ବର୍ଷର ଡିସେମ୍ୱର ମାସରେ ପୋପ୍‌କର୍ତ୍ତୃକ ଫ୍ରାନ୍‌ସର ସିଂହାସନରେ ଯଥାବିଧୀ ସସ୍ତ୍ରୀକ ଅଭିଷିକ୍ତ ହେଲେ । ଅନନ୍ତର ୧୮୦୫ ଅବ୍ଦର ମେ ମାସରେ ଉତାଲୀୟ ମନ୍ତ୍ରୀମାନଙ୍କର ପ୍ରାର୍ଥନାମତେ ସେ ରୋମ୍‌ର ଅଧିବେଶ୍ୱର ଏହି ଉପାଧି ଧାରଣ କଲେ ।

 

ରୋମର ଅଧିଶ୍ୱର ପଦରେ ଅଭିଷିକ୍ତ ହୋଇ ପାରୀ ନଗରିକୁ ଲେଉଟି ଆସିବା ମାତ୍ରକେ, ନେପୋଲିଅନ୍‌ ସମ୍ବାଦ ପାଇଲେ ଯେ ତାହାଙ୍କ ଅଧିକାର ବୃଦ୍ଧି ଦର୍ଶନରେ ଭୀତ ହୋଇ ଅଷ୍ଟୀୟା, ଇଂଲାଣ୍ଡ, ରୁଷିୟା ଏବଂ ସ୍ୱିଡ଼େନ ରାଜ୍ୟବୃନ୍ଦ ପୁନର୍ବାର ଯୁଦ୍ଧ କରିବା ପାଇଁ ଉଦ୍‌ଯୁକ୍ତ ଏବଂ ସମ୍ମିଳିତ ହୋଇଅଛନ୍ତି । ଏହି ସମ୍ବାଦ ଶୁଣିଲାକ୍ଷଣି ନେପୋଲିଅନ୍‌ ଇଉରୋପ ମହାଦେଶରେ ଶାନ୍ତିସଂରକ୍ଷଣ କରିବା ଇଉରୋପ ମହାଦେଶରେ ଶାନ୍ତିସଂରକ୍ଷଣ କରିବା ଅଭିପ୍ରାୟରେ ଇଂଲାଣ୍ଡ ଏବଂ ଅଷ୍ଟ୍ରୀୟାକୁ ଯୁଦ୍ଧରୁ ନିବୃତ୍ତ ହେବାପାଇଁ ପ୍ରାର୍ଥନା କଲେ; ମାତ୍ର ତାଙ୍କ କଥା ଶୁଣିଲେ ନାହିଁ । ୧୮୦୫ ଅବ୍ଦର ସେପ୍‌ଟେମ୍ବର ମାସରେ ଯୁଦ୍ଧ ଆରବ୍‌ଧ ହେଲା । ନେପୋଲିଅନ୍‌ ବିସ୍ମୟକର ବେଗରେ ତାଙ୍କର ଦୂରବିକ୍ଷିପ୍ତ ସୈନ୍ୟମାନଙ୍କୁ ସଂଗ୍ରହ କରି ବାଭେରିୟା ପ୍ରଦେଶ ମଧ୍ୟଦେଇ ଯାତ୍ରାକରି ଅଲ୍ମ ନାମକ ସ୍ଥାନରେ ବିପକ୍ଷ ସୌନ୍ୟମାନଙ୍କୁ ପରାସ୍ତ କରି ନଭେମ୍ବର ମାସର ତେର ତାରିଖରେ ଅଷ୍ଟ୍ରୀୟାର ରାଜଧାନୀରେ ପ୍ରବେଶ କଲେ । ଏହି ସମ୍ବାଦ ପ୍ରଚାରିତ ହୁଅନ୍ତେ ସମସ୍ତ ଇଉରୋପ ବିସ୍ମୟରେ ସ୍ତବ୍‌ଧ ହୋଇଗଲା । ଏହା ଅପେକ୍ଷା ଆହୁରି ମହତ୍ତର କୀର୍ତ୍ତି ନେପୋଲିଅନ୍‌ଙ୍କ କର୍ତ୍ତୁକ ସମ୍ପନ୍ନ ହୋଇଥିଲା । ଭିୟେନା ନଗର ଜୟ କରି ନେପୋଲିଅନ୍‌ ଉତ୍ତରାଭିମୁଖରେ ଯାତ୍ରାକଲେ ଏବଂ ଅଷ୍ଟରଲିଜ୍‌ର ବିଖ୍ୟାତ ଯୁଦ୍ଧରେ ରୁଷିୟା ଏବଂ ଅଷ୍ଟ୍ରୀୟାର ସମ୍ମିଳିତ ସୈନ୍ୟକୁ ସର୍ବତୋଭାବେ ପରାସ୍ତ କଲେ । ଏହି ଯୁଦ୍ଧର ପରଦିବସ ଅଷ୍ଟ୍ରୀୟାର ସମ୍ରାଟ୍‌ କାତର ଭାବରେ ନେପୋଲିଅନ୍‌ଙ୍କ ସମକ୍ଷରେ ଉପସ୍ଥିତ ହୋଇ ବିନୟସହକାରେ ସନ୍ଧି ପ୍ରାର୍ଥନା କଲେ । ଡିସେମ୍ବର ମାସର ୨୬ ତାରିଖରେ ପ୍ରେସ୍‌ବର୍ଗ ନାମକ ସ୍ଥାନରେ ସନ୍ଧି ସ୍ୱାକ୍ଷରିତ ହେଲା । ଏହି ସନ୍ଧିଦ୍ୱାରା ଅଷ୍ଟ୍ରୀୟା ଫ୍ରାନ୍‌ସକୁ ସ୍ୱୀୟ ସାମ୍ରାଜ୍ୟର ଅନେକଗୁଡ଼ିଏ ପ୍ରଦେଶ ପ୍ରଦାନ କରିଥିଲା ।

 

୧୮୦୬ ଅବ୍ଦର ପ୍ରାରମ୍ଭରେ ଫ୍ରାନ୍‌ସର ସୈନ୍ୟ ନେପଲ୍‌ସ ପ୍ରଦେଶ ଜୟ କଲେ । ନେପୋଲିୟନ୍‌ ନିଜ ଭ୍ରତାଙ୍କୁ ସେହି ପ୍ରଦେଶର ରାଜପଦ ପ୍ରଦାନ କଲେ । ଉକ୍ତ ଅବ୍ଦର ଜୁନ୍‌ ମାସାରେ ହଲାଣ୍ଡର ରାଜସିଂହାସନ ଶୂନ୍ୟ ହୁଅନ୍ତେ ସେ ଅନ୍ୟ ଏକ ଭ୍ରାତାଙ୍କୁ ତହିଁରେ ବସାଇଲେ । ପ୍ରୁସିୟା ଏତେକାଳଯାଏ ଶାନ୍ତଭାବ ଧାରଣ କରିଥିଲା । ଏବେ ନେପୋଲିଅନ୍‌ଙ୍କ ବିରୁଦ୍ଧରେ ଖଡ୍‌ଗ ଉତ୍ତୋଳନ କଲା ; କିନ୍ତୁ ଏତେବେଳଯାଏ ସୁଦ୍ଧା ନେପୋଲିଅନ୍‌ଙ୍କର ଭାଗ୍ୟସୂର୍ଯ୍ୟ ଅସ୍ତମିତ ହୋଇନଥିଲା । ଅକ୍‌ଟୋବର ମାସର ୧୬ ତାରିଖରେ ଜେନା ନାମକ ଯୁଦ୍ଧକ୍ଷେତ୍ରରେ ନେପୋଲିଅନ୍‌ ପ୍ରୁସିୟାର ସମସ୍ତ ବଳ ଚୂର୍ଣ୍ଣକଲେ । ତଦନନ୍ତର ପ୍ରୁସିୟାର ରାଜଧାନୀ ବର୍ଲିନ୍‌ ନଗରରେ ପ୍ରବେଶ କରି ସେଠାରେ ବାଣିଜ୍ୟସର୍ବସ୍ୱ ଇଂରେଜମାନଙ୍କ ବିରୁଦ୍ଧରେ ଏହି ଅନୁଜ୍ଞା ପ୍ରଚାର କଲେ ଯେ ଇଂରେଜମାନଙ୍କର ବାଣିଜ୍ୟତରୀ ଇଉରୋପୀୟ କୌଣସି ରାଜ୍ୟର ବନ୍ଦର ମଧ୍ୟରେ ପ୍ରବେଶ ଲାଭ କରିପାରିବ ନାହିଁ । କିନ୍ତୁ ଏହି ଉପାୟଦ୍ୱାରା ନେପୋଲିଅନ୍‌ ନିଜ ଉଦ୍ଦେଶ୍ୟ ସାଧନ କରିପାରିନଥିଲେ । ତଦ୍ଦ୍ୱାରା ଇଂଲାଣ୍ଡୀୟ ବାଣିଜ୍ୟର କ୍ଷତି ନହୋଇ ବରଂ ଶ୍ରୀବୃଦ୍ଧି ହୋଇଥିଲ; କାରଣ ଇଂରେଜ ରଣତରୀଚୟ ସାଗର ମଧ୍ୟରେ ପରିଭ୍ରମଣ କରି ଅନ୍ୟଜାତୀୟ ଜାହାଜମାନଙ୍କର ବିଦେଶଗମନ ପ୍ରତିରୋଧ କରିଥିଲେ । ସୁତରାଂ ବୈଦେଶିକ ସାମଗ୍ରୀ ଅଭାବରେ ଇଉରୋପୀୟ ଦେଶମାନଙ୍କୁ ଅତ୍ୟନ୍ତ କଷ୍ଟରେ ପଡିବାକୁ ହୋଇଥିଲା ।

 

ଇତିମଧ୍ୟରେ ରୁଷିୟାର ସୈନ୍ୟବର୍ଗ ପ୍ରୁସିୟାର ସାହାଯ୍ୟାର୍ଥ ଆଗମନ କରୁଥିବାର ସମ୍ବାଦ ପାଇ ନେପୋଲିଅନ୍‌ ଉତ୍ତରାଭିମୁଖରେ ଯାତ୍ରାକରି, ପଥମଧ୍ୟରେ ଅଷ୍ଟ୍ରୀୟାର ପଦାନତ ପୋଲାଣ୍ଡନିବାସୀଙ୍କୁ ସ୍ୱାଧୀନ ହେବାପାଇଁ ଉତ୍ତେଜନା ବାକ୍ୟଦ୍ୱାରା ସମୁତ୍ସାହିତ କରି ରୁଷିୟାର ସୈନ୍ୟକୁ ପଲଟସ୍କ ନାମକ ସ୍ଥାନରେ ଭେଟିଲେ । ଏଠାରେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଉଭୟ ପକ୍ଷ ଏପ୍ରକାର ବୀର୍ଯ୍ୟସହକାରେ ଯୁଦ୍ଧ କରିଥିଲେ ଯେ କେଉଁ ପକ୍ଷ ଜୟୀ ହେଲା, ତାହା ନିର୍ଦ୍ଧାରିତ ହୋଇପାରିଲା ନାହିଁ । ଇତିମଧ୍ୟରେ ସ୍ୱୀୟ ସୈନ୍ୟସଂଖ୍ୟା ବର୍ଦ୍ଧନ କରି ଅଢ଼େଇ ଲକ୍ଷ ସୈନ୍ୟସହକାରେ ନେପୋଲିଅନ୍‌ ରୁଷୀୟମାନଙ୍କୁ ଯୁଦ୍ଧାର୍ଥ ଆହ୍ୱାନ କଲେ । ଫ୍ରିଡ଼ଲାଣ୍ଡ ନାମକ ସ୍ଥାନରେ ଘୋର ସଂଗ୍ରାମ ହେଲା । ରୁଷିୟାର ସୈନ୍ୟନିବହ ଅତି ଭୟଙ୍କରରୂପେ ନେପୋଲିଅନ୍‌ଙ୍କ ସୈନ୍ୟବର୍ଗଙ୍କୁ ବିନାଶ କରିବାକୁ ଲାଗିଲେ । ନେପୋଲିଅନ୍‌ କିଛିମାତ୍ର କାତର ନହୋଇ ନିଜେ ସୈନ୍ୟମାନଙ୍କ ଅଗ୍ରରେ ଦଣ୍ଡାୟମାନ ହୋଇ ନିରାଶପ୍ରାୟ ସୈନ୍ୟମାନଙ୍କୁ ଉତ୍ସାହିତ କଲେ । ତହୁଁ ତାଙ୍କର ସୈନ୍ୟବର୍ଗ ଏପରି ଭୀଷଣ ବେଗରେ ବିପକ୍ଷ ଦଳକୁ ଆକ୍ରମଣ କଲେ ଯେ ଅଳ୍ପକାଳ ମଧ୍ୟରେ ରୁଷୀୟମାନେ ସର୍ବତୋଭାବେ ପାରଭୂତ ହେଲେ । ଏହି ଯୁଦ୍ଧର ଦୁଇଇଦିନ ଉତ୍ତାରେ ରୁଷିୟାର ସମ୍ରାଟ୍‌ ଟିଲସିଟ ନାମକ ସ୍ଥାନରେ ନେପୋଲିଅନ୍‌ଙ୍କ ସଙ୍ଗରେ ସାକ୍ଷାତ୍‌ କଲେ । ଫ୍ରାନ୍‌ସ ଏବଂ ରୁଷିୟା ମଧ୍ୟରେ ସନ୍ଧି ସଂସ୍ଥାପିତ ହେଲା ।

 

ପୂର୍ବୋକ୍ତ ସନ୍ଧି ସମାଧାନାନ୍ତର ନେପୋଲିଅନ୍‌ ପାରୀନଗରିକୁ ପ୍ରତ୍ୟାବର୍ତ୍ତନ କଲେ । ନଗରବାସୀମାନେ ଜୟୋଲ୍ଲାସର ପ୍ରମତ୍ତ ହୋଇ ନାନାବିଧ ଉତ୍ସବରେ କିୟତ୍‌କାଳ ଅତିବାହିତ କଲେ ।

 

ଇଉରୋପୀୟ ରାଜାମାନଙ୍କ ସଙ୍ଗରରେ ବାରମ୍ୱାର ଯୁଦ୍ଧ ଇପସ୍ଥିତ ହେବାରୁ ନେପୋଲିଅନ୍‌ ମନରେ ବିଚାରିଲେ ଯେ କୌଣସି ପ୍ରଧାନ ରାଜପରିବାର ସହିତ ପରିଣୟସୂତ୍ରରେ ସମ୍ୱନ୍ଧ ହେଲେ, ଭବିଷ୍ୟତ ସଂଗ୍ରାମର ସମ୍ଭାବନା ବିରଲ ହୋଇଯିବ। ଆହୁରି ନିଜେ ନିଃସନ୍ତାନ ଥିବାରୁ ଗୋଟିଏ ରାଜବଂଶ ସ୍ଥାପନ କରିବାର ଆକାଙ୍‌କ୍ଷା ପୂର୍ଣ୍ଣହେବାର ଉପାୟ ନଥିଲା । ଏହି କଥାମାନ ବିଚାର କରି ନେପୋଲିଅନ୍‌ ସୁନ୍ଦରି ଏବଂ ଗୁଣବତୀ ଜୋସେଫିନ୍‌ଙ୍କୁ ପରିତ୍ୟାଗ କରି ନୂତନ ବିବାହ କରିବାର ସଂକଳ୍ପ କଲେ । ଅଳ୍ପକାଳ ମଧ୍ୟରେ ଏହି ସଂକଳ୍ପ କାର୍ଯ୍ୟରେ ପରିଣତ ହୋଇଥିଲା । ନେପୋଲିଅନ୍‌ ଅଷ୍ଟ୍ରୀୟାର ରାଜକୁମାରୀଙ୍କୁ ସ୍ୱୀୟ ପତ୍ନୀରୂପେ ଗ୍ରହଣ କଲେ । ଏହି କାର୍ଯ୍ୟଦ୍ୱାରା ଏହା ସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ଯେ ତାଙ୍କ ହୃଦୟ ରାକ୍ଷସୋଚିତ ସ୍ୱାର୍ଥପରତା ଏବଂ ରିପୁପରତନ୍ତ୍ରତାର ନିକେତନ ଥିଲା । ନିଃସ୍ୱାର୍ଥ ସ୍ନେହ ତାଙ୍କପାଇଁ ହୃଦୟରେ କୌଣସି କାଳରେ ସ୍ଥାନ ପାଇ ନ ଥିଲା ।

 

ଏଥିଉତ୍ତାରେ ୧୮୧୨ ଅବ୍ଦର ଏପ୍ରିଲ ମାସରେ ରୁଷିଆ ଫ୍ରାନ୍‌ସ ବୀରୁଦ୍ଧରେ ଯୁଦ୍ଧଘୋଷଣା ପ୍ରଚାର କଲା; ସୁତରାଂ ନପୋଲିଅନ୍‌ଙ୍କୁ ପୁନର୍ବାର ରଣକ୍ଷେତ୍ରରେ ଅବତୀର୍ଣ୍ଣ ହେବାକୁ ପଡ଼ିଲା । ତାଙ୍କର ଆଦେଶକ୍ରମେ କିୟତ୍‌ ସପ୍ତାହ ମଧ୍ୟରେ ପାଞ୍ଚଲକ୍ଷ ସୈନ୍ୟ ସଂଗୃହୀତ ହେଲେ । ଏପରି ପାଞ୍ଚଲକ୍ଷ ସୈନ୍ୟ ସଂଗୃହୀତ ହେଲେ । ଏପରି ଭୟଙ୍କର ସମରସଜ୍ଜା ଇଉରୋପ ମହାଦେଶରେ ପୂର୍ବେ କଦାପି ଦୃଷ୍ଟିଗୋଚର ହୋଇ ନ ଥିଲା । ନେପୋଲିଅନ୍‌ ଅକଥନୀୟ ଆଡ଼ମ୍ବରସହକାରେ ପାରୀ ନଗରୀରୁ ନିଷ୍କ୍ରନ୍ତ ହେଲେ । ଇଉରୋପର ମହାଦାଶରେ ଅଧିକାଂଶ ରାଜନ୍ୟବର୍ଗ ତାହାଙ୍କର ପ୍ରସାଦର୍ଥୀ ହୋଇ ପଥ ମଧ୍ୟରେ ତାଙ୍କ ସଙ୍ଗରେ ସାକ୍ଷାତ୍‌ କଲେ । ତାଙ୍କୁ ଦେଖିବା ନିମନ୍ତେ ଲକ୍ଷ ଲକ୍ଷ ନରନାରୀ ଗ୍ରାମନଗର ତ୍ୟାଗ କରି ମାର୍ଗ ମଧ୍ୟରେ ଆକୁଳ ଭାବରେ ପ୍ରତିକ୍ଷା କରି ରହିଥିଲେ ।

 

ରୁଷିଆ ଦେଶ ମଧ୍ୟରେ ନେପୋଲିଅନ୍ ସୈନ୍ୟବର୍ଗ ସହିତ ପ୍ରବେଶ କରି ଦେଖିଲେ ଯେ ସମସ୍ତ ଦେଶ ବିଧ୍ୱସ୍ତ ହୋଇଅଛି । ଚତୁର୍ଦ୍ଦିଗରେ ଦଗ୍‌ଧ ନଗର, ବିନଷ୍ଟ ଶସ୍ୟାଗର ଏବଂ ଶସ୍ୟହୀନ କ୍ଷେତ୍ର ତାହାଙ୍କର ଦୃଷ୍ଟିଗୋଚର ହେଲା । ରୁଷିଆର ସମ୍ରାଟ୍‌ ଜାଣିଥିଲେ ଯେ ସମରକ୍ଷେତ୍ରରେ ସେ କଦାପି ନେପୋଲିଅନ୍‌ଙ୍କ ସମକକ୍ଷ ହୋଇପାରିବେ ନାହିଁ । ତେଣୁ ସେ ବିଚାରିଲେ ଯେ ତତ୍‌କାଳୀନ ଶୀତର ଭୀଷଣ ପ୍ରାଦୁର୍ଭାବ ଏବଂ ଖାଦ୍ୟସାମଗ୍ରୀର ଅଭାବରେ ନେପୋଲିଅନ୍‌ଙ୍କ ସୈନ୍ୟ ନିଃଶେଷରୂପେ ଅର୍ଦ୍ଧିତ ହେଲେ ସେ ସେମାନଙ୍କୁ ନିଜ ସୈନ୍ୟଦ୍ୱାରା ପରିବେଷ୍ଟନ କରି ସହଜରେ ସମ୍ପୂର୍ଣ୍ଣରୂପେ ସଂହାର କରିବେ। ଏହି ବିଶ୍ୱାସରେ ରୁଷିୟାର ସୈନ୍ୟବର୍ଗ ଶତ୍ରୁ ଆଗରୁ ପଳାୟନ କରିଥିଲେ । ପଳାଇବାବେଳେ ସେମାନେ ନଗରମାନ ସମ୍ପୂର୍ଣ୍ଣରୂପେ ଦଗ୍‌ଧ କରିଦେଇ ଯାଇଥିଲେ । ସୁତରାଂ ଫରାସିସ୍‌ ସୈନ୍ୟବର୍ଗଙ୍କୁ ଅତି ଭୟଙ୍କର କଷ୍ଟ ଅନୁଭବ କରିବାକୁ ହୋଇଥିଲା । ଲକ୍ଷ ଲକ୍ଷ ଫରାସିସ୍‌ ସୈନିକ ସେହି ଭୀଷଣ ଦେଶ ମଧ୍ୟରେ ଯାତ୍ରା କଲାବେଳେ ପଞ୍ଚତ୍ୱପ୍ରାପ୍ତ ହୋଇଥିଲେ ।

 

୧୮୧୦ ଅବ୍ଦର ସେପ୍‌ଟେମ୍ବର ମାସ ସାତ ତାରିଖ ଦିନ ଉଭୟପକ୍ଷ ବିରୋଡ଼ିନା ନାମକ ସ୍ଥାନରେ ପରସ୍ପର ସମ୍ମୁଖୀନ ହେଲେ । ଏହି ଯୁଦ୍ଧରେ ପ୍ରୟ ଏକଲକ୍ଷ ଲୋକ ନିହିତ ହୋଇଥିଲେ । ଏଥିରେ ଫରାସିସ୍‌ମାନେ ବିଜୟୀ ହେଲେହେଁ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିଲେ । ରଣକ୍ଷେତ୍ର ଛଡ଼ା ଆଉ କିଛି ସେମାନଙ୍କର ହସ୍ତଗତ ହୋଇନଥିଲା । ଏଥିଉତ୍ତାରେ ନେପୋଲିଅନ୍‌ ନିଜ ସୈନ୍ୟବର୍ଗ ସହ ରୁଷିୟାର ପ୍ରାଚୀନ ରାଜଧାନୀ ମସ୍କୋ ନଗର ଅଭିମୁଖରେ ଯେତ୍ରାକଲେ । ଫରାସିସ୍‌ ସୈନ୍ୟବର୍ଗ ସହ ସେଠାରେ ପ୍ରବେଶ କରି ଦେଖିଲେ ଯେ ଗୀର୍ଜାମାନ ଉପାସକଶୂନ୍ୟ, ପଣଦ୍ରବ୍ୟପରିପୂରିତ ବିପଣିମାନ ଲୋକଶୂନ୍ୟ ଏବଂ ପଥ ଓ ଗୃହମାନ ନିର୍ଜନ ଏବଂ ନିଃଶବ୍ଦ ହୋଇ ପଡିଅଛି । ସେମାନେ ଏହି ନିର୍ମନୁଷ୍ୟ ନଗରମଧ୍ୟରେ ପ୍ରବେଶ କରି ବିସ୍ମୟବିହ୍ୱଳ ଏବଂ କିଂକର୍ତ୍ତବ୍ୟବିମୂଢ ହେଲେ । ଅନନ୍ତର ନେପୋଲିଅନ୍‌ ସନ୍ଧିପ୍ରସ୍ତାବ କରି ରୁଷିୟାର ସମ୍ରାଟ୍‌ଙ୍କ ନିକଟକୁ ପତ୍ର ଲେଖିଲେ; କିନ୍ତୁ କିଛି ଉତ୍ତର ଆସିଲା ନାହିଁ । ଏଥିଉତ୍ତାରେ ରୁଷିୟାର ଗୁପ୍ତଚରମାନେ ମସ୍କୋ ନଗରରେ ଅଗ୍ନି ଲଗାଇଦେଲେ । ଏହି ଭୟଙ୍କର ଅଗ୍ନିକାଣ୍ଡ ଚାରିଦିନ ମଧ୍ୟରେ ମସ୍କୋ ନଗରୀକୁ ଭସ୍ମସାତ୍‌ କଲା ।

 

ନେପୋଲିଅନ୍‌ ବହୁଦିନ ପର୍ଯ୍ୟନ୍ତ ସେଠାରେ ରୁଷିୟା ସମ୍ରାଟ୍‌ଙ୍କଠାରୁ ପ୍ରତୁ୍ୟତ୍ତର ଆସିବ ବୋଲି ପ୍ରତୀକ୍ଷା କରି ରହିଲେ ; କିନ୍ତୁ କୌଣସି ଉତ୍ତର ନ ଆସିବାରୁ ସେ ଅକ୍‌ଟୋବର ମାସ ୧୨ ତାରିଖରେ ନିଜ ସୈନ୍ୟବର୍ଗଙ୍କୁ ପ୍ରତ୍ୟାବର୍ତ୍ତନର କରିବାର ଆଦେଶ ଦେଲେ । ଏହି ପ୍ରତ୍ୟାବର୍ତ୍ତନର ଭୀଷଣତା କୌଣସି ଲେଖନୀ ବର୍ଣ୍ଣନା କରିପାରିବନାହିଁ । ରୁଷିୟା ଦେଶୀୟ ଭୟଙ୍କରର ଶୀତର ପ୍ରାଦୁର୍ଭାବ ଯୋଗଁ ପଥମଧ୍ୟରେ ନିତ୍ୟନିତ୍ୟ ଅୟୁତାୟୁତ ଫରାସିସ୍‌ ସୈନିକ ମୃତ୍ୟୁମୁଖରେ ପତିତ ହେଲେ । ଆମ୍ଭେମାନେ ଏଥିପୂର୍ବେ କହିଅଛୁଁ ଯେ ନେପୋଲିଅନ୍‌ ପାଞ୍ଚଲକ୍ଷ ସୈନ୍ୟ ଘେନି ରୁଷିୟା ଆକ୍ରମଣ ନିମିତ୍ତ ବହିର୍ଗତ ହୋଇଥିଲେ : କିନ୍ତୁ ଯେତେବେଳେ ଏହି ସୈନ୍ୟ ଫ୍ରାନ୍‌ସକୁ ବାହୁଡ଼ି ଆସିଥିଲେ, ତେତେବେଳେ ତାହାର ସଂଖ୍ୟା କେବଳ ବଂଶତି ସହସ୍ର ଥିଲା । କି ଭୟଙ୍କର କଥା ! ଜଣକର ଦୁରାକାଙ୍‌କ୍ଷା ହେତୁରୁ ଲକ୍ଷ ଲକ୍ଷ ଲୋକଙ୍କ ନିଦାରୁଣ ପ୍ରାଣନାଶ ଫଟିଥିଲା ଏବଂ ଲକ୍ଷ ଲକ୍ଷ ପରିବାର ଶୋକସାଗରରେ ନିମଗ୍ନ ହୋଇଥିଲେ ।

 

ନେପୋଲିଅନ୍‌ ଆପେ ଆପଣାର ପତନର କାରଣ ଅଟନ୍ତି । ରୁଷିୟା ସହିତ ସଂଗ୍ରାମରେ ପ୍ରବୃତ୍ତ ହୋଇନଥିଲେ ତାଙ୍କର ଅବା ଫ୍ରାନ୍‌ସ ଦେଶର କିଛିମାତ୍ର ଅମଙ୍ଗଳ ଘଟିନଥାନ୍ତା-। ଏଥିଉତ୍ତାରେ ଇଉରୋପ ମହାଦେଶର ରାଜନ୍ୟବର୍ଗ ନେପୋଲିଅନ୍‌ଙ୍କ ସର୍ବନାଶ ନିମିତ୍ତ ସଚେଷ୍ଟ ହେଲେ । ପ୍ରୁସିୟା ଏବଂ ରୁଷିୟା ଏକତ୍ରିତ ହୋଇ ଫ୍ରାନ୍‌ସ ବିରୁଦ୍ଧରେ ସମର ଘୋଷଣା କଲେ । ନେପୋଲିଅନ୍‌ ଦୁଇଲକ୍ଷ ସେନା ସଂଗ୍ରହ କରି ବିପକ୍ଷ ଦଳକୁ ଲଟଜେନ ନାମକ ସ୍ଥାନରେ ଭେଟିଲେ । ଘୋର ଯୁଦ୍ଧ ହେଲା । ଉଭୟ ପକ୍ଷରୁ ସହସ୍ର ସହସ୍ର ଲୋକ ବିନଷ୍ଟ ହେଲେ । ଉତିମଧ୍ୟରେ ନେପୋଲିଅନ୍‌ଙ୍କ ଶ୍ୱଶୁର ଅଷ୍ଟୀୟାର ସମ୍ରାଟ୍‌ ମଧ୍ୟସ୍ଥ ହୋଇ ଉଭୟ ପକ୍ଷଙ୍କ ସମୀପରେ ସନ୍ଧି ପ୍ରସ୍ତାବ କଲେ; କିନ୍ତୁ ନେପୋଲିଅନ୍‌ ନିଜ ଦୁର୍ବୁଦ୍ଧିତାର ବଶବର୍ତ୍ତୀ ହୋଇ ସନ୍ଧି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ । ଏଥିଉତ୍ତାରେ ଆଉ ଗୋଟିଏ ସଂଗ୍ରାମ ହୋଇଥିଲା । ସେଥିରେ ନେପୋଲିଅନ୍‌ ଜୟ କରିଥିଲେ ।

 

ପୂର୍ବକଥିତ ଯୁଦ୍ଧ ଉତ୍ତାରେ ଅଷ୍ଟ୍ରୀୟାର ସମ୍ରାଟ୍‌ ସନ୍ଧି ପ୍ରସ୍ତାବ କରି ପୁନର୍ବାର ସଧସ୍ଥତା କଲେ ; କିନ୍ତୁ ଅଷ୍ଟ୍ରୀୟାର ରାଜଦୁତ ନେପୋଲିଅନ୍‌ଙ୍କୁ ତାଙ୍କ କର୍ତ୍ତୃକ ବିଜିତ ହୋଇଥିବା ପ୍ରଦେଶମାନ ପ୍ରତ୍ୟାର୍ପଣ କରିବାପାଇଁ ଅନୁରୋଧ କରିବାରୁ ନେପୋଲିଅନ୍‌ ଘୃଣା ସହକାରେ ଅଷ୍ଟ୍ରୟାର ପ୍ରସ୍ତାବକୁ ପରିତ୍ୟାଗ କଲେ । ଅଷ୍ଟ୍ରୀୟା ଆପଣାକୁ ଅପମାନିତ ଜ୍ଞାନ କରି ଏବଂ ପୂର୍ବ ଦୁର୍ଦ୍ଦଶା ସ୍ମରଣ କରି ପ୍ରୁସିୟା ଏବଂ ରୁଷିଆ ସହିତ ମିଳିତ ହେଲା । ୧୮୦୩ ଅବ୍ଦର ଅଘଷ୍ଟ ମାସ ୨୬ ତାରିଖ ଦିନ ସମ୍ମିଳିତ ସମ୍ରାଟ୍‌ମାନଙ୍କ ସୈନ୍ୟ ନେପୋଲିଅନ୍‌ଙ୍କ ସୈନ୍ୟଙ୍କୁ ଡ୍ରେସଡ଼େନ ନଗର ସମୀପରେ ଭେଟିଲେ । ଏହି ସଂଗ୍ରାମରେ ନେପୋଲିଅନ୍‌ ଜୟଲାଭ କରିଥିଲେ ; ମାତ୍ର ତଦ୍ଦ୍ୱାରା ଶତ୍ରୁମାନଙ୍କର ବିଶେଷ କ୍ଷତି ହୋଇନଥିଲା । ତେଣୁ ସେମାନେ ନବୀନ ଉତ୍ସାହ ସହ ନେପୋଲିଅନ୍‌ଙ୍କୁ ସର୍ବତୋଭାବେ ପରାଜୟ କରିବାପାଇଁ ନିଜ ବଳ ପରିବର୍ଦ୍ଧନ କରିବାକୁ ଲାଗିଲେ-। ନେପୋଲିଅନ୍‌ଙ୍କ ସୈନ୍ୟସଂଖ୍ୟା ଦିନକୁ ଦିନ ଊଣା ହୋଇଆସୁଥିଲା । ଅକ୍‌ଟୋବର ମାସ ୬ ତାରିଖ ଦିନ ଉଭୟ ପକ୍ଷ ମଧ୍ୟରେ ଘୋର ଯୁଦ୍ଧ ହେଲା ଉତ୍ତାରେ ନେପୋଲିଅନ୍‌ ପରାସ୍ତ ହେଲେ । ସନ୍ଧିଦ୍ୱାରା ନିଜ ସମ୍ମାନ ଏବଂ ଗୌରବ ରକ୍ଷାକରିବାର ଆଶା ନଥିବାରୁ ନେପୋଲିଅନ୍‌ ଫ୍ରାନ୍‌ସକୁ ପ୍ରତ୍ୟାଗମନ କଲେ ।

 

ରାହିନ୍‌ ନଦୀ ଉତ୍ତୀର୍ଣ୍ଣ ହେବା ସମୟରେ ସେ ଦେଖିଲେ ଯେ ତିନିଲକ୍ଷ ପଞ୍ଚାଶ ସହସ୍ର ସୈନିକ ମଧ୍ୟରୁ କେବଳ ସୁତରୀ ହଜାର ମାତ୍ର ଅବଶିଷ୍ଟ ଅଛନ୍ତି । ତାଙ୍କର ପ୍ରତ୍ୟାବର୍ତ୍ତନ ଦେଖି ସନ୍ଧିବଦ୍ଧି ମିତ୍ର ରାଜବୃନ୍ଦ ତାଙ୍କୁ ବନ୍ଦୀ କରିନେବା ଅଭିପ୍ରାୟରେ ସସୈନ୍ୟରେ ତାଙ୍କର ଅନୁଧାବନ କଲେ ; କିନ୍ତୁ ନେପୋଲିଅନ୍‌ କୌଶଳ ସହକାରେ ଏବଂ ଦ୍ରୁତବେଗରେ ପାରୀ ନଗରରେ ପ୍ରବିଷ୍ଟ ହେଲେ । ଏହି ସମୟରେ ଶତ୍ରୁବୃନ୍ଦ ଚତୁର୍ଦ୍ଦିଗରୁ ଫ୍ରାନ୍‌ସକୁ ଆକ୍ରମଣ କରିବାକୁ ଲାଗିଲେ । ନେପୋଲିଅନ୍‌ ଏପରି ସଂକଟକାଳରେ ସୁଦ୍ଧା ଭୀତ ଅଥବା କାତର ହୋଇନଥିଲେ । ନିଜ ରାଣୀ ଏବଂ କୁମାରଙ୍କ ରକ୍ଷାଭାର ପାରୀ ନଗରବାସୀଙ୍କ ହସ୍ତରେ ସମର୍ପଣ କରି ନେପୋଲିଅନ୍‌ ପୁନର୍ବାର ଶତ୍ରୁ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ଏହି ସଂଗାମରେ ସେ ଯେପରି ଅଦ୍ଭୁତ କୌଶଳ, ସୁଦୃଢ଼ ସଂକଳ୍ପ, ଅକ୍ଷୟ ବୀର୍ଯ୍ୟ ଏବଂ ଅଜେୟ ସାହସ ପ୍ରଦର୍ଶନ କରିଥିଲେ, ତାହାକୁ ଅତିମାନୁଷ କହିଲେ ସୁଦ୍ଧା ଅତ୍ୟୁକ୍ତି ହେବ ନାହିଁ । ପୃଥିବୀର ଇତିହାସରେ ଏପରି ଶୌର୍ଯ୍ୟର ଉଦାହରଣ ଅତ୍ୟନ୍ତ ବିରଳ; କିନ୍ତୁ ଏବେ ନେପୋଲିଅନ୍‌ଙ୍କ ଭାଗ୍ୟରବି ଅସ୍ତମିତ ହୋଇଥିଲା । ସେ ଯେତେ ଯତ୍ନ କଲେହେଁ ନିଜ ପତନ ନିବାରଣ କରିପାରିଲେ ନାହିଁ ।

 

୧୮୧୪ ଅବ୍ଦ ଏପ୍ରିଲ୍‌ ମାସରେ ଶତ୍ରୁବୃନ୍ଦ ପାରୀ ନଗରୀ ଅଧିକାର କରି ତାଙ୍କୁ ବନ୍ଦୀକଲେ । ନେପୋଲିଅନ୍‌ ଏତେବେଳେ ଅସହାୟ ଏବଂ ସର୍ବପରିତ୍ୟକ୍ତ ହୋଇଥିଲେ । ଶତ୍ରୁମାନଙ୍କ ଆଜ୍ଞାକ୍ରମେ ତାହାଙ୍କୁ ଫ୍ରାନ୍‌ସ ଏବଂ ଇତାଲୀର ରାଜତ୍ୱ ପରିତ୍ୟାଗ କରିବାକୁ ହେଲା । ପାରୀ ନଗରୀରୁ ବାହାରିବାବେଳେ ତାଙ୍କର ପ୍ରାଚନୀ ସୈନିକମାନେ ତାଙ୍କଠାରୁ ବିଦାୟ ଗ୍ରହଣ କରିବାପାଇଁ ରାଜପ୍ରାସାଦ ସମ୍ମୁଖରେ ଉପସ୍ଥିତ ଥିଲେ । ନେପୋଲିଅନ୍‌ ସେମାନଙ୍କୁ ସମ୍ବୋଧନ କରି କହିଲେ, ‘‘ହେ ବନ୍ଧୁବର୍ଗ ! ସମସ୍ତ ଇଉରୋପ ମୋ ବିରୁଦ୍ଧରେ ଅସ୍ତ୍ରଧାରଣ କରିଅଛି । ଫ୍ରାନ୍‌ସ ମଧ୍ୟ ମୋତେ ପରିତ୍ୟାଗ କରି ଅନ୍ୟ ଜଣେ ସମ୍ରାଟ୍‌ଙ୍କୁ ମନୋନିତ କରିଅଛି । ମୋହର ଦୁଃଖ ନିମିତ୍ତ ତୁମ୍ଭେମାନେ ଦୁଃଖିତ ହୁଅ ନାହିଁ । ନୂତନ ସମ୍ରାଟ୍‌ଙ୍କୁ ଯଥୋଚିତ ରାଜଭକ୍ତି ପ୍ରଦାନ କରି ସୁଖୀ ହୁଅ । ମୁଁ ତୁମ୍ଭ ସମସ୍ତଙ୍କୁ ଆଲିଙ୍ଗନ କରିପାରିବ ନାହିଁ ; ସୁତରାଂ ମୁଁ କେବଳ ତୁମ୍ଭର ସେନାପତିଙ୍କୁ ଆଲିଙ୍ଗନ କରୁଅଛି । ତୁମ୍ଭର ପ୍ରିୟ ପତାକା ମୋର ନିକଟକୁ ଆନୟନ କର । ମୁଁ ତାହାକୁ ଥଣେ ଚୁମ୍ବନ କରିଥାଏ । ତୁମ୍ଭେମାନ ଥରେ ମୋତେ ବେଷ୍ଟନ କରି ଦଣ୍ଡାୟମାନ ହୁଅ । ଆହା ! ଏ ଦୃଶ୍ୟ ମୁଁ କଦାପି ପାସୋରି ପାରିବି ନାହିଁ। ହେ ଶୂରବୃନ୍ଦ ! ମୁଁ ଏବେ ତୁମ୍ଭମାନଙ୍କଠାରୁ ବିଦାୟ ପ୍ରାର୍ଥନା କରୁଅଛୁ ।’’

 

ନେପୋଲିଅନ୍‌ ଫ୍ରାନ୍‌ସର ରାଜସିଂହାସନ ପରିତ୍ୟାଗ କରିବାରୁ ଏଲ୍‌ବା ଦ୍ୱୀପରର ରାଜପଣ ତାଙ୍କଠାରେ ଅର୍ପିତ ହେଲା ଏବଂ ସମ୍ରାଟ୍‌ପଦର ଉପଯୁକ୍ତ ବାର୍ଷିକ ବୃତ୍ତି ତାହାଙ୍କୁ ଦେବାର ଅବଧାରିତ ହେଲା । ଗୋଟିଏ ଇଂରାଜ ପୋତରେ ସେ ଏଲ୍‌ବା ଦ୍ୱୀପକୁ ନୀତ ହୋଇ ସେଠାରେ ସେ ମାସ ୪ ତାରିଖରେ ଉପସ୍ଥିତ ହେଲେ । ଉକ୍ତ କ୍ଷୁଦ୍ର ଦ୍ୱୀପର ଉନ୍ନତି ନିମିତ୍ତ ସେ ଅବିଶାନ୍ତ ଯତ୍ନ କରି ବାଣିଜ୍ୟର ଶୀବୃଦ୍ଧି ଏବଂ ପ୍ରଜାମାନଙ୍କ ସୁଖବର୍ଦ୍ଧନାର୍ଥ ନାନା ଉପାୟମାନ ଉଦ୍ଭାବନ କରିବାକୁ ଲାଗିଲେ । ଏହିଭାବରେ କତିପୟ ମାସ ଅତୀତ ହେଲା ଉତ୍ତାରେ ଫ୍ରାନ୍‌ସର ରାଜସିଂହାସନ ଲାଭ କରିବାର ଆକାଙ୍‌କ୍ଷା ତାଙ୍କ ହୃଦୟରେ ପୂନର୍ବାର ଜାଗ୍ରତ ହେଲା । ଫ୍ରାନ୍‌ସର ତତ୍‌କାଳୀନ ଅବସ୍ଥା ମଧ୍ୟ ତାଙ୍କ ଅଭିଳାଷର ଅନୁକୂଳ ଥିଲା । ନୂତନ ସମ୍ରାଟ୍‌ ଲୁଇ ବୃଦ୍ଧ, ନିର୍ବୋଧ ଏବଂ ଏକାନ୍ତ ଅସମର୍ଥ ଥିଲେ । ସୁତରାଂ ଫ୍ରାନ୍‌ସବାସୀମାନେ ତାଙ୍କ ପ୍ରତି ଅତ୍ୟନ୍ତ ବିରକ୍ତି ହୋଇଥିଲେ । ନେପୋଲିଅନ୍‌ ଏହି ସୁଯୋଗ ପାଇ ଏଲ୍‌ବା ଦ୍ୱୀପରୁ ନିଶୀଥକାଳରେ କତିପାୟ ବନ୍ଧୁ ସମଭିବ୍ୟାହାରରେ ପଳାୟନ କରି ଆସିଲେ ଏବଂ ୧୮୧୫ ଅବ୍ଦର ମାର୍ଚ୍ଚ ମାସ ପ୍ରଥମ ଦିନ ଫ୍ରାନ୍‌ସ ଭୂମିରେ ପୁନର୍ବାର ପଦାର୍ପଣ କଲେ । ତାଙ୍କ ପ୍ରବେଶ ମାତ୍ରକେ ସହସ୍ର ସହସ୍ର ଫରାସିସ୍‌ ତାଙ୍କୁ ଆନନ୍ଦସହକାରେ ଗ୍ରହଣ କଲେ । ପଥମଧ୍ୟରେ ଯାଉ ଯାଉ ତାଙ୍କ ସୈନ୍ୟସଂଖ୍ୟା ପରିବର୍ଦ୍ଧିତ ହେବାକୁ ଲାଗିଲା । ଲିଅନ୍‌ସ ନଗରରେ ଉପସ୍ଥିତ ହୋଇ ରାଜକାର୍ଯ୍ୟ ଭାର ଗ୍ରହଣ କରି ନେପୋଲିଅନ୍‌ ନିଜ ସୈନ୍ୟବର୍ଗଙ୍କୁ କହୀଲେ, ‘‘ସୈନିକବର୍ଗ !

 

ଯେଉଁ ପତାକା ଧାରଣ କରି ନେପୋଲିଅନ୍‌ ନିଜ ସୈନ୍ୟବର୍ଗଙ୍କୁ କହିଲେ, ‘‘ସୈନିକବର୍ଗ ! ଯେଉଁ ପତାକା ଧାରଣ କରି ତୁମ୍ଭେମାନେ ଅଷ୍ଟରଲିଜ୍‌ ଏବଂ ଜେନା ପ୍ରଭୃତି ସଂଗ୍ରାକ୍ଷେତ୍ରରେ ଶତ୍ରୁମାନଙ୍କୁ ଜୟ କରିଥିଲେ, ଏବେ ସେହି ପତାକା ଧାରଣ କର । ଯେଉଁ ସେନାପତି ସଙ୍ଗରେ ତୁମ୍ଭେମାନେ ଭିଏନା, ରୋମ, ବର୍ଲିନ, ମାଡ୍ରିଡ଼ ଏବଂ ମସ୍କୋ ପ୍ରଭୃତି ରାଜଧାନୀମାନ ଅଧିକାର କରିଥିଲେ, ଆଜି ସେହି ସେନାପତି ତୁମ୍ଭମାନଙ୍କୁ ସମ୍ମୁଖରେ ଦଣ୍ଡାୟମାନ-। ଏବେ ସେହି ସେନାପତି ସଙ୍ଗରେ ବିଜୟ-ପତାକା ହସ୍ତରେ ଘେନି ତୁମ୍ଭମାନଙ୍କୁ ରାଜଧାନୀ ପ୍ରତି ପ୍ରୟାଣ କରିବାକୁ ହେବ ।’’ ତାଙ୍କର ଅଗ୍ନିମୟ ବାଗ୍ମିତାପରିପୂରିତ ବାଣୀପରମ୍ପରା ଶ୍ରବଣ କରି ଫ୍ରାନ୍‌ସର ହୃଦୟ ପରିବର୍ତ୍ତିତ ହୋଇଗଲା । ନେପୋଲିଅନ୍‌ ମାର୍ଚ୍ଚ ମାସ ୨୦ ତାରିଖରେ ପାର ନଗରୀରେ ଅପୂର୍ବ ଉଲ୍ଲାସ ଏବଂ ଭକ୍ତି ସହକାରେ ଗୃହିତ ହୋଇ ପୁନର୍ବାର ରାଜପ୍ରାସାଦ ମଧ୍ୟରେ ଅବସ୍ଥାନ କରିବାକୁ ଲାଗିଲେ । ବୃଦ୍ଧ ସମ୍ରାଟ୍‌ ଲୁଟ ଏଥିପୂର୍ବରୁ ପାରୀ ନଗରୀରୁ ପଳାୟନ କରିଥିଲେ ।

 

ନେପୋଲିଅନ୍‌ଙ୍କ ପୁନଃପ୍ରବେଶ ବାର୍ତ୍ତା ଶ୍ରବଣ କରି ସମସ୍ତ ଇଉରୋପ ଚକିତ ହୋଇଗଲା । ଅଷ୍ଟ୍ରୀୟା, ରୁଷିୟା ଏବଂ ପ୍ରୁସିୟା ପୁନର୍ବାର ଯୁଦ୍ଧ ନିମିତ୍ତ ସୁସଜ୍ଜିତ ହେଲେ । ଇଂଲଣ୍ଡ ମଧ୍ୟ ଏମାନଙ୍କ ସଙ୍ଗେ ସମ୍ମିଳିତ ହେଲା । ନେପୋଲିଅନ୍‌ ତିନି ଲକ୍ଷ ସୈନ୍ୟ ସଂଗ୍ରହ କରି ସମରଭୂମିରେ ପୁନର୍ବାର ଅବତୀର୍ଣ୍ଣ ହେଲେ । ଉଏଲିଂଟନ ନାମକ ଇଂଲଣ୍ଡୀୟ ସେନାପତି ସମ୍ମିଳିତ ଶତ୍ରୁମାନଙ୍କର ସର୍ବଶ୍ରେଷ୍ଠ ସେନାନାୟକ ପଦରେ ନିଯୁକ୍ତ ହୋଇଥିଲେ । ପ୍ରଥମରେ ଦୁଇଗୋଟି ଯୁଦ୍ଧରେ ବିପକ୍ଷ ଦଳକୁ ପରାସ୍ତ କରିଥିଲେ; କିନ୍ତୁ ପରିଶେଷରେ ଚରମ ସଂଗ୍ରାମର ଦିବସ ଉପସ୍ଥିତ ହେଲା । ୧୮୧୫ ଅବ୍ଦର ଜୁନ୍‌ ମାସ ୧୮ ତାରିଖ ଦିନ ଉଭୟ ପକ୍ଷ ଉଆଟରଲୁ ନାମକ ବିଖ୍ୟାତ ରଣକ୍ଷେତ୍ରରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ନିମନ୍ତେ ଉପସ୍ଥିତ ହେଲେ । ଯୁଦ୍ଧର ପ୍ରାରମ୍ଭ ଏବଂ ମଧ୍ୟରେ ଉଭୟପକ୍ଷ ସମାନଭାବରେ ଯୁଦ୍ଧ କରିଥିଲେ; କିନ୍ତୁ ପରିଶେଷରେ ନେପୋଲିଅନ୍‌ଙ୍କର ଜଣେ ସେନାପତି ସ୍ୱୀୟ ସେନା ସହିତ ଯୁଦ୍ଧକ୍ଷେତ୍ରରେ ଅନୁପସ୍ଥିତ ହେବାରୁ ଏବଂ ବିପକ୍ଷ ଦଳର ସଂଖ୍ୟା ପରିବର୍ଦ୍ଧିତ ହେବାରୁ ନେପୋଲିଅନ୍‌ ପରାସ୍ତ ହେଲେ । ତାଙ୍କର ସୌଭାଗ୍ୟ-ସୂର୍ଯ୍ୟ ଚିରକାଳ ପାଇଁ ଅସ୍ତମିତ ହେଲା ।

 

ନେପୋଲିଅନ୍‌ ପରାଜୟ ଉତ୍ତାରେ ପାରୀ ନଗରୀକୁ ଲେଉଟି ଆସିଲେ । ତାଙ୍କର ସମସ୍ତ ଆଶାଭରସା ବର୍ତ୍ତମାନ ବିଲୁପ୍ତ ହେଲା । ପ୍ରତିନିଧି ସଭାକର୍ତ୍ତୃକ ଆଦିଷ୍ଟ ହୋଇ ସେ ସମ୍ରାଟ୍‌ପଦ ପରିତ୍ୟାଗ କଲେ । ପଦ ପରିତ୍ୟାଗ କାଳରେ ସେ ଏହିଭାବରେ ଗୋଟିଏ ଘୋଷଣା ପ୍ରଚାର କରିଥିଲେ ‘‘ ଆମ୍ଭେ ଫ୍ରାନ୍‌ସ ଦେଶର ସ୍ୱାଧିନତା ରକ୍ଷା ନିମିତ୍ତ ବିଗତ ଯୁଦ୍ଧରେ ପ୍ରବୃତ୍ତ ହୋଇଥିଲୁଁ । ଜୟଲାଭର ଆଶା ମଧ୍ୟ ଥିଲା । ଆମ୍ଭେ ଆଶା କରିଥିଲୁ ଯେ ସମସ୍ତ ଫ୍ରାନ୍‌ସ ଆମ୍ଭର ପୃଷ୍ଠପୂରକ ହେବ ; କିନ୍ତୁ ଏ ଆଶାରେ ଆମେ ନିରାଶ ହୋଇଅଛୁଁ । ସେ ଯାହା ହେଉ, ଆମ୍ଭେ ବର୍ତ୍ତମାନ ରାଜପଦ ପରିତ୍ୟାଗ କରି ଆଦେଶ କରୁଅଛୁଁ ଯେ ଆମ୍ଭର ପୁତ୍ର ଦ୍ୱିତୀୟ ନେପୋଲିଅନ୍‌ ଫ୍ରାନ୍‌ସର ରାଜସିଂହାସନରେ ଅଧିରୂଢ଼ ହେବେ ।’’

 

ଏଥିଉତ୍ତାରେ ଫ୍ରାନ୍‌ସ ଦେଶ ପରିତ୍ୟାଗ କରିବାପାଇଁ ଆଦିଷ୍ଟ ହେବାରୁ ନେପୋଲିଅନ୍‌ ଆମେରିକାକୁ ପ୍ରସ୍ଥାନ କରିବାର ସଂକଳ୍ପ କଲେ ; ମାତ୍ରଚତୁର୍ଦ୍ଦିଗରେ ଶତ୍ରୁକର୍ତ୍ତୃକ ବେଷ୍ଟିତ ହୋଇ ଏବଂ ପଳାୟନ କରିବାର ଉପାୟାନ୍ତର ନ ଦେଖି ଜୁଲାଇ ମାସ ୧୫ ତାରିଖରେ ଜଣେ ଇଂରାଜ ପୋତାଧ୍ୟକ୍ଷ ହସ୍ତରେ ଆପଣକୁ ସମର୍ପଣ କଲେ । ତାଙ୍କର ଆଶା ଥିଲା ଯେ ଇଂରାଜ ଗଭର୍ଣ୍ଣମେଣ୍ଟ ତାଙ୍କର ପତନ ଦେଖି ଶତ୍ରୁଭାବ ପରହାର କରି ତାଙ୍କପ୍ରତି ଉଦାର ବ୍ୟବହାର କରିବେ ; କିନ୍ତୁ ତାଙ୍କର ଏହି ମଧୁର ଭ୍ରାନ୍ତି ଶୀଘ୍ର ବିଦୂରିତ ହୋଇଥିଲା । ଇଂରାଜ ଗଭର୍ଣ୍ଣମେଣ୍ଟ ତାଙ୍କୁ ଯାବଜ୍ଜୀବନ କାରାରୁଦ୍ଧ କରିବା ଅଭିପ୍ରାୟରେ ଗୋଟିଏ ରଣତରୀରେ ବସାଇ ଆଟଲାଣ୍ଟିକ୍‌ ମହାସାଗରସ୍ଥିତ ସେଣ୍ଟ୍‌ହେଲେନା ନାମକ ଦ୍ୱୀପକୁ ପ୍ରେରଣ କଲେ । ଏହି ଦ୍ୱୀପରେ ଅବସ୍ଥାନ କାଳରେ ତାଙ୍କପ୍ରତି କଠୋର ବ୍ୟବହାର ପ୍ରଦର୍ଶିତ ହୋଇଥିଲା; ତେଣୁ ତାଙ୍କ ଜୀବନର ଚରମ ଭାଗ ଅତିଶୟ କଷ୍ଟରେ ଅତିବାହିତ ହୋଇଥିଲା । ନେପୋଲିଅନ୍‌ ୧୮୨୧ ଖ୍ରୀଷ୍ଟାବ୍ଦ ମେ ମାସର ପଞ୍ଚମ ଦିନରେ ମାନବଲୀଳା ସମ୍ୱରଣ କଲେ ।

Image

 

ଶାସନପ୍ରଣାଳୀ

 

କରୁଣାମୟ ଜଗଦୀଶ୍ୱର ମନୁଷ୍ୟ ମନରେ ବଳବତୀ ଆସଙ୍ଗଲିପ୍‌ସା ରୋପଣ କରିଅଛନ୍ତି; ତେଣୁ ମନୁଷ୍ୟମାନେ ସମାଜସୂତ୍ରରେ ଗ୍ରଥିତ ହୋଇ ପୃଥିବୀରେ ଅଧିବାସ କରୁଅଛନ୍ତି-। ଯଦି ସମସ୍ତ ଲୋକ ନ୍ୟାୟପରାୟଣ, ପରୋପକାରୀ ଏବଂ ଧାର୍ମିକ ହୋଇଥାନ୍ତେ, ତେବେ ସଂସାରରେ କୌଣସି ପ୍ରକାର ଶାସନପ୍ରଣାଳୀର ପ୍ରୟୋଜନ ହୁଅନ୍ତା ନାହିଁ । ପୁରାକାଳରେ କବିମାନେ ଯେଉଁ ଶାନ୍ତିମୟ ସତ୍ୟଯୁଗର ବର୍ଣ୍ଣନା କରିଅଛନ୍ତି, ତାହା ସମ୍ପୂର୍ଣ୍ଣରୂପେ କାଳ୍ପନିକ ଏବଂ ଅପାକୃତ । ପୃଥିବୀରୁ କୌଣସି କାଳରେ ଯେ ପାପ ଏବଂ ଦୁରାଚର ତିରୋହିତ ହୋଇଥିଲା, ତାହା ଆମ୍ଭେମାନେ ବିଶ୍ୱାସ କରିନପାରୁଁ । ଆମ୍ଭେମାନେ ଯେତିକି ପୂର୍ବକାଳର ଇତିବୃତ୍ତ ବିଷୟ ଅନୁସନ୍ଧାନ କରିବାକୁ ପ୍ରବୃତ୍ତ ହେଉଁ, ତତ୍କାଳୀୟ ସମାଜର ଦୁରବସ୍ଥା ଆମ୍ଭମାନଙ୍କର ତେତିକି ମାନସପ୍ରତ୍ୟକ୍ଷ ହୁଏ । ସର୍ବକାଳରେ ଏବଂ ପୃଥିବୀର ସର୍ବ ଅଞ୍ଚଳରେ ଅବସ୍ଥାର ବୈଷମ୍ୟ ହୁଏ ଏବଂ ଅନ୍ୟାନ୍ୟ କାରଣରୁ କେହି କେହି ଅନ୍ୟ ଲୋକମାନଙ୍କ ଉପରେ ଅତ୍ୟାଚାର କରନ୍ତି ; ଏଣୁ ଆକ୍ରାନ୍ତ ଲୋକେ ନାନା କ୍ଷତିଗ୍ରସ୍ତ ହୋଇ ସ୍ୱାଧୀନଭାବରେ ଜୀବନଯାତ୍ରା କରିବାକୁ ଅସମର୍ଥ ହୁଅନ୍ତି-। ସୁତରାଂ ସମାଜ ବିଶୃଙ୍ଖଳ ହୋଇଯାଏ । ଏହି ଶୋଚନୀୟ ଅବସ୍ଥାର ପରିହାର ନିମନ୍ତେ ଶାସନପ୍ରଣାଳୀ କାର୍ଯ୍ୟ ପରିଚାଳନା କରନ୍ତି, ତାହାଙ୍କୁ ରାଜା ଅଥବା ରାଜପୁରୁଷ ବୋଲାଯାଏ ଏବଂ ଯେଉଁ ନିୟମାବଳୀ ଦ୍ୱାରା ସେ କାର୍ଯ୍ୟ ନିଷ୍ପନ୍ନ ହୁଏ, ତାହା ବ୍ୟବସ୍ଥା ଅଥବା ଧର୍ମଶାସ୍ତ୍ର ନାମରେ ଅଭିହିତ ହୁଏ । ଏହିପ୍ରକାରେ ରାଜା ଏବଂ ପ୍ରଜାର ସମ୍ୱନ୍ଧ ସଂସ୍ଥାପିତ ହୁଏ ।

 

ରାଜପଦର ସୃଷ୍ଟି ସମ୍ୱନ୍ଧରେ ପଣ୍ଡିତମାନଙ୍କର ଐକ୍ୟମତ ନାହିଁ । କେହି କେହି କହନ୍ତି ଯେ ଯେପରି ବର୍ତ୍ତମାନ କାଳରେ ପ୍ରତ୍ୟେକ ପରିବାର ମଧ୍ୟରେ ଜଣେ ଜଣେ ପ୍ରଧାନ ବ୍ୟକ୍ତି କର୍ତ୍ତୃତ୍ୱ କରନ୍ତି, ପ୍ରାଚୀନ କାଳରେ ପ୍ରତ୍ୟେକ ପରିବାରରେ ଜଣେ ଜଣେ କର୍ତ୍ତା ଥିଲେ । ସେହି ପାରିବାରିକ କର୍ତ୍ତୃତ୍ୱ ନାନା କାରଣରୁ କାଳକ୍ରମେ ବହୁ ପରିବାରମାନଙ୍କ ଉପରେ ପ୍ରସାରିତ ହୋଇ ରାଜଶକ୍ତିର ମୂର୍ତ୍ତି ଧାରଣ କରିଅଛି । କାହାରି କାହାରି ମତରେ ସମାଜବଦ୍ଧ ମନୁଷ୍ୟମାନେ ଆତ୍ମରକ୍ଷା ନିମିତ୍ତ ସାହସ, ବାହୁବଳ ଏବଂ ଅସ୍ତ୍ରନୈପୁଣ୍ୟ ପ୍ରଭୃତି ଗୁଣରେ ଶ୍ରେଷ୍ଠ ବ୍ୟକ୍ତିକୁ ରାଜପଦରେ ଅଭିଷିକ୍ତ କରୁଥିଲେ । ପୁଣି କେହି କେହି ସିଦ୍ଧାନ୍ତ କରିଅଛନ୍ତି ଯେ ପୂର୍ବକାଳରେ ଯେଉଁ ବ୍ୟକ୍ତି ସର୍ବାପେକ୍ଷା ଅଧିକ ଧାର୍ମିକ ଏବଂ ପରମାର୍ଥନିଷ୍ଠ ହେଉଥିଲେ, ତାହାଙ୍କୁ ଲୋକେ ପ୍ରଥମରେ ଗୁରୁପଦରେ ପ୍ରତିଷ୍ଠିତ କରୁଥିଲେ । କ୍ରମେ ତାହାଙ୍କର ପ୍ରଭାବ ଏପରି ପ୍ରବଳ ହେଉଥିଲା ଯେ ତାହାଙ୍କ ହସ୍ତରେ ଆଧ୍ୟାତ୍ମିକ ଏବଂ ସାଂସାରିକ ସମସ୍ତ କାର୍ଯ୍ୟର ଭାର ଅର୍ପିତ ହେଉଥିଲା । ଏହିପ୍ରକାରେ ଆଧ୍ୟାତ୍ମିକ ଗୁରୁ ରାଜପଦରେ ଅଭିଷିକ୍ତ ହେଉଥିଲେ । ଏହି ବିଭିନ୍ନ ମତମାନଙ୍କର ଅନୁକୂଳ ଏବଂ ପ୍ରତିକୂଳ ଦୃଷ୍ଟାନ୍ତ ଭିନ୍ତ ଭିନ୍ନ ଦେଶରେ ମିଳୁଅଛି; ସୁତରଂ ଆମ୍ଭେମାନେ ଏଥିମଧ୍ୟରୁ କୌଣସି ମତକୁ ସର୍ବଦେଶବ୍ୟାପକ ତତ୍ତ୍ୱ ବୋଲି ସ୍ୱୀକାର କରିନପାରୁ । ଯାହାହେଉ, କେହି ବ୍ୟକ୍ତି କୌଣସି ପ୍ରକାରରେ ଥରେ ରାଜପଦରେ ଅଭିଷିକ୍ତ ହେଲେ ତାହାଙ୍କର ବଂଶଧରମାନେ ସେହି ପଦରେ ଅଧିରୂଢ଼ ହୁଅନ୍ତି, ଏଥିରେ ସନ୍ଦେହ ନାହିଁ । ରାଜଶକ୍ତି ଦୃଢ଼ ଏବଂ ଅବ୍ୟାହତ ରଖିବାପାଇଁ ସଚେଷ୍ଟ ହେବା ପ୍ରତ୍ୟେକ ପ୍ରଜାର କର୍ତ୍ତବ୍ୟ । ରାଜା ରାଜ୍ୟତରୀର କର୍ଣ୍ଣଧାର ସ୍ୱରୂପ । ନୌଯାନରେ କର୍ଣ୍ଣଧାରର ପ୍ରଭୁତା ଅବ୍ୟାହତ ନ ରହିଲେ ପ୍ରତ୍ୟେକ ନୌଯାତ୍ରୀ ବିପନ୍ନ ହେବାର ଯାପରି ସମ୍ଭାବନା, ରାଜକ୍ଷମତା ଅବ୍ୟାହତ ନ ରହିଲେ ପ୍ରଜାମାନେ ସେହିପରି ବିପନ୍ନ ହୁଅନ୍ତି । ଆର୍ଯ୍ୟମାନେ ଏହିହେତୁରୁ ଅତି ପ୍ରାଚୀନ କାଳରୁ ରାଜାଙ୍କୁ ‘ନରଦେବ’ ଆଖ୍ୟା ପ୍ରଦାନ କରି ସେମନଙ୍କୁ ଦେବତା ପରି ଭକ୍ତି ପ୍ରଦର୍ଶନ କରିଆସୁଅଛନ୍ତି । ପ୍ରଧାନତମ ଆର୍ଯ୍ୟଧର୍ମଶସ୍ତ୍ର ପ୍ରଣେତା ମହର୍ଷି ମନୁ ସ୍ୱପ୍ରଣୀତ ସଂହିତାରେ ରାଜାଙ୍କ ସମ୍ୱନ୍ଧରେ ଲେଖିଅଛନ୍ତି–

 

‘ମହତୀ ଦେବତା ହ୍ୟେଷା ନରରୂପେଣ ତିଷ୍ଠତି’ ଅର୍ଥାତ୍‌ ରାଜା ନରରୂପଧାରୀ ଦେବତା ଅଟନ୍ତି ।

 

ଆର୍ଯ୍ୟମାନେ ପ୍ରାଚୀନ କାଳରୁ ଏହିପରି ଶିକ୍ଷାଲାଭ କରିଥିବାରୁ ରାଜଭକ୍ତି ସେମାନଙ୍କ ହୃଦୟରେ ବଦ୍ଧମୂଳ ହୋଇଅଛି। ଆର୍ଯ୍ୟଜାତିପରି ରାଜଭକ୍ତ ଜାତି ପୃଥିବୀରେ ଅତି ବିକଳ ଦେଖାଯାନ୍ତି । ରାଜାଙ୍କ ପ୍ରତି ଭକ୍ତି ଦେଖାଇବା ପ୍ରଜାମାନଙ୍କର ଯେମନ୍ତ ଅବଶ୍ୟକର୍ତ୍ତବ୍ୟ, ପ୍ରଜାମାନଙ୍କର ସୁଖ ଦୁଃଖରେ ସହାନୁଭୂତି ଏବଂ ଉନ୍ନତିବିଧାନରେ ଆସ୍ଥାପ୍ରଦର୍ଶନ ରାଜା କିମ୍ବା ରାଜପୁରୁଷମାନଙ୍କ କର୍ତ୍ତବ୍ୟର ପ୍ରଧାନ ଅଙ୍ଗ ଅଟେ । ରାଜପଦ ଯେନରି ଉନ୍ନତ, ସେହିପରି ଦାୟିତ୍ୱପୂର୍ଣ୍ଣ ଅଟେ ।

 

ମନୁଷ୍ୟମାନଙ୍କର ଅବସ୍ଥା ବୈଷମ୍ୟାଦି ହେତୁରୁ ପୃଥିବୀର ସର୍ବଦେଶରେ କଦାପି ଏକପ୍ରକାର ଶାସନପ୍ରଣାଳୀ ପ୍ରଚଳିତ ହୋଇନପାରେ । ଆହୁରି ବକ୍ତବ୍ୟ ଯେ ମାନବବୁଦ୍ଧିକଳ୍ପିତ କୌଣସି ପ୍ରକାର ଶାସନପ୍ରଶାଳୀ ସମ୍ପୂର୍ଣ୍ଣରୂପେ ଦୋଷହୀନ ହେବାର ସମ୍ଭବପର ନୁହେଁ । ଏତିକିମାତ୍ର ବୋଲାଯାଇପାରେ ଯେ କତିପୟ ସାଧାରଣ ଅପରିବର୍ତ୍ତନୀୟ ରାଜନୀତି ଅଛି । ସର୍ବଦେଶର ସଂହିତାର ସେହି ସମସ୍ତ ନୀତି ବିନ୍ୟସ୍ତ ଥିବାର ଉଚିତ । ଶାସନପ୍ରଣାଳୀ ଯେତିକି ପ୍ରଜାମାଦଙ୍କର ଅବସ୍ଥା ଏବଂ ଉନ୍ନତିର ଉପଯୋଗୀ ହୁଏ, ତେତିକି ତାହା ଉତ୍କୃଷ୍ଟ ବୋଲି ପରିଗଣିତ ହୁଏ । ଅଜ୍ଞତା ଅନେକ ଅନେକ ପ୍ରକାର ଅମଙ୍ଗଳର କାରଣ । ସର୍ବଦେଶୀୟ ରାଜପୁରୁଷମାନଙ୍କର କର୍ତ୍ତବ୍ୟ ଏହି ଯେ ସେମାନେ ସ୍ୱସ୍ୱପ୍ରକାର ମାନସିକ ଉନ୍ନତି ସାଧନର ଉପାୟ ବିଧାନ କରିବେ । ସେମାନଙ୍କ ଭାବ, ରୁଚି ଏବଂ ବୁଦ୍ଧି ପରିମାର୍ଜିତ ହେଲେ ଶାସନପଦ୍ଧତିର ଦୋଷ ସଂଶୋଧିତ ହୁଏ ଏବଂ ରାଜପୁରୁଷମାନେ ଅପ୍ରତିହତରୂପେ ଅତ୍ୟାଚାର କରିପାରନ୍ତି ନାହିଁ । ରାଜା ସମାଜପ୍ରତିଷ୍ଠିତ ବ୍ୟବସ୍ଥାବିରୁଦ୍ଧ କାର୍ଯ୍ୟ କଲେ ତାହାର ସମୁଚିତ ପ୍ରତିଫଳ ଭୋଗ କରନ୍ତି । ଉପର୍ଯ୍ୟୁକ୍ତ ନିୟମ ଅନୁସାରେ ଶାସନକାର୍ଯ୍ୟ ନିର୍ବାହିତ ହେଲେ କୌଣସି ଆଶାଙ୍କାର ସମ୍ଭାବନା ନ ଥାଏ ।

 

ଇଦାଦୀଂ ପୃଥିବୀରେ ନାନାବିଧ ଶାସନପ୍ରଣାଳୀ ପ୍ରତିଷ୍ଠିତ ଅଛି । ତନ୍ମଧ୍ୟରେ ଯଥେଚ୍ଛାଚାର ରାଜତ୍ୱ ଏବଂ ପ୍ରଜାତନ୍ତ୍ର ଶାସନପ୍ରଣାଳୀ ଏହି କେତୋଟି ସର୍ବପ୍ରଧାନ । ରୁଷିୟା ଯଥେଚ୍ଛାର ରାଜତ୍ୱର, ଇଂଲାଣ୍ଡ ନିୟମାବଦ୍ଧ ରାଜତ୍ୱର ଏବଂ ଆମେରିକାସ୍ଥ ଇଉନାଇଟେଡ୍‌ ଷ୍ଟେଟ୍‌ସ ପ୍ରଜାତନ୍ତ୍ର ଶାସନର ଉଦାହରଣ ସ୍ଥଳ । ପ୍ରାଚୀନ ଗ୍ରୀସ୍‌ ପ୍ରଜାତନ୍ତ୍ର ଶାସନର ଆଦିମ ଜନ୍ମଭୂମି ଅଟେ-। ଗ୍ରୀସ୍‌ରୁ ତାହା ପ୍ରାଚୀନ ରୋମକ ରାଜ୍ୟ, ତତ୍ପରେ ଅନ୍ୟାନ୍ୟ ଦେଶମାନଙ୍କରେ ପ୍ରବର୍ତ୍ତିତ ହୋଇଥିଲା । ବର୍ତ୍ତମାନ ଆମେରିକାର ଭିନ୍ନ ଭିନ୍ନ ରାଜ୍ୟମାନଙ୍କରେ ଏହି ଶାସନପ୍ରଣାଳୀର ପ୍ରଚଳନ ଦେଖାଯଏ । ଏସିଆ କିମ୍ବା ଆଫ୍ରିକା ଭୂଖଣ୍ଡରେ ଏହାର ଆଦୌ ଅସ୍ତିତ୍ୱ ନାହିଁ କହିଲେ ଅତ୍ୟକ୍ତି ହେବ ନାହିଁ । ଇଉରୋପରେ କେବଳ ସୁଇଜରଲାଣ୍ଡ ଏବଂ ଫ୍ରାନ୍‌ସରେ ଏହି ଶାସନପ୍ରଣାଳୀ ପ୍ରତିଷ୍ଠିତ ଅଛି । ଫ୍ରାନ୍‌ସରେ ଏହି ପ୍ରଣାଳୀ ପୁନଃ ପ୍ରବର୍ତ୍ତିତ ହୋଇ ପୁନଃ ପରିବର୍ତ୍ତିତ ହୋଇଅଛି । ଅନେକ ରାଜତନ୍ତ୍ରବିତ୍‌ ପଣ୍ଡିତମାନଙ୍କ ମତରେ ଏହି ପ୍ରଣାଳୀ ପରୀକ୍ଷାଧୀନ । ଏହା କୌଣସି ଦେଶରେ ଦୀର୍ଘକାଳ ସ୍ଥାୟୀ ହେବ କି ନାହିଁ ଏ ବିଷୟରେ ସେମାନେ ସମ୍ପୂର୍ଣ୍ଣ ସନ୍ଦିହାନ । ସେ ଯାହାହେଇ, ପ୍ରଜାତନ୍ତ୍ର ପ୍ରଣାଳୀର ସଫଳତା ପ୍ରଜାମାନଙ୍କ ଯୋଗ୍ୟତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ଯେଉଁ ଦେଶରେ ଅଧିକାଂଶ ପ୍ରଜା ସୁଶିକ୍ଷିତ, ସ୍ୱଦେଶପ୍ରେମିକ ଏବଂ ପରାର୍ଥପରାୟଣ, କେବଳ ସେହିପରି ଦେଶରେ ପ୍ରଜାତନ୍ତ୍ର ପ୍ରଣାଳୀ ସଫଳତା ଲାଭ କରିପାରେ ।

Image

 

ପୁରୁଷଭାବ ଏବଂ ନାରୀଭାବ

 

ମାନବହୃଦୟକୁ ଅଭିନିବେଶପୂର୍ବକ ଆଲୋଚନା କଲେ ଏହା ସ୍ପଷ୍ଟରୂପେ ପ୍ରତୀୟମାନ ହେବ ଯେ ତାହା ପରସ୍ପରବିରୋଧୀ ଭାବମାନଙ୍କର ଆଧାର ଅଟେ । ସେହି ଭାବମାନଙ୍କ ମଧ୍ୟରୁ କେତେଗୁଡ଼ିଏ ପୁରୁଷଭାବ ନାମରେ ଆଖ୍ୟାତ ହେବାର ଯୋଗ୍ୟ; ଅବଶିଷ୍ଠଗୁଡ଼ିକୁ ନାରୀବୃତ୍ତି ବୋଲି ନିର୍ଦ୍ଦେଶ କରାଯାଇପାରେ । କ୍ରୋଧ, ଗର୍ବ, ବୀର୍ଯ୍ୟ, ଅଧ୍ୟବସାୟ, ଆତ୍ମନିର୍ଭରତା ଏମାନ ପୁରୁଷଭାବ ଶ୍ରେଣୀର ଅନ୍ତର୍ଗତ ଏବଂ ଦୟା, ପ୍ରୀତି, ଭକ୍ତି, ଲଜ୍ଜା, ଭୀତି, ନମ୍ରତା ଏହି ଭଗବାନ ନାରୀଭାବ ମଧ୍ୟରେ ଗଣନୀୟ ।

 

ଯେଉଁ ଭାବନିଚୟ ପୁରୁଷଭାବ ବୋଲି ଅଭିହିତ ହେଲା, ତାହା ସ୍ୱଭାବତଃ କଠୋର, ସ୍ୱାବଲମ୍ୱନଶୀଳ ଏବଂ ନିର୍ଭରପରାଙ୍ମୁଖ । କ୍ରେଧ ପ୍ରଦୀପ୍ତ-ପାବକବତ୍‌ ଅନ୍ୟକୁ ଦଗ୍‌ଧ କରେ, ସାହସ ଏବଂ ବୀର୍ଯ୍ୟ ପର୍ବତ ସମାନ ବିଘ୍ନରାଶିକୁ ହେୟଜ୍ଞାନ କରନ୍ତି । ଗର୍ବ ଆପଣାର ବଳ ଏବଂ ବୁଦ୍ଧି ଉପରେ ନିର୍ଭର କରି କାହାରିପ୍ରତି ଦୃକ୍‌ପାତ କରେନାହିଁ । ଅଧ୍ୟବସାୟ ଏବଂ ଆତ୍ମନିର୍ଭରତା ସଂସାରର ସମସ୍ତ ଯନ୍ତ୍ରଣା ଏବଂ ବିଭୀଷିକାକୁ ତୁଚ୍ଛ କରି ଅନ୍ୟର ସାହାଯ୍ୟ ବ୍ୟତିରେକେ ସ୍ୱାଭୀଷ୍ଟ ସାଧନ କରନ୍ତି । ପକ୍ଷନ୍ତରେ ଯାହା ନାରୀଭାବ ବୋଲି ଆଖ୍ୟାତ ହେଲା ତାହା ଅତ୍ୟନ୍ତ କୋମଳ, ତରଳ ଏବଂ ପରପଦାନୁସାରୀ । ଅନ୍ୟକୁ ଆଶ୍ରୟ ନ କରି ପ୍ରୀତି ଏକମୁହୂର୍ତ୍ତ ସୁଦ୍ଧା ନିଶ୍ଚିନ୍ତ ରହି ନ ପାରେ, ଅନ୍ୟର ଦୁଃଖ ଦର୍ଶନମାତ୍ରକେ ଦୟା ବିଗଳିତ ହୋଇପାଏ, ପରର ମହାନୁଭାବତା ଦେଖିଲାକ୍ଷଣି ଭକ୍ତି ପ୍ରବାହିନୀତୁଲ୍ୟ ହୃଦୟକନ୍ଦରରୁ ନିଃସୃତ ହୁଏ, ପର ନୟନର ଦୃଷ୍ଟିପତନ ମାତ୍ରକେ ଲଜ୍ଜା ସଙ୍କୁଚିତ ଏବଂ ବିଭ୍ରାନ୍ତ ହୋଇଯାଏ, ଭୀତି ବିପଦର ନାମ ଶ୍ରମଣ ମାତ୍ରକେ କମ୍ପମାନ ହୁଏ, ନମ୍ରତା ଊର୍ଦ୍ଧଦୃଷ୍ଟି ପରିହାର କରି ଭୂମିତଳେ ଲୋଚନ ନିବିଷ୍ଟ କରି ରହିଥାଏ । ଏହି ପରସ୍ପରବିରୁଦ୍ଧ ପୁରୁଷଭାବ ଏବଂ ନାରୀଭାବ ଉଭୟା ଶୁଭପରିଣୟଦ୍ୱାରା ମାନବପ୍ରକୃତିର ସର୍ବାଙ୍ଗୀନ ସୌନ୍ଦର୍ଯ୍ୟ ସମ୍ପାଦିତ ହୁଏ; କିନ୍ତୁ ଏହା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ପୁରୁଷମାନଙ୍କର ସ୍ୱଭାବ ପୁରୁଷଭାବପ୍ରଧାନ ହେବାର ଉଚିତ ଏବଂ ନାରୀମରାନଙ୍କର ନାରୀବୃତ୍ତି ପ୍ରତି ସମଧିକ ଆସ୍ଥାବତୀ ହେବା ବାଞ୍ଛନୀୟ ; କାରଣ ତାହା ନ ହେଲେ ସ୍ୱଭାବର ବିପର୍ଯ୍ୟୟ ହେବ-। ପୁରୁଷ-ପ୍ରକୃତି ଏବଂ ନାରୀ-ପ୍ରକୃତି ପୁରୁଷ ଉଭୟ ହିଁ ଅପ୍ରାକୃତ ଏବଂ ଘୃଣ୍ୟ । ଏକାନ୍ତ ପୌରୁଷଶୂନ୍ୟ ଲଜ୍ଜାସଙ୍କୁଚିତ ରମଣୀଚରିତ୍ର ପୁରୁଷ ଏବଂ ଲଜ୍ଜାହୀନା ଦର୍ପୋନ୍ମତ୍ତା ନିଷ୍ଠୁରମତି ନାରୀ ଏମାନଙ୍କ ପ୍ରତି ହୃଦୟ କଦାପି ଅନୁରାଗପ୍ରବଣ ହୁଏନାହିଁ । ପ୍ରତ୍ୟୁତ ସେମାନଙ୍କ ପ୍ରତି ଘୃଣା ସ୍ୱତଃ ପ୍ରଧାବିତ ହୁଏ । ପୁନଶ୍ଚ ଯେଉଁ ପୁରୁଷ ପ୍ରୀତି ଓ ଦୟା ପ୍ରଭୃତି ସ୍ନିଗ୍‌ଧଭାବମାନଙ୍କୁ ପରିତ୍ୟାଗ କରି କେବଳ କ୍ରୋଧ, ବୀର୍ଯ୍ୟ, ଗର୍ବ, ସାହସ ଏହି ପୁରୁଷଭାବମାନଙ୍କ ବିକାଶ ନିମନ୍ତେ ସର୍ବଦା ଯତ୍ନଶୀଳ ହୁଏ, ସେ ପରିଶେଷରେ ଅସୁର-ପ୍ରକୃତି ଲାଭ କରେ ଏବଂ ଯେଉଁ ନାରୀ ସାହସ, ତେଜ, ପ୍ରତିଜ୍ଞାର ଦୃଢ଼ତା ଏହି କଠୋର ଭାବମାନଙ୍କ ପ୍ରତି ଏକାନ୍ତ ଉଦାସୀନା ହୋଇ କେବଳ କୋମଳ ବିଳାସ ଏବଂ ମଧୁର ପ୍ରେମାଳାପରେ ଜୀବନ ଅତିବାହିତ କରିବାକୁ ଅଭିଳାଷିଣୀ ହୁଏ, ସେ ଅବଶେଷରେ ହୃଦୟର ପ୍ରକୃତ ସୌନ୍ଦର୍ଯ୍ୟ ହରାଇ ଜୀବନକୁ କଳଙ୍କିତ ଏବଂ କୁତ୍ସିତ କରେ ।

 

ଦେଶବିଶେଷର ଅଭ୍ୟୁତ୍‌ଥାନ ଅଥବା ପତନର କାରଣ ଅନୁସନ୍ଧାନ କରି ଇତିହାସତତ୍ତ୍ୱଜ୍ଞମାନେ ମୁକ୍ତକଣ୍ଠରେ କହିଅଛନ୍ତି ଯେ ଯେଇଁ ଦେଶର ରମଣୀମାନେ ପୁରୁଷଠାରେ ପୌରୁଷ ଏବଂ ବୀର୍ଯ୍ୟର ସମାଦର ନ କରି ପ୍ରକୃତିର ଅବମାନନା କରନ୍ତି ଏବଂ ପୁରୁଷମାନେ ରମଣୀମାନଙ୍କୁ ସର୍ବଦା ବିଳାସତରଙ୍ଗରେ ଭାସମାନ ଦେଖିବାକୁ ଉତ୍ସୁକ ଥା’ନ୍ତି, ସେ ଦେଶର ଆଶାଭରସା ସମସ୍ତ ଲୁପ୍ତ ହୁଏ; କିନ୍ତୁ ଯେଉଁ ଦେଶର ସ୍ତ୍ରୀମାନେ ନିଜେ କୋମଳ ପ୍ରକୃତି ଥାଇ ପୁରୁଷଠାରେ ପୌରୁଷର ପୂଜା କରନ୍ତି ଏବଂ ପୁରୁଷମାନେ ନିଜେ ବୀରଭାବପ୍ରଧାନ ଥାଇ ନାରୀମାନଙ୍କର ସ୍ନିଗ୍‌ଧାଭାବକୁ ସମାଦର କରନ୍ତି, ସେହି ଦେଶ ଅବଲୀଳାକ୍ରମେ ଉନ୍ନତିମଞ୍ଚ ଆରୋହଣ କରି ମାନବଜାତିର ଆଦର୍ଶସ୍ଥାନୀୟ ହୁଏ । ଭାରତବର୍ଷର ବର୍ତ୍ତମାନ ଦୁରବସ୍ଥାର କାରଣ ଅନୁସନ୍ଧାନ କଲେ, ଆମ୍ଭେମାନେ ସହଜେ ବୁଝିପାରିବୁ ଯେ ଆମ୍ଭମାନଙ୍କ ଦେଶରେ ନାରୀମାନେ ଏପରି ମୃଦୁଭାବପରାୟଣ ଯେ ସେମାନେ ପୁରୁଷଠାରେ କଠୋର ପୁରୁଷଭାବକୁ ଅନ୍ୱେଷଣ ଏବଂ ପ୍ରଶଂସା କରନ୍ତି ନାହିଁ ଏବଂ ପୁରୁଷମାନେ ଏପରି ହୀନବୀର୍ଯ୍ୟ ଏବଂ ଦୀନସତ୍ତ୍ୱ ଯେ ସେମାନେ ନାରୀମାନଙ୍କୁ କାରାବନ୍ଦିନୀ ବିଳାସ ସହଚାରୀ କରି ରଖିଅଛନ୍ତି । ଏହିପ୍ରକାର ପ୍ରକୃତିର ବିରୁଦ୍ଧାଚରଣ ହେବାରୁ ଆମ୍ଭମାନଙ୍କ ଦେଶ କ୍ରମଶଃ ଅଧଃପତିତ ହେଉଅଛି । ଏପ୍ରକାର ଅପ୍ରାକୃତ ବିଳାସପ୍ରିୟତା ହେତୁରୁ ପୁରାତନ ରୋମ ସାମ୍ରାଜ୍ୟ ବିନଷ୍ଟ ହୋଇଥିଲା ଏବଂ ଆଧୁନିକ କାଳରେ ମୁସଲମାନମାନଙ୍କର ବୀର୍ଯ୍ୟ ଏବଂ ପ୍ରଭାବ କ୍ରମଶଃ ହ୍ରାସପ୍ରାପ୍ତ ହେଉଅଛି ।

Image

 

ରାମାୟଣ

 

ଭାରତବର୍ଷର ପ୍ରକୃତିର କଳେବର ଯେପରି ବିରାଟ ଭାବାପନ୍ନ, ସାହିତ୍ୟ ମଧ୍ୟ ସେହିପରି ବିଶାଳକାୟ । ଏହିପରି ବିଶାଳ ପାର୍ବତ, ଏହିପରି ବିଶାଳ ନଦୀ ପୃଥିବୀର ଅନ୍ୟ ଅଞ୍ଚଳରେ ବିରଳ । ଅଭ୍ରଭେଦୀ ହିମାଳୟ ଯେଉଁ ଭାରତବର୍ଷର ଦୁର୍ଗ-ପ୍ରାଚୀରରୂପେ ଦଣ୍ଡାୟମାନ, ଅନନ୍ତ ମହାସାଗର ଏବଂ ସୁଦୂରବାହୀ ବିପୁଳ ସିନ୍ଧୁ ଏବଂ ବ୍ରହ୍ମପୁତ୍ର ଯେଉଁ ଦେଶର ପରିଖାରୂପେ ବିରାଜମାନ, ସଂସ୍କୃତ ସାହିତ୍ୟର ବିଶାଳକାୟ ମହାକାବ୍ୟଦ୍ୱୟ ସେହି ଦେଶର ଉପଯୁକ୍ତ ଅଟେ । ବାସ୍ତବରେ ବିଶାଳତା ବିଷୟରେ ରାମାୟଣ ଏବଂ ମହାଭାରତତୁଲ୍ୟ ମହାକାବ୍ୟ ଅନ୍ୟ କୌଣସି ସାହିତ୍ୟରେ ନାହିଁ । ମହାକବି ହୋମର୍‌ବିରଚିତ ଇଲିଅଡ୍‌ ଏବଂ ଓଡ଼ିଶୀ ନାମକ ପ୍ରାଚୀନ ଗ୍ରୀସ୍‌ର ମହାକାବ୍ୟଦ୍ୱୟ ଉତ୍କର୍ଷ ବିଷୟରେ ରାମାୟଣ ଏବଂ ମହାଭାରତ ସଙ୍ଗରେ ତୁଳନୀୟ ହେଲେହେଁ ବିଶାଳତା ବିଷୟରେ କଦାପି ତୁଳନୀୟ ହୋଇ ନ ପାରେ ।

 

ରାମାୟଣ ଏବଂ ମହାଭାରତ ଏହି ଦୁଇ କାବ୍ୟ ମଧ୍ୟରେ ରାମାୟଣ ବୟସରେ ଜ୍ୟେଷ୍ଠ ୟଟେ । ଏହି ଦୁଈଇ କାବ୍ୟକୁ ପରସ୍ପର ସହିତ ତୁଳନା କଲେ ପ୍ରତିପନ୍ନ ହେବ ଯେ ଦେବୋପନ ସାରଲ୍ୟ ଏବଂ ସୁମହାନ୍‌ ଭାବୋଚ୍ଛ୍ୱାସ ସମ୍ବନ୍ଧରେ ରାମାୟଣ ମହାଭାରତ ଅପେକ୍ଷା ଉତ୍କୃଷ୍ଟ ଅଟେ-। ପୁଣି ମହାଭାରତରେ ଯେପରି ନୀତିଜ୍ଞତା, ବୈଚିତ୍ର୍ୟ, ଦାର୍ଶନିକ, ପାଣ୍ଡିତ୍ୟ ଏବଂ ବିଷୟବାହୁଲ୍ୟ ଅଛି ରାମାୟଣରେ ସେପରି ନାହିଁ । ବାସ୍ତବରେ ମହାଭାରତରୂପେ ପ୍ରକାଣ୍ଡ ଗ୍ରନ୍ଥମଧ୍ୟରେ ଯେତେ ପ୍ରକାର ଚିତ୍ର ପ୍ରଦର୍ଶିତ ହୋଇଅଛି, ତାହା ନିର୍ଦ୍ଧାରଣ କରିବା ଅତି କଠିନ ବ୍ୟାପାର ଅଟେ । ଆମ୍ଭେମାନେ ନିମ୍ନରେ ରାମାୟଣର ଐତିହାସିକ ଏବଂ ନୈତିକ ପ୍ରସଙ୍ଗର ଆଲୋଚନା କରି ଉପସଂହାର ସ୍ଥଳରେ ତାହାକୁ ଉଲ୍ଲିଖିତ ଗ୍ରୀକ୍‌ ମହାକାବ୍ୟ ଇଲିଅଡ୍‌ ସହିତ ତୁଳନା କରିବୁଁ ।

 

ଅତି ପ୍ରାଚୀନ କାଳରେ ବିଦେଶାଗତ ଆର୍ଯ୍ୟମାନେ ପଞ୍ଚନଦ ପ୍ରଦେଶ ଏବଂ ଉତ୍ତର-ପଶ୍ଚିମାଞ୍ଚଳରେ ଉପନିବେଶ ସଂସ୍ଥାପନ କଲା ଉତ୍ତାରେ ବିନ୍ଧ୍ୟାଚଳର ଦକ୍ଷିଣ ଦେଶବାସୀ ଅସଭ୍ୟ ମନୁଷ୍ୟମନଙ୍କ ସଙ୍ଗରେ ଯେଉଁ ଯୁଦ୍ଧ କରିଥିଲେ, ତାହା ରାମାୟଣର ପ୍ରଧାନ ଉପାଦାନ । ଅଯୋଧ୍ୟାପତି ବୀରଚୂଡ଼ାମଣି ରାମଚନ୍ଦ୍ର ଆର୍ଯ୍ୟମାନଙ୍କର ଅଗ୍ରଣୀ ହୋଇ ଲଙ୍କା ନାମକ ଦକ୍ଷିଣ ଜନପଦର ଅଧିବାସୀମାନଙ୍କୁ ଜୟ କରିଥିଲେ । ଏହି ସାମରିକ ଘଟନାକୁ ଅବଲମ୍ବନ କରି ଆଦିକବି ମହର୍ଷି ବାଲ୍ମୀକି ନିଜ ଭୁବନମୋହିନୀ କଳ୍ପନାବଳରେ ରାମାୟଣରୂପ ଅମୃତମୟ ମହାକାବ୍ୟ ପ୍ରକାଶ କଲେ । ବାଳି ପ୍ରଭୃତି ଦକ୍ଷିଣାବର୍ତ୍ତସ୍ଥ ଯେଉଁ ବୀରମାନଙ୍କୁ ରାମଚନ୍ଦ୍ର ଜୟ କରିଥିଲେ; ସୁଗ୍ରୀବ, ଅଙ୍ଗଦ, ହନୁମାନ ପ୍ରଭୃତି ଯେଉଁ ବୀରମାନେ ଆର୍ଯ୍ୟ-ପରାକ୍ରମ ସନ୍ଦର୍ଶନ କରି ଭୟରେ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ; ସେହି ବୀରମାନଙ୍କର ଅନୁଚରମାନେ ରାମାୟଣରେ ବାନର ଅଥବା ଭଲ୍ଲୁକ ବୋଲି ବର୍ଣ୍ଣିତ ହୋଇଅଛନ୍ତି । ଏଥିରୁ ବୋଧ ହେଉଅଛି ଯେ ସେମାନେ ବନ୍ୟ ଏବଂ ଅସଭ୍ୟପ୍ରକୃତିର ଥିବାରୂ ଉନ୍ନତ ଆର୍ଯ୍ୟମାନେ ସେମାନଙ୍କୁ ପଶୁତୁଲ୍ୟ ଜ୍ଞାନ କରିଥିଲେ । ପୁଣି ରାମଚନ୍ଦ୍ର ଯେଉଁ ଜାତି ବିରୁଦ୍ଧରେ ଯୁଦ୍ଧଯାତ୍ରା କରିଥିଲେ, ସେମାନେ ଭିନ୍ନ ଧର୍ମାବଲମ୍ବୀ, ସ୍ୱତନ୍ତ୍ରଚାର ଏବଂ ଆର୍ଯ୍ୟଦ୍ୱଷୀ ଥିବାରୁ ରାମାୟଣରେ ରାକ୍ଷସ ନାମରେ ଅଭିହିତ ହୋଇଅଛନ୍ତି । ବୋଧହୁଏ ଲଙ୍କାନିବାସୀମାନେ ବହୁ ପରିମାଣରେ ସଭ୍ୟ ଏବଂ ଉନ୍ନତ ଥିଲେ; କାରଣ ସେମାନଙ୍କ ଐଶ୍ୱର୍ଯ୍ୟ ଏବଂ ସଂଗ୍ରାମନୈପୁଣ୍ୟ ବିଷୟ ବିଶେଷରୂପେ ବର୍ଣ୍ଣିତ ହୋଇଅଛି । କେବଳ ସେମାନଙ୍କର ଭିନ୍ନ ଜାତିତ୍ୱ ଓ ବୈରଭାବ ଯୋଗୁଁ ରାମାୟଣକାର ସ୍ୱଜାତୀୟ ଘୃଣାର ବଶବର୍ତ୍ତୀ ହୋଇ ସେମାନଙ୍କୁ ଭୟଙ୍କର ରାକ୍ଷସ ବୋଲି ବର୍ଣ୍ଣନା କରିଅଛନ୍ତି । ରାମାୟଣରେ ଆର୍ଯ୍ୟ ଏବଂ ଅନାର୍ଯ୍ୟ ଏହି ପରସ୍ପର ପ୍ରତିକୂଳ ବିଭିନ୍ନ ପ୍ରାକୃତିକ ଜାତିଦ୍ୱୟର ଚିତ୍ର ଏକତ୍ର ସମାବିଷ୍ଟ ଥିବାରୁ, ଭାବବୈପରୀତ୍ୟ ହେତୁରୁ ମହତ୍ୱ ଏବଂ ଅଧମତା, ସୈନ୍ଦର୍ଯ୍ୟ ଏବଂ କୁତ୍ସିତତା ଅତି ପରିସ୍ପୁଟରୂପେ ପ୍ରତିଫଳିତ ହୋଇଅଛି ।

 

ରାମାୟଣରେ ଯେ ପ୍ରକାର ଉଚ୍ଚ ନୀତିମାନ ବିବୃତ ଏବଂ ବ୍ୟକ୍ତିଗତ ଚରିତ୍ରରେ ଚରିତ୍ର ହୋଇଅଛି, ତାହା ପାଠକଲେ ସ୍ପଷ୍ଟରୂପେ ଜଣାଯାଏ ଯେ ପ୍ରାଚୀନ ଆର୍ଯ୍ୟମାନେ ଧର୍ମନୀତିସମ୍ବନ୍ଧରେ ଅତି ଉନ୍ନତ ଜାତି ଥିଲେ । ବାଲ୍ମୀକି ହିନ୍ଦୁମାନଙ୍କୁ ରାମଚନ୍ଦ୍ରଙ୍କ ସର୍ବାଙ୍ଗସୁନ୍ଦର ଚରିତ୍ରର ଯେଉଁ ଆଲେଖ୍ୟ ପ୍ରଦାନ କରିଅଛନ୍ତି, ତାହା ପାଠକଲେ କାହାର ହୃଦୟ ମୋହିତ ନୋହିବ? ରାମଚନ୍ଦ୍ର ବୀର୍ଯ୍ୟ, ଧୈର୍ଯ୍ୟ, ଗମ୍ଭୀରତା, ଦୟା, ସରଳତା, ପବିତ୍ରତା ପ୍ରଭୃତି ଗୁଣର ଆଧାର ହୋଇ ଭୂମଣ୍ଡଳରେ ଅବତୀର୍ଣ୍ଣ ହୋଇଥିଲେ । ବିପଦ ଅଥବା ସମ୍ପଦରେ ସେ କଦାପି ଅଧୀର ଅବା ପ୍ରମତ୍ତ ହୋଇନଥିଲେ । ସତ୍ୟନିଷ୍ଠା ତାଙ୍କ ହୃଦୟରେ ଏପରି ବଳବତୀ ଥିଲା ଯେ ସେ ପିତୃସତ୍ୟରକ୍ଷାର୍ଥ ବିପୁଳ ସାମ୍ରାଜ୍ୟସୁଖ ପରିତ୍ୟାଗ କରି ଚତୁର୍ଦ୍ଦଶ ବର୍ଷକାଳ ଅରଣ୍ୟବାସୀ ହୋଇ ଦୁର୍ବିସହ କଷ୍ଟ ଏବଂ ଦୁର୍ଦ୍ଦଶା ଭୋଗକଲେ । ଯେଉଁ ବିମାତା ନିଜ ସ୍ୱାର୍ଥସିଦ୍ଧି ନିମିତ୍ତ ତାହାଙ୍କୁ ଏତାଦୃଶ କଷ୍ଟ ଦେଇଥିଲା, ତାହାକୁ ସେ କୌଣସି ପ୍ରକାରେ ଅବମାନିତ ନକରି ନିଜ ମହାନୁଭବତାରେ ଭକ୍ତିପୂର୍ଣ୍ଣ ଶୁଶ୍ରୂଷା କରିବାରେ ତ୍ରୁଟି କରିନଥିଲେ । ତାହାଙ୍କର ପ୍ରଜାବାତ୍ସଲ୍ୟ ଏପରି ପ୍ରବଳ ଥିଲା ଯେ ସେ ତାହାଙ୍କର ପ୍ରିୟତମା ପତ୍ନୀକୁ ସୁଦ୍ଧା ପ୍ରଜାରଞ୍ଚନ ନିମିତ୍ତ ପରିତ୍ୟାଗ କରିଥିଲେ ।

 

ରାମାୟଣରେ ଜନକନନ୍ଦିନୀ ରାମହୃଦୟଜ୍ୟୋସ୍ନାରୂପିଣୀ ସୀତାଙ୍କର ହୃଦୟହାରୀ ପବିତ୍ର ଚିତ୍ର ଯେପରି ଚିତ୍ରିତ ହୋଇଅଛି, ଏପରି ସତୀ ନାରୀର ଚିତ୍ର ଯେପରି ଚିତ୍ରିତ ହୋଇଅଛି, ଯେପରି ସତୀ ନାରୀର ଚିତ୍ର ଅନ୍ୟ କୌଣସି ଦେଶର ସାହିତ୍ୟରେ ନାହିଁ । ସୀତା ଏକାନ୍ତ ପତିପ୍ରାଣା ଓ ସରଳହୃଦୟା ଥିଲେ । ଦୁର୍ବୃତ୍ତ ରାବଣ ତାହାଙ୍କୁ ହରଣ କରି ନେଇଥିଲା ସତ୍ୟ; କିନ୍ତୁ ତାହାଙ୍କ ସତୀତ୍ୱର ପବିତ୍ର ପ୍ରଭାବ ଦର୍ଶନ କରି ସେ ଏପରି ହତବୁଦ୍ଧି ହୋଇଥିଲା ଯେ କଦାପି ତାଙ୍କର ଅଙ୍ଗକୁ ନିଜ ଅପବିତ୍ର ହସ୍ତରେ ସ୍ପର୍ଶ କରିପାରି ନ ଥିଲା । ସୀତା ଏପରି ପ୍ରଗାଢଭାବରେ ପତିଙ୍କୁ ଭକ୍ତି କରୁଥିଲେ ଯେ ସେ ରାମଚନ୍ଦ୍ରଙ୍କକର୍ତ୍ତୁକ ଅକାରଣରେ ନିର୍ଦ୍ଦୟରୂପେ ନିର୍ବାସିତା ହୋଇ ସୁଦ୍ଧା ମୁହୂର୍ତ୍ତକ ପାଇଁ ପତିନିନ୍ଦା କରିନଥିଲେ । ସୀତା ରାଜନନ୍ଦିନୀ ଏବଂ ରାଜମହିଷୀ ଥିଲେ, ତଥାପି ସେ କଦାପି ଐଶ୍ୱର୍ଯ୍ୟ ପ୍ରାର୍ଥନା କରି ନ ଥିଲେ; ବରଂ ସ୍ୱାମୀଙ୍କ ସୁଖରେ ସୁଖୀ ଏବଂ ସ୍ୱାମୀଙ୍କ ଦୁଃଖରେ ଦୁଃଖୀ ହେବା ତାହାଙ୍କର ଏକମାତ୍ର କର୍ତ୍ତବ୍ୟ ଜାଣି, ସମସ୍ତେ କଷ୍ଟକୁ ତୁଚ୍ଛ ମଣି ରାମଚନ୍ଦ୍ରଙ୍କ ସଙ୍ଗରରେ ଘୋର ଅରଣ୍ୟ ମଧ୍ୟରେ ପରିଭ୍ରମଣ କରିଥିଲେ । ସୀତାଙ୍କର ପାତିବ୍ରତ୍ୟ, ତାଙ୍କର ଦୁଃଖ ଏବଂ ପବିତ୍ରତା ବିଷୟ ସ୍ମୃତିପଥାରୂଢ଼ ହେଲେ କାହାର ହୃଦୟ ବିଗଳିତ ନ ହୁଏ । କେଉଁ ହୃଦୟବାନ୍‌ ବ୍ୟକ୍ତି ତାଙ୍କ ଚରିତ୍ର ଶ୍ରବଣ କରି ଅଶ୍ରୁ ବିସର୍ଜନ ନ କରି ରହିପାରିବ !

 

ରାମାୟଣରେ ଅସାମାନ୍ୟ ସୌଭ୍ରାତ୍ର, ସୁହୃତ୍‌ପ୍ରେମ ଏବଂ ଅସାମାନ୍ୟ ପ୍ରଭୁଭକ୍ତିର ଛବି ଚିତ୍ରିତ ହୋଇଅଛି । ଭରତ ଏବଂ ଲକ୍ଷ୍ମଣ ଅସାଧାରଣ ଭକ୍ତିସହକାରେ ରାମଙ୍କ ସେବା କରିଥିଲେ । ସୁଶୀଳ ଭରତ ସାମ୍ରାଜର ଲୋଭ ବିସର୍ଜନ କରି ରାମଚନ୍ଦ୍ରଙ୍କର ପାଦୁକାକୁ ଚତୁର୍ଦ୍ଦଶ ବର୍ଷ ପର୍ଯ୍ୟନ୍ତ ରାଜ୍ୟରର ଅଧିଷ୍ଠାତ୍ରୀ ଦେବତାରୂପେ ପୂଜା କରିଥିଲେ । ଲକ୍ଷ୍ମଣ ମଧ୍ୟ ରାମଚନ୍ଦ୍ରଙ୍କ ଚରଣରେ ନିଜ ଜୀବନ ସଂପୂର୍ଣ୍ଣରୂପେ ସମର୍ପଣ କରିଥିଲେ । ସୁଗ୍ରୀବ ଏବଂ ବିଭୀଷଣ ଅସାମାନ୍ୟ ସୁହୃତ୍‌ପ୍ରଣୟ ପ୍ରଦର୍ଶନ କରିଥିଲେ । ହନୁମାନ ଅସାଧାରଣ ପ୍ରଭୁଭକ୍ତିର ଆଦର୍ଶ ସ୍ଥଳ ଅଟେ ।

 

ଯେଉଁ ସାମରିକ ଘଟନାକୁ ଅବଲମ୍ବନ କରି ଉଲ୍ଲେଖିତ ଇଲିଅଡ୍‌ ମହାକାବ୍ୟ ରଚିତ ହୋଇଥିଲା, ତାହାସହିତ ରାମାୟଣବର୍ଣ୍ଣିତ କଥାର ଅତ୍ୟନ୍ତ ସୌସାଦୃଶ୍ୟ ଲକ୍ଷିତ ହୁଏ । ଇଲିଅଡ୍‌ରେ ଯେଉଁ ବିଷୟ ଅବଲମ୍ବିତ ହୋଇଅଛି, ତାହା ଏହି : ପ୍ରାଚିନ ଗ୍ରୀସ୍‌ ଦେଶରେ ସ୍ପାର୍ଟାନାମ୍ନୀ ଗୋଟିଏ ଋଦ୍ଧିମତୀ ନଗରୀ ଥିଲା । ଏହି ନଗରୀର ଅଧିଶ୍ୱର ମେନେଲେଅସ୍‌ଙ୍କର ହେଲେନା ନାମ୍ନୀ ପରମ ରୁପବତୀ ପତ୍ନୀ ଥିଲେ । ଆସିୟାମାଇନର ପ୍ରଦେଶର ଅନ୍ତର୍ଗତ ପ୍ରାଚୀନ ଇଲିଅମ୍‌ ନାମକ ନଗରର ଜନୈକ ରାଜପୁତ୍ର ସ୍ପାର୍ଟାକୁ ଆଗମନ କରି ସେଠାରେ ମେନେଲେଅସ୍‌ଙ୍କର ଆତିଥ୍ୟ ଗ୍ରହଣ କରିଥିଲେ । ତାଙ୍କର ନାମ ପାରିସ୍‌ ଥିଲା ଏବଂ ସେ ପରମ ରୂପବାନ୍‌ ଥିଲେ । ହେଲେନାଙ୍କ ଅସାମାନ୍ୟ ରୂପବାନ୍‌ ଥିଲେ । ହେଲେନାଙ୍କ ଅସାମାନ୍ୟ ରୂପଲାବଣ୍ୟରେ ମୋହିତ ହୋଇ ସେ ତାଙ୍କୁ ହରଣ କରି ସ୍ୱଦେଶକୁ ଘେନିଗଲେ । ହେଲେନା ମଧ୍ୟ ପରମସୁନ୍ଦର ପାରିସ୍‌ଙ୍କୁ ନିଜ ହୃଦୟ ପ୍ରଦାନ କରିଥିଲେ । ମେନେଲେଅସ୍‌ ଏହି ଅଲୋକସାମାନ୍ୟ ପ୍ରବଞ୍ଚନା ଏବଂ ଅପମାନର ପ୍ରତିଶୋଧ ନେବାପାଇଁ ବ୍ୟାକୁଳ ହୋଇ ଗ୍ରୀକ୍‌ ନରପତିମାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ସମସ୍ତ ଗ୍ରୀକ୍‌ ଜାତି ତାହାଙ୍କର ସହାୟତା କରିବାରୁ ସେ ଦ୍ୱାଦଶଶତ ରଣତରୀ ସଙ୍ଗରେ ଘେନି ଇଲିଅମ୍‌ ଆକ୍ରମଣ କଲେ । ଦଶବର୍ଷ ପର୍ଯ୍ୟନ୍ତ ଘୋର ଯୁଦ୍ଧ ହେଲା । ତଦନନ୍ତର ଇଲିଅମ୍‌ ବୀରଶୂନ୍ୟ ହୋଇ ଶତ୍ରୁକର୍ତ୍ତୃକ ସମ୍ପର୍ଣ୍ଣରୂପେ ବିଧ୍ୱସ୍ତ ହେଲା ।

 

ନୈତିକ ଭାବସମ୍ୱନ୍ଧରେ ରାମାୟଣ ଇଲିଅଡ୍‌ ଅପେକ୍ଷା ବହୁ ଗୁଣରେ ଉତ୍କୃଷ୍ଟ ଅଟେ । ସୀତାଙ୍କର ଅସାମାନ୍ୟ ପାତିବ୍ରତ୍ୟ, ଭରତ ଏବଂ ଲକ୍ଷ୍ମଣଙ୍କର ଅସାଧାରଣ ଭ୍ରାତୃପ୍ରେମ, ଦଶରଥ ଏବଂ କୌଶଲ୍ୟାଙ୍କର ଅପତ୍ୟବାତ୍ସଲ୍ୟ, ରାମଙ୍କର ପିତୃଭକ୍ତି, ଉଦାରତା ଏବଂ ସତ୍ୟନିଷ୍ଠ ଇଲି୍ଅଡର କୌଣସି ନାୟକନାୟିକାମାନଙ୍କ ଚରିତ୍ରରେ ଲକ୍ଷିତ ହୁଅଇ ନାହିଁ । ଇଲିଅଡ୍‌ର ବୀରମାନେ ଶୌର୍ଯ୍ୟ ବିଷୟରେ ରାମାୟଣର ବୀରମାନଙ୍କ ସମକକ୍ଷ; କିନ୍ତୁ ଉଦାରତା ବିଷୟରେ ସେମାନେ ନିଚଭାବାପନ୍ନ । ଇଲିଅମ୍‌ର ବୀରଶ୍ରେଷ୍ଠ ହେକ୍‌ଟରଙ୍କ ପ୍ରତି ଗ୍ରକ୍‌ ବୀର ଏକିଲିସ୍‌ ଯେ ପ୍ରକାର ବ୍ୟବହାର କରିଥିଲେ, ତାହା ସଙ୍କରେ ରାବଣ ପ୍ରତି ରାମଚନ୍ଦ୍ରଙ୍କ ବ୍ୟବହାର ତୁଳନା କଲେ ଏହି ବିଷୟ ବିଶଦରୂପେ ହୃଦୟଙ୍ଗମ ହେବ । ଏକିଲିସ୍‌ ନିହତ ଶତ୍ରୁପ୍ରତି ନିର୍ଦ୍ଦୟତା ଏବଂ ବର୍ବରୋଚିତ କ୍ରୋଧର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ରାମ ପତିତ ଶତ୍ରୁପତି ଦୟା ଏବଂ ଉଦାରତାର ପରାକାଷ୍ଠା ଦେଖାଇଥିଲେ । ଆଚାରବ୍ୟବହାର ଏବଂ ସୁଖସମୃଦ୍ଧି ବିଷୟରେ ରାମୟଣା ଅପେକ୍ଷା ଇଲିଅଡ୍‌ ଉଚ୍ଚ ସଭ୍ୟତାର ପରିଜୟ ସ୍ଥଳ ନୁହେଁ ।

 

ବୀରଚରିତ୍ର ଚିତ୍ରବିଷୟରେ ଇଲିଅଡ୍‌ ରାମାୟଣ ଅପେକ୍ଷା ଶେଷ୍ଠ ଅଟେ । ବାଲ୍ମୀକି ଭାରତୀୟ ବୀରମାନଙ୍କର ଯେଉଁ ଆଲେଖ ଅଙ୍କିତ କରିଅଛନ୍ତି ତାହା ଅତିରଂଜିତ, ଅତ୍ୟୁକ୍ତି ଏବଂ ଲୋକାତୀତ ଭାବରେ ପରିପୂର୍ଣ୍ଣ । ଇଲିଅଡ୍‌ର ଚିତ୍ରସମୂହ ସ୍ୱଭାବସଙ୍ଗତ । ହୋମର୍‌ଙ୍କ ବୀରମାନେ ମନୁଷ୍ୟଧର୍ମାକ୍ରାନ୍ତ ଏବଂ ସମସ୍ତ କାର୍ଯ୍ୟରେ ମନୁଷ୍ୟବତ୍‌ । ହୋମର୍‌ କାହାକୁ ବାନର, ରକ୍ଷ ଅବା ରାକ୍ଷସରୂପେ ଚିତ୍ରିତ କରିନାହାନ୍ତି । ଗ୍ରୀକ୍‌ କବିଙ୍କର କଳ୍ପନା ଦଶଶିର, ବଂଶବାହୁ ପ୍ରଭୃତି ଅମାନୁଷ ଏବଂ ଅସ୍ୱାଭାବିକ ବିଷୟଦ୍ୱାରା ମନୁଷ୍ୟ ଚିତ୍ରକୁ ବିକୃତ କରିନାହିଁ ।

 

ନାଟକୀୟ ଛଟା ବିଷୟରେ ରାମାୟଣ ଇଲିଅଡ୍‌ ଅପେକ୍ଷା ନିକୃଷ୍ଟ ଅଟେ । ରାମାୟଣରେ କବି ନିଜେ ଅଧିକାଂଶ ସ୍ଥଳରେ ନାୟକ ଓ ଉପନାୟକମାନଙ୍କର ଚରିତ୍ର ବର୍ଣ୍ଣନା କରିଅଛନ୍ତି । ଇଲିଅଡ୍‌ରେ କବି ବୀରମାନଙ୍କ ଚରିତ୍ର ସମ୍ବନ୍ଧରେ ନିଜେ ନିରବ ଥାଇ ସେହି ବୀରମାନଙ୍କ ତୁଣ୍ଡରେ ଯେଉଁ କଥାମାନ ଦେଇଅଛନ୍ତି, ତହିଁରୁ ସେମାନଙ୍କ ଚରିତ୍ର ସ୍ପଷ୍ଟରୂପେ ପ୍ରତିଭାତ ହେଉଅଛି । ଏହି ନାଟକୀୟ ଛଟା ଯେ ରାମାୟଣରେ ନାହିଁ, ଆମ୍ଭେମାନେ ଏମନ୍ତ କହୁନାହୁଁ । ହୋମର୍‌ରଚିତ ମହାକାବ୍ୟରେ ଏହା ଯେପରି ଲକ୍ଷିତ ହୁଅଇ ନାହି । ଆହୁରି ଇଲିଅଡ୍‌ବର୍ଣ୍ଣିତ ଘଟନା ଅଳ୍ପ ସ୍ଥାନ ଏବଂ ଅଳ୍ପ କାଳବ୍ୟାପିନୀ ଅଟେ । ରାମାୟଣରେ ସେପରି ହୋଇନାହିଁ । ରାମାୟଣର ଘଟନା ଚତୁର୍ଦ୍ଦଶ ବର୍ଷକାଳବ୍ୟାପୀ ସମୁଦାୟ ଭାରତ ମହାଦେଶରେ ବିସ୍ତୃତ ଥିଲା ।

 

ରାମାୟଣରେ ପୁରୁଷଚିତ୍ର ଅତିରଞ୍ଜିତ ହୋଇଥିଲେହେଁ ନାରୀଚିତ୍ର ସମ୍ପୂର୍ଣ୍ଣରୂପେ ପ୍ରାକୃତ ଏବଂ ସ୍ୱଭାବସଙ୍ଗତ ହୋଇଅଛି । ଗାର୍ହସ୍ଥ୍ୟଜୀବନର ବର୍ଣ୍ଣନ ବିଷୟରେ ଇଲିଅଡ୍‌ ରାମାୟଣ ଅପେକ୍ଷା ନିକୃଷ୍ଟ ଅଟେ । କୈକେୟୀ, ମନ୍ଥରା, କୌଶଲ୍ୟା, ସନ୍ଦୋଦରୀ, ସୀତା ଏହି ନାରୀମାନଙ୍କର ଚରିତ୍ର ଅସାମାନ୍ୟ ନୈପୁଣ୍ୟ ସହକାରେ ଚିତ୍ରିତ ହୋଇଅଛି । ଅଧୁନାତନ ସମୟରେ ଭାରତବର୍ଷରେ ନାରୀସ୍ୱାଧିନତା ସମ୍ବନ୍ଧରେ ଯେଉଁ ଭୟାନକ କୁସଂସ୍କାରମାନ ବର୍ତ୍ତମାନ ଅଛି, ରାମାୟଣ ରଚନା କାଳରେ ସେସବୁ ନ ଥିଲା । ରାଜମହିଷୀମାନେ ସଭାସ୍ଥଳରେ ଉପସ୍ଥିତ ହୋଇ ଅମାତ୍ୟମାନଙ୍କ ସହିତ କଥୋପକଥନ କରୁଥିଲେ ଏବଂ ପୁରନାରୀମାନେ ଅପରିଚିତ ଅତିଥିମାନଙ୍କୁ ସାଦର ସମ୍ଭାଷଣପୂର୍ବକ ଯଥାବିଧି ଅଭ୍ୟର୍ଥନା କରୁଥିଲେ ।

 

ଧର୍ମନୀତି

୧.

କ୍ଷୁଦ୍ର ପରିମିତ ପଦାର୍ଥ ମନୁଷ୍ୟର ଆତ୍ମାକୁ ପରିତୃପ୍ତି କରି ନ ପାରେ । କ୍ଷୁଦ୍ର ଅନିତ୍ୟ ବିଷୟ-ସମ୍ପଦରେ ଆତ୍ମା ତୃପ୍ତ ହୁଏ ନାହିଁ । ଅନନ୍ତପୂର୍ଣ୍ଣ ଭୂମା ମହାନ୍‌ ପରମେଶ୍ୱର ଆମ୍ଭମାନଙ୍କର ତୃପ୍ତିସ୍ଥଳ । ହେ ସନୁଷ୍ୟ, ତାହାଙ୍କ ଉପରେ ଏକାନ୍ତ ନିର୍ଭର କର ଏବଂ ଭକ୍ତିସହକାରେ ତାହାଙ୍କର ଆରାଧନା କର ।

୨.

ନିଖିଳ ବିଶ୍ୱର ଏକମାତ୍ର କାରଣ ମଙ୍ଗଳମୟ ପରମେଶ୍ୱରଙ୍କର ପବିତ୍ର ବିଧି ଏବଂ ଆଦେଶ ଜିବନରେ ଉପଲବ୍‌ଧି କରି ତାହା ଅନୁଷ୍ଠାନ କରିବା ଧର୍ମ । ହେ ମନୁଷ୍ୟ, ସର୍ବଦା ଧର୍ମାଚରଣ କର । ଧର୍ମ ସମସ୍ତଙ୍କ ପକ୍ଷରେ ସର୍ବଶ୍ରେଷ୍ଠ ଅବଲମ୍ବନ ଏବଂ ଅମୃତମୟ ମଧୁସ୍ୱରୂପ ।

୩.

କଦାପି ସତ୍ୟରୁ ବିଛିନ୍ନ ହେବନାହିଁ, ଧର୍ମରୁ ବିଛିନ୍ନ ହେବନାହି, ମଙ୍ଗଳରୁ ବିଛିନ୍ନ ହେବାନାହିଁ ।

୪.

ହିତକର ଶ୍ରମ ନିମିତ୍ତ ମନୁଷ୍ୟର ଯେପରି ଅବୟବ ଅଛି, ସେହିପରି ଧର୍ମ ଓ ସତ୍ୟଲାଭ କରିବା ନିମିତ୍ତ ତାହାର ମନୋବୃତ୍ତି ଅଛି । ହିତକର ଶ୍ରମ ଓ ଧର୍ମ ଘନିଷ୍ଠଭାବରେ ସମ୍ବନ୍ଧ । ଶାରୀରିକଶ୍ରମ ଶରୀରର ଏବଂ ମାନସିକଶ୍ରମ ମନର ସ୍ୱାସ୍ଥ ବିଧାନ ନିମିତ୍ତ ଏକାନ୍ତ ଆବଶ୍ୟକ । କୌଣସି ପ୍ରକାର ବୈଧ ଶ୍ରମକୁ ନୀଚ ବୋଲି ଗଣନା କରିବ ନାହିଁ ।

୫.

କୁଳପାବନ ସତ୍‌ପୁତ୍ର ହୋଇ ଯତ୍ନ ସହକାରେ ପିତାମାତାଙ୍କର ସେବା କରିବା । ନିଜର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣସାଧନ କରିବ ଏବଂ ଯଥାଶକ୍ତି ସଂସାରର ହିତ ଅନୁଷ୍ଠାନ କରିବ ।

୬.

ବିଷୟାସକ୍ତିରେ ସଗ୍ନ ହୋଇ ଧର୍ମକୁ ଉପେକ୍ଷା କରିବ ନାହିଁ । ବାକ୍‌, ମନଃ ଓ ଇନ୍ଦିୟମାନଙ୍କୁ ସର୍ବଦା ସଂଯତ ରଖି ନ୍ୟାୟ ଓ ମଙ୍ଗଳ ପଥରେ ବିଚରଣ କରିବ । ସାଧୁ ଉପାୟ ଅବଲମ୍ବନ କରି ସାଧୁତାର ପ୍ରତିବିଧାନ କରିବ । ଅସାଧୁତାକୁ ସାଧୁତାଦ୍ୱାରା ଜୟ କରିବ ।

୭.

ଯତ୍ନପୂର୍ବକ ସାଧୁସଙ୍ଗ କରିବ ଏବଂ ଅସାଧୁ ସଂସର୍ଗ ପରିତ୍ୟାଗ କରିବ ।

୮.

ଦ୍ୱେଷ ଓ କ୍ରୋଧ ସମ୍ବରଣ କରିବ । କ୍ଷମା ଓ ପ୍ରୀତି ସହିତ ସମସ୍ତଙ୍କ ପ୍ରତି ସଦ୍‌ବ୍ୟବହାର କରିବ ।

 

 

୯.

ଉପକରୀ ବ୍ୟକ୍ତିପ୍ରତି କୃତଜ୍ଞ ହେବ । କେହି ସାମାନ୍ୟ ଉପକାର କଲେ ସୁଦ୍ଧା ତାହାଙ୍କ ପ୍ରତି ଶ୍ରଦ୍ଧା ଅର୍ପଣ କରିବ। କୃତଘ୍ନତା ଅତି ଭୟଙ୍କର ପାପ ।

୧୦.

ପରଶ୍ରୀକାତରତା ଅତି କୁତ୍ସିତ ବ୍ୟାଧି, ସମସ୍ତଙ୍କ ମଙ୍ଗଳରେ ନିଜର ମଙ୍ଗଳ ସନ୍ନିବିଷ୍ଟ ଜାଣି କ୍ଷୁଦ୍ର, ନିଚ ଓ ଈର୍ଷାଭାବକୁ ହୃଦୟରେ ସ୍ଥାନ ଦେବ ନାହିଁ ।

୧୧.

ପରମେଶ୍ୱରଙ୍କୁ ଭକ୍ତି କରିବା ଏବଂ ମନୁଷ୍ୟକୁ ପ୍ରୀତି କରିବା ଶ୍ରେଷ୍ଠ ଧର୍ମ ଅଟେ । ଅତଏବ୍ ପରନିନ୍ଦା ଏବଂ ପରେପକାର ପ୍ରଭୃତି ପାପରୁ ବିରତ ହେବ ।

୧୨.

ନିଜର ସୌଭାଗ୍ୟ ଓ ସଦ୍‌ଗୁଣ ନିମିତ୍ତ ଅହଙ୍କାର କରିବା ନାହିଁ । ବିନୟଦ୍ୱାରା ଅହଂକାରକୁ ଜୟ କରିବ । ବିନୟ ସର୍ବପ୍ରକାର ମଙ୍ଗଳର ହେତୁ ।

୧୩.

ମାଦକଦ୍ରବ୍ୟ ସେବନ କରିବ ନାହିଁ । ଦେହ ଓ ମନକୁ ସର୍ବଦା ପବିତ୍ର ରଖିବ । ସାରଥି ଯେପରି ଅଶ୍ୱମାନଙ୍କୁ ସଂଯତ କରେ, ସାହିପରି ପ୍ରବୃତ୍ତିମାନଙ୍କୁ ସର୍ବଦା ସୁଶାସିତ କରି ପାପଚିନ୍ତା, ପାପାଳାପ ଏବଂ ପାପାନୁଷ୍ଠାନରୁ ବିରତ ହୋଇ ଧର୍ମରେ ମତି ନିବିଷ୍ଟ କରିବ-

୧୪.

ସୁଶୀଳ, ପବିତ୍ର, ସାଧୁ, ସର୍ମପରାୟଣ ବ୍ୟକ୍ତିମାନେ ଧନ୍ୟ; କାରଣ ସେମାନେ ଜଗତର ମଙ୍ଗଳକାରୀ ଅଟନ୍ତି ।

୧୫.

ପବିତ୍ରତା ଶିକ୍ଷା କର, ସତ୍‌ ପ୍ରଶଂସାର ଉପଯୁକ୍ତ ହୁଅ, ମନ ସଚ୍ଚିନ୍ତା ଚିନ୍ତାକରୁ, ରସନା ଶୁଭକଥା କହୁ, କାର୍ଯ୍ୟ ଶୁଭାନୁଷ୍ଠାନ କରୁ । ସମସ୍ତ ଦୁଷ୍ଟି ଚିନ୍ତା ପାଳୟନ କରୁ, ସମସ୍ତ ଦୁଷ୍ଟବାକ୍ୟ ଲୁପ୍ତ ହେଉ, ସମସ୍ତ ଦୁଷ୍ଟକାର୍ଯ୍ୟ ବନିଷ୍ଟ ହେଉ ।

Image

 

ଗତି

 

ଏହି ଅନନ୍ତ ବ୍ରାହ୍ମଣ ମଧ୍ୟରେ ଏମନ୍ତ କୌଣସି ପଦାର୍ଥ ନାହିଁ, ଯାହା ଗତିଶୂନ୍ୟ ଚିନ୍ତାଶୂନ୍ୟ ତତ୍ତ୍ୱାନଭିଜ୍ଞ ବ୍ୟକ୍ତିମାନେ ସ୍ଥିରତାକୁ ଜଗତର ସ୍ୱଭାବସିଦ୍ଧ ଅବସ୍ଥା ବୋଲି ଜ୍ଞାନ କରନ୍ତି; କିନ୍ତୁ ବାସ୍ତବରେ ତାହା ନୁହେଁ । ଆମ୍ଭେମାନେ ପର୍ବତାଦି ଯେଉଁ ପଦାର୍ଥ ନିଚୟକୁ ଅଚଳ ଏବଂ ଗତିହୀନ ବୋଲି ମନେକରୁଁ, ବାସ୍ତବରେ ସେମାନେ ଗତିବିଶିଷ୍ଟ । ସେମାନେ ନିତ୍ୟ ଆବର୍ତ୍ତନଶୀଳ-; ପୃଥିବୀ ସଙ୍ଗରେ ନିତ୍ୟ ଆବର୍ତ୍ତନ କରୁଅଛନ୍ତି । ଆହୁରି ପୃଥିବୀସ୍ଥ ପଦାର୍ଥମାନ ଯେ କେବଳ ତାହାର ଆବର୍ତ୍ତନଯୋଗୁଁ ଗତିବିଶିଷ୍ଟ, ଏମନ୍ତ ନୁହେଁ । ପ୍ରତ୍ୟେକ ପଦାର୍ଥର ଦୁଇଗୋଟି ବିଭିନ୍ନ ଗତି ଅଛି, ବାହ୍ୟ ଏବଂ ଆଭ୍ୟନ୍ତରିକ । ପଦାର୍ଥର ବାହ୍ୟଗତି ମାଧ୍ୟାକର୍ଷଣଜନିତ ଅଟେ ; କିନ୍ତୁ ନିମ୍ନସ୍ଥ ଭୂମି ଏହି ଗତିର ପ୍ରତିରୋଧକ ହେବାରୁ ପଦାର୍ଥମାନ ସ୍ଥିର ବୋଲି ପ୍ରତୀୟମାନ ହୁଏ । କୌଣସି ବସ୍ତୁର ଆଭ୍ୟନ୍ତରିକ ଗତି ତାହାର ପରମାଣୁଗତ ଅଟେ । ପ୍ରତ୍ୟେକ ପଦାର୍ଥର ତାପ ବିଦ୍ୟମାନ ଅଛି । ତାପର ନିରବଚ୍ଛିନ ଅଭାବ କୌଣସି ପଦାର୍ଥରେ ନାହିଁ । ଯାହାକୁ ଆମ୍ଭେମାନେ ଅତ୍ୟନ୍ତ ଶୀତଳ ବୋଲି କହୁ, ସେଥିରେ ଯେ ତାପ ନାହିଁ ଏମନ୍ତ ନୁହେଁ; କେବଳ ତାପର ନ୍ୟୂନତାକୁ ଆମ୍ଭେମାନେ ଭ୍ରମାଧୀନ ହୋଇ ତାପଶୂନ୍ୟତା ବୋଲି ମଣୁ । ବିଜ୍ଞାନବିତ୍‌ମାନେ ସ୍ଥିର କରିଅଛନ୍ତି ଯେ ଏହି ତାପ ପରମାଣୁମାନଙ୍କର ଆନ୍ଦୋଳନ ମାତ୍ର । ଯେହେତୁ ତାପ ସମସ୍ତ ପଦାର୍ଥରେ ବିଦ୍ୟମାନ ଅଛି, ଅତଏବ ସମସ୍ତ ପଦାର୍ଥ ଆଭ୍ୟନ୍ତରିକ ଗତିବିଶିଷ୍ଟ ଅଟେ ।

 

ଆଲୋକ ମଧ୍ୟ ଏକପ୍ରକାର ଗତି ଅଟେ । ଇଉରୋପୀୟ ବିଜ୍ଞାନପରାୟଣ ପଣ୍ତିତମାନେ ସ୍ଥିର କରିଅଛନ୍ତି ଯେ ଆମ୍ଭମାନଙ୍କ ଦୃଷ୍ଟିର ବିଷୟୀଭୂତ ଆଲୋକ ଇଥର୍‌ ନାମକ ଆକାଶୀୟ ତରଳ ପଦାର୍ଥର ପରିମାଣସମଷ୍ଟିର ଆନ୍ଦୋଳନ ମାତ୍ର । ଅତଏବ ସ୍ପଷ୍ଟରୂପେ ପ୍ରତିପନ୍ନ ହେଉଅଛି ଯେ ପାର୍ଥିବ ସମସ୍ତ ପଦାର୍ଥ ଆଭ୍ୟନ୍ତରିକ ଗତିବିଶିଷ୍ଟ ।

 

ପୃଥିବୀ ଏବଂ ସୌରଜଗତର ଅନ୍ତର୍ଗତ ଅନ୍ୟାନ୍ୟ ଗ୍ରହମାନେ ମଧ୍ୟ ଗତିଯୁକ୍ତ ଅଟନ୍ତି । ସେମାନେ ପ୍ରଖର ଏବଂ ବିସ୍ମୟକର ବେଗରେ ଆକାଶମାର୍ଗରେ ଅବିରାମ ଭାବରେ ଧାବମାନ ହୋଇ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଅଛନ୍ତି । ସୂର୍ଯ୍ୟ ସ୍ୱୟଂ ଗତିବିଶିଷ୍ଟ । ଜ୍ୟୋତିର୍ବିଦ୍‌ମାନେ ଗଣନା କରିଅଛନ୍ତି ଯେ ସୂର୍ଯ୍ୟ ନିଜେ ପ୍ରତି ଘଣ୍ଟାରେ ପ୍ରାୟ ୧୮,୦୦୦ ମାଇଲ୍‌ ଲେଖାଏଁ ଆକାଶମାର୍ଗରେ ପରିଭ୍ରମଣ କରୁଅଛି । ଯେଉଁ ଅଗଣ୍ୟ ନକ୍ଷେତ୍ରପୁଞ୍ଜ ରଜନୀର ଅନ୍ଧକାରରେ ଆମ୍ଭମାନଙ୍କ ନୟନଗୋଚର ହୁଅନ୍ତି ଏବଂ ଯେଉଁମାନଙ୍କୁ ଜ୍ୟୋତିର୍ବିଦ୍‌ମାନେ ଏକ ଏକ ସୌରଜଗତର କେନ୍ଦ୍ର ବୋଲି ଅବଧାରଣ କରିଅଛନ୍ତି, ସେମାନେ ମଧ୍ୟ ପରିଭ୍ରମଣଶୀଳ । ପୃଥିବୀ ପ୍ରଭୃତି ଗ୍ରହବୃନ୍ଦ ଯେଉ୍ୟ ମାଧ୍ୟାକର୍ଷଣ ନିୟମର ଅଧିନ ହୋଇ ଆବର୍ତ୍ତଦଶୀଳ ହୋଇଅଛନ୍ତି, ଅନନ୍ତ ନାକ୍ଷତ୍ରିକ ବିଶ୍ୱ ମଧ୍ୟ ସେହି ବ୍ୟାପକ ନିୟମର ଶାସନରେ ରହି ପ୍ରଚଣ୍ଡ ବେଗରେ ଆକାଶପଥରେ ଧାବିତ ହେଉଅଛି । ସମସ୍ତ ନକ୍ଷେତ୍ରପୁଞ୍ଜ କି ଉଦ୍ଦେଶ୍ୟରେ ଏବଂ କେଉଁଆଡ଼କୁ ଏପରି ଭୟଙ୍କର ବେଗରେ ଗତି କରୁଅଛନ୍ତି; ତାହା ଅବଧାରଣ କରିବା ମନୁଷ୍ୟଶକ୍ତିର ଅତୀତ । ଅନନ୍ତ ବ୍ରହ୍ମଣର ଏହି ବିସ୍ମୟକର ଗତି ବିଷୟ ଆଲୋଚନା କରି କାହାର ହୃଦୟ ସ୍ତବ୍‌ଧ ନୋହିବ ? ଏହି ପ୍ରକାଣ୍ଡ ତତ୍ତ୍ୱାତୀତ ବ୍ୟାପାର ଚିନ୍ତା କରି କିଏ ଅନନ୍ତ ବ୍ରହ୍ମାଣ୍ଡପତିଙ୍କର ବିଶ୍ୱବ୍ୟାପକ ମହିବା ସମକ୍ଷରେ ବିନୀତ ଚିତ୍ତରେ ପ୍ରଣତ ନ ହେବ ?

 

ଗତି କେବଳ ପ୍ରକାଣ୍ଡ ଜଡ଼ ବ୍ରହ୍ମାଣ୍ଡର ସ୍ୱଭାବିକ ଅବସ୍ଥା, ଏମନ୍ତ ନୁହେଁ । ପ୍ରାଣିଜଗତ୍‌ ଏବଂ ମନୋଜଗତ୍‌ରେ ମଧ୍ୟ ଗତି ସର୍ବବ୍ୟାପିନୀ ଅଟେ । ମନୋଜଗତ୍‌ରେ ମଧ୍ୟ ଗତି ସର୍ବବ୍ୟାପିନୀ ଅଟେ । ଗତି ଜୀବନର ପ୍ରଧାନ ଲକ୍ଷଣ ଅଟେ । ଶରୀରରେ ଶୋଣିତ ଏବଂ ଶ୍ୱାସବାୟୁର ଗତି ସର୍ବଦା ଅନୁଭୂତ ହେଉଅଛି । ଶୋଣିତ-ସଞ୍ଚାର ଅଥବା ଶ୍ୱାସପ୍ରକ୍ରିୟା ସ୍ଥଗିତ ହେଲେ ମୃତ୍ୟୁ ଉପସ୍ଥିତ ହୁଏ । ଯେଉଁ ଆତ୍ମାର ବୃତ୍ତିଚୟ ନିଶ୍ଚେଷ୍ଟ ଭାବରେ ନ ରହି ଗତିବିଶିଷ୍ଟ ଅର୍ଥାତ୍‌ ସ୍ୱୀୟ କାର୍ଯ୍ୟରେ ବ୍ୟସ୍ତ ଏବଂ ଚଞ୍ଚଳ ଥାଏ, ସେହି ଆତ୍ମା ଜୀବିତ ଅଟେ । ତାହାର ଦିନକୁ ଦିନ ଉନ୍ନତି ହୁଏ; କିନ୍ତୁ ଯେଉଁ ଆତ୍ମା ନିଶ୍ଚେଷ୍ଟ ଏବଂ ଗତିବିହୀନ, ତାହା ମୃତ ଏବଂ ଅବନତ । ସେହିପରି ଯେଉଁ ମନୁଷ୍ୟଜାତି ବା ସମାଜ ଗତିଶୂନ୍ୟ ତାହା ମୃତ ଏବଂ ଲୋଷ୍ଟବତ୍‌ ନିଷ୍ପନ୍ଦ ଏବଂ ନିଶ୍ଚଳ । ଚଞ୍ଚଳତାଶୂନ୍ୟ ସମାଜ କଦାପି ଉନ୍ନତ ହୋଇ ନ ପାରେ । ଯେଉଁ ସମାଜ ଗତିବିଶିଷ୍ଟ ତାହା ନିତ୍ୟ ଉନ୍ନତିଶୀଳ, ତାହା ନିତ୍ୟ ନିତ୍ୟ ନବବର୍ଯ୍ୟରେ ବଳୀୟାନ୍‌ ହୋଇ ନୂତନ ଉତ୍କର୍ଷ ସାଧନରେ ସର୍ବଦା ବ୍ୟସ୍ତଥାଏ; ବରଂ ଉଦ୍ଦାମ, ଆବେଗ ଭଲ; ତଥାପି ସ୍ଥିରତା ଭଲ ନୁହେଁ । ମୃତକଳ୍ପ ଜାତିର ଗତିଶକ୍ତି ପୁନରୁଜ୍ଜୀବିତ ନ ହେଲେ, ସେହି ଜାତିର ପୁନରୁତ୍‌ଥାନ କଦାପି ସମ୍ଭବପର ହୋଇ ନ ପାରେ ।

Image

 

ବାରାଣସୀ

 

ସରିତକୁଳେଶ୍ୱରୀ ପୁଣ୍ୟମୟୀ ଗଙ୍ଗାତଟର୍ତ୍ତିନୀ ଭାରତର ସର୍ବଶ୍ରେଷ୍ଠ ତୀର୍ଥରୂପିଣୀ ଅତି ପ୍ରାଚୀନା ମହାନଗରୀ ବାରାଣସୀର ସନ୍ଦର୍ଶନାକାଙ୍‌କ୍ଷା ବାଲ୍ୟକାଳରୁ ମୋ ହୃଦୟ ମଧ୍ୟରେ ଜାଗ୍ରତ ଥିଲା । ସେହି ଚିରପୋଷିତ ବାଞ୍ଛାର ଭଗବତ୍‌ପ୍ରସାଦରୁ ଯେଉଁ ଦିନ ପୂର୍ଣ୍ଣ ହେଲା, ସେହି ଦିବସର ରହସ୍ୟମୟ ହୃଦୟାନନ୍ଦ ମୋହର ସ୍ମୃତିକୋଷା ଗୋଟିଏ ଅମୂଲ୍ୟ ସମ୍ପଦ । ରେଳମାର୍ଗଚାରୀ ବାଷ୍ପୀୟଯାନରେ ଆସୁ ଆସୁ ଜାହ୍ନବୀର ଶୁଭ ଗର୍ଭମଧ୍ୟରୁ ସମୁତ୍‌ଥିତା ସାୟାହ୍ନ ସୌରକିରଣସମ୍ପାତରେ ଈଷଦୁଦ୍ଭାସିତା ପ୍ରାସାଦମନ୍ଦିରକରୀଟିନୀ ବାରାଣସୀ ନଦୀର ଅପରପାରରୁ କୈଳାସଧାମବତ୍‌ ଦୃଷ୍ଟିପଥାରୂଢ଼ ହେଲାକ୍ଷଣି ଅନ୍ତରାତ୍ମା ଅପୂର୍ବ ପୁଲକ ଓ ବିସ୍ମୟରେ ଆନ୍ଦୋଳିତ ହେବାକୁ ଲାଗିଲା ।

 

ଆହୋ, କାଶୀକ୍ଷେତ୍ରର ଯୁଗ ଯୁଗାନ୍ତରବ୍ୟାପୀ କି ବିପୁଳ ପ୍ରଭାବ ! ଏହି ମହାନଗରୀର ଉତ୍ପତ୍ତିକାଳ ସମ୍ବନ୍ଧରେ ଇତିହାସ ନୀରବ । ଆଦିମ ବୈଦିକ ଯୁଗରୁ ଆଜିପର୍ଯ୍ୟନ୍ତ କାଶୀ ଭାରତର ସର୍ବଶ୍ରେଷ୍ଠ ଧର୍ମକ୍ଷେତ୍ରରୂପେ ବିରାଜିତ ରହିଅଛି । ଧର୍ମର ଅତୁଲ୍ୟ ମହିମାରେ ଚିରବିଭ୍ରାଜିତା ବାରାଣସୀ ମଧ୍ୟରେ ସଂଖ୍ୟା-ବେଦାନ୍ତାଦି ଷଡ୍‌ଦର୍ଶନରର ପୁଷ୍ଟି ଏବଂ ପ୍ରଚାର, ଏହିଠାରେ ବ୍ରାହ୍ମଣ୍ୟଧର୍ମର ଶାସ୍ତ୍ର ଓ କର୍ମକରଣ୍ଡାଦି ଅନୁଷ୍ଠାନର ଧାରାବାହିକ ବିକାଶ, ଏହିଠାରେ ମୃଗଦାବ କାନନରେ ବୌଦ୍ଧଦର୍ମର ଶାସ୍ତ୍ର ଓ କର୍ମକାଣ୍ଡାଦି ଅନୁଷ୍ଠାନର ଧାରାବାହିକ ବିକାଶ, ଏହିଠାରେ ମୃଗଦାବ କାନନରେ ବୌଦ୍ଧଧର୍ମର ପ୍ରଥମ ପ୍ରଚାର ଓ ପ୍ରତିଷ୍ଠା, ଏହି ସ୍ଥାନରୁ ବୁଦ୍ଧଦେବକର୍ତ୍ତୃକ ଅହିଂସା ମହାମନ୍ତ୍ରରେ ଦୀକ୍ଷିତ ବୋଧିସତ୍ୱମାନଙ୍କର ଧର୍ମପ୍ରଚାରାର୍ଥ ଦେଶଦେଶାନ୍ତରକୁ ପ୍ରଥମଯାତ୍ରା, ଏହିଠାରେ ଆବହମାନକାଳ ନାନା ଦିଗଦେଶରୁ ମୁମୂକ୍ଷୁ ଯାତ୍ରୀମାନଙ୍କର ସମାଗମ ଏବଂ ଏହିଠାରେ କାଶୀପ୍ରାପ୍ତି ବା ମୃତ୍ୟୁ ଲଭିବା ନିମିତ୍ତ ବ୍ୟାକୁଳ ସମଗ୍ର ଭାରତରୁ ସମାଗତ ନାନା ଜାତୀୟ ମନୁଷ୍ୟମାନଙ୍କର ଅନ୍ତିମ କାଳଯାପନ । ପ୍ରାଚୀନ ନିନେଭେ ଓ ବାବିଲନ୍‌, ପୁରାକାଳୀନ ଆଥେନ୍‌ସ ଓ ରୋମ୍‌, କାଳର ପୁରାତନ ମିଶର ଏମାନଙ୍କର ସଭ୍ୟତା ଓ ଧର୍ମ କାଳର ତମୋମୟ ଗର୍ଭମଧ୍ୟରେ କେଉଁଆଡ଼େ ବିଲୁପ୍ତ ହୋଇଗଲାଣି; କିନ୍ତୁ ପ୍ରାଚୀନ ଭାରତର ପ୍ରାଚୀନ ବାରାଣସୀ ଆଦ୍ୟାପି ସ୍ୱୀୟ ପୁରାଣ ମହିମାରେ ବିରାଜମାନ । ଅଦ୍ୟାପି ତାହା ହିନ୍ଦୁଜଗତ୍‌ର ହୃତ୍‌ପିଣ୍ଡରୂପେ, ବ୍ରାହ୍ୱଣ୍ୟ ଧର୍ମର ସନାତନ ରାଜଧାନୀରୂପେ ଏବଂ ଭାରତୀୟ ପାଣ୍ଡିତ୍ୟର ସୁଦୃଢ଼ ଦୁର୍ଗରୂପେ ପ୍ରତିଷ୍ଠତ ରହିଅଛି ।

 

କାଶୀରେ ଭୁବନେଶ୍ୱର ପରି ଅଭ୍ରଂକଷ ପ୍ରାଚୀନ ସୁବୃହତ୍‌ ଦେବମନ୍ଦିର ଏବେ ଆଉ ଦୃଷ୍ଟିଗୋଚର ହୁଅଇ ନାହିଁ; ସେ ସମସ୍ତ ମସଜିଦ୍‌ରେ ପରିଣତ କିମ୍ୱା ବିନଷ୍ଟ ହୋଇଅଛି । ତଥାପି ନୌକା ଆରୋହଣ କରି ଗଙ୍ଗାବକ୍ଷରୁ ପ୍ରଭାତକାଳୀନ ଶୁଭ୍ରାଲୋକ ବିଚ୍ଛୁରିତ ବାରାଣସୀର ଦୃଶ୍ୟ ଦେଖିଲେ ମନ କି ଏକ ଅପୂର୍ବ ପ୍ରଶାନ୍ତରସରେ ପ୍ଲାବିତ ହୁଏ । ସନାତନୀ ଗଙ୍ଗା ତାହାର ମୃଦୁଳ ଶୁଭ୍ର ତରଙ୍ଗମାଳା ବିସ୍ତାର କରି ସ୍ନିଗ୍‌ଧ ଗମ୍ଭୀର ଭାବରେ ପ୍ରଭାହିତ ହେଉଅଛି । ତାହାର ଗର୍ଭମଧ୍ୟରୁ କାଶୀଧାମ ମସ୍ତକ ଉତ୍ତୋଳନ କରି ଗୋଟିଏ ବିରାଟ ଶୁଭ୍ର ପାରିଜାତ ପରି ବିକଶିତ ରହିଅଛି । ଅନେକାନେକ ଦେବାଳୟ; ଅଟ୍ଟାଳିକା, ମର୍ମର ପ୍ରସ୍ତରଗଠିତ ପ୍ରାଚୀର, ସମୁଚ୍ଚ ପ୍ରଦେଶରୁ ନଦୀଗର୍ଭ ପର୍ଯ୍ୟନ୍ତ ପ୍ରସାରିତ ଶତ ଶତ ପ୍ରଶସ୍ତ ସୋପାନ ପରମ୍ପରା, ସ୍ନାନ-ପୂଜାଦି ପ୍ରାଭାତିକ ଧର୍ମାନୁଷ୍ଠାନ ବ୍ୟାପୃତ ସହସ୍ର ସହସ୍ର ନରନାରୀଙ୍କର ବିଚିତ୍ର ଲୀଳାତରଙ୍ଗ, ଭକ୍ତମାନଙ୍କର ସ୍ତୁତିବନ୍ଦନା ଧ୍ୱନି, ତଟୋପବିଷ୍ଟ ମୁଣ୍ଡିତ ମସ୍ତକ ନିଷ୍ଠାପର ବ୍ରାହ୍ମଣମାନଙ୍କର ତର୍ପଣ, ଶାସ୍ତ୍ରପାଠ ଏବଂ ନାନାପ୍ରକାର ମୁଦ୍ରାଭଙ୍ଗୀ ସହ ମନ୍ତ୍ରୋଚ୍ଚାରଣ ଏ ସମସ୍ତ ମଧ୍ୟରେ ଦର୍ଶକର ମନ କ୍ଷଣିକାଳ ନିମିତ୍ତ ନଶ୍ୱର ସଂସାରବିସ୍ମୃତ ହୋଇ କି ଗମ୍ଭିର ଭାବରେ ଅଭିଭୂତ ହୁଏ !

 

କାଶୀର ନଦୀତଟବର୍ତ୍ତୀ ପ୍ରଦେଶ ଦିବ୍ୟଶୋଭାନ୍ୱିତ ହେଲେହେଁ ନଗରର ଅଭ୍ୟନ୍ତର ତାହାର ଅନୁରୂପ ନୁହେଁ । ଅପ୍ରଶସ୍ତ ଆବର୍ଜନାପୂର୍ଣ୍ଣ ଗଳିମାନଙ୍କର ଉଭୟ ପାର୍ଶ୍ୱରେ ଚତୁସ୍ତଳ ପଞ୍ଚତଳ ଅଟ୍ଟାଳିକାମାନ ମସ୍ତକୋତ୍ତୋଳନ କରି ଆଲୋକ ଏବଂ ବାୟୁକୁ ପ୍ରତିରୋଧ କରୁଅଛି । ଗଳିଗୁଡିକ ଏପରି ସଂକୀର୍ଣ୍ଣ ଯେ ତହିଁ ମଧ୍ୟରେ ଯାନବାହନାଦିର ସଞ୍ଚାର ଏକାବେଳକେ ଅସମ୍ଭବ । ସେଥିମଧ୍ୟରେ ଯାନବାହନାଦିର ସଞ୍ଚାର ଏକାବେଳକେ ଅସମ୍ଭବ । ସେଥିମଧ୍ୟରେ ଜନତାର ପ୍ରବାହ ପିପିଲିକାଶ୍ରେଣୀ ପରି ଅବିରାମ ଭାବରେ ପ୍ରଭାହିତ । ଗୋଟିଏ ମାତ୍ର ପ୍ରଶସ୍ତ ରାଜପଥ ଦୃଷ୍ଟିଗୋଚରର ହେଲା । ତାହା ବକ୍ରଭେବରେ ନଗରର ଅଭ୍ୟନ୍ତରରେ ପ୍ରସାରିତ ରହିଅଛି ।

 

ଅତି ପ୍ରାଚୀନକାଳରୁ ଆଜି ପର୍ଯ୍ୟନ୍ତ କାଶୀ ହିନ୍ଦୁମାନଙ୍କର ଜ୍ଞାନାଲୋଚନା ଓ ଧର୍ମାଲୋଚନାର ସର୍ବପ୍ରଧାନ କେନ୍ଦ୍ରସ୍ଥଳରୂପେ ସମାଦୃତ ହୋଇ ଆସୁଅଛି । ହିମାଦ୍ରିଠାରୁ କୁମାରୀ ପର୍ଯ୍ୟନ୍ତ ଭାରତର ପ୍ରତ୍ୟେକ ପ୍ରଦେଶରୁ ଶତ ଶତ ବ୍ରାହ୍ମଣ ସମାଗତ ହୋଇ ଏଠାରେ ବିବିଧ ବିଦ୍ୟା ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ବାରାଣସୀର ପ୍ରସ୍ତରରଚିତ ନାନା ରହସ୍ୟମୟ ଯନ୍ତ୍ରରେ ପରିପୂର୍ଣ୍ଣ ପ୍ରାଚୀନ ମାନମନ୍ଦିର ପ୍ରାଚ୍ୟ ବିଜ୍ଞାନାନୁଶୀଳନର ମୂକସାକ୍ଷୀରୂପେ ଅଦ୍ୟାପି ବର୍ତ୍ତମାନ ।

 

ଏବେ ସୁଦ୍ଧା ବନାରସ ବା କାଶୀରେ ବିଦ୍ୟାଚଚ୍ଚାର ଏତେ ଆଦର ଯେ, କେହି କେହି କାଶୀକୁ ଭାରତର ଅକ୍‌ସଫୋର୍ଡ଼ ଏହି ଆଖ୍ୟା ପ୍ରଦାନ କରିଅଛନ୍ତି । ଶତ ଶତ ଦେଶୀୟ ପ୍ରାଚୀନ ପ୍ରଣାଳୀର ସଂସ୍କୃତ ପାଠଶାଳା ଛଡ଼ା ଏଠାରେ ଗୋଟିଏ ଗବର୍ଣ୍ଣମେଣ୍ଟ ପ୍ରତିଷ୍ଠିତ ବିଖ୍ୟାତ ସଂସ୍କୃତ କଲେଜ ବା ବିଶ୍ୱବିଦ୍ୟାଳୟ ଅଛି । ଏହି ବିଦ୍ୟାଳୟଟି ଅତି ସୁଦୃଶ୍ୟ । ଏହାର ଚୂଡ଼ା, ତୋରଣ, ସ୍ତମ୍ଭ, ଖିଲାଣ ପ୍ରଭୃତି ସମସ୍ତ ପ୍ରକୃଷ୍ଟ ଇଉରୋପୀୟ ପ୍ରଣାଳୀରେ ନିର୍ମିତ ହେଇଅଛି । ଏଠାରେ ସଂସ୍କୃତ ଦର୍ଶନ, ବିଜ୍ଞାନ, ଗଣିତ ଓ ସାହିତ୍ୟର ଅଧ୍ୟାପନା ଅତି ସୁଚାରୁରୂପେ ସମ୍ପାଦିତ ହେଉଅଛି । ସହସ୍ର ସହସ୍ର ଦେବମନ୍ଦିର ଏବଂ ଲକ୍ଷ ଲକ୍ଷ ଦେବମୂର୍ତ୍ତିରେ ବାରାଣସୀ ପରିପୂରିତ । ଏହା ହିନ୍ଦୁ ଦେବତାମାନଙ୍କର ମହାମିଳନକ୍ଷେତ୍ର ଅଟେ । ଏଠାରେ ଶିବ, ବିଷ୍ଣୁ, ଗଣେଶ, ଅନ୍ନପୂର୍ଣ୍ଣା, ପାର୍ବତୀ, ସୂର୍ଯ୍ୟ ପ୍ରଭୃତି ଦେବତାମାନଙ୍କର ଅନେକାନେକ ମନ୍ଦିର ଗଙ୍ଗାତୀରରେ ବିରାଜିତ; କିନ୍ତୁ ବିଶ୍ୱେଶ୍ୱର ବା ଶିବ ହିଁ ବାରାଣସୀର ଆଦ୍ୟା ଏବଂ ଅଧିଷ୍ଠାତ୍ରୀ ଦେବତା । ମନ୍ଦିର ଛଡ଼ା ଜ୍ଞାନବାପୀ, ମଣୀକର୍ଣ୍ଣିକା ପ୍ରଭୃତି ଅନେକଗୁଡ଼ିଏ ଜଳପୂର୍ଣ୍ଣ କୂପରେ ମଧ୍ୟ ଦେବତାମାନଙ୍କର ବାସ ନିର୍ଦ୍ଦିଷ୍ଟ ହୋଇଅଛି ।

 

ଏହି ପ୍ରାଚୀନ ତୀର୍ଥ ଆଦିମ କାଳରୁ ନାନା ଧର୍ମ ସମ୍ପ୍ରଦାୟର ନାନା ଧର୍ମମତ ଏବଂ ନାନା ଧର୍ମଶାସ୍ତ୍ରର ସଙ୍ଗମ କ୍ଷେତ୍ରରୂପେ ଏବଂ ଦାର୍ଶନିକ ମତବାଦିମାନଙ୍କର ସମନ୍ୱୟ ଭୂମି ରୂପେ ସମଗ୍ର ଆସିୟା ମହାଦେଶ ମଧ୍ୟରେ ଆପଣାର ସୁବିଶାଳ ପ୍ରଭାବ ବିସକ୍ତାର କରି ଆସୁଅଛି । ବୌଦ୍ଧଧର୍ମର ଆଦିସ୍ଥାନ ବୋଲି ଜାପାନ୍‌, ଚୀନ୍‌, ତିବ୍ଦତ, ପୂର୍ବୋପଦ୍ୱୀପ ଓ ସିଂହଳ ପ୍ରଭୃତି ଦୂର ଦେଶର ଅଧିବାସୀମାନେ ସୁଦ୍ଧା ଏହାକୁ ତୀର୍ଥ ବୋଲି ସମାଦାର କରନ୍ତି ।

Image

 

ବ୍ରହ୍ମାଣ୍ଡ କି ପ୍ରକାଣ୍ଡ !

 

ସାର୍ଦ୍ଧ-ତ୍ରିହସ୍ତ ମାତ୍ର ପରିମିତ କ୍ଷୁଦ୍ର ଧରଣୀବାସୀ ମନୁଷ୍ୟ, ଶରୀର ସମ୍ବନ୍ଧରେ ଇତର ଜୀବମାନଙ୍କ ପରି କ୍ଷୁଦ୍ର ହେଲେହେଁ ମନଃ ସମ୍ବନ୍ଧରେ କ୍ଷୁନ୍ଧ୍ର ନୁହେଁ । ତାହାର ବୁଦ୍ଧି ଓ ବିବେକ କ୍ଷୁଦ୍ର ସଂସାରର ସୀମା ଲଙ୍ଘନ କରି ଅନନ୍ତ ଏବଂ ଅସୀମର ଅଭିମୁଖରେ ନିରନ୍ତର ଅଗ୍ରସର ହେବା ନିମିତ୍ତ ଉନ୍ମଖୁ ରହିଅଛି । ଅସୀମକୁ ଧାରଣୟତ୍ତ କରିବା ଆମ୍ଭମାନଙ୍କ ପକ୍ଷରେ ଅସମ୍ଭବ ହେଲେହେଁ ତାହାକୁ ହିଁ ଅନ୍ୱେଷଣ କରିବା ଏବଂ ତାହାରି ଆଲୋଚନା କରିବା ଆମ୍ଭମାନଙ୍କର ସ୍ୱଭାବସିଦ୍ଧ ଧର୍ମ ଅଟେ । ତେଣୁ ପୃଥିବୀପୃଷ୍ଠରେ ଆବିର୍ଭୂତ ହେଲାଦିନୁ ମନୁଷ୍ୟ ଉର୍ଦ୍ଧ୍ୱଶୋଭୀ ତାରକାଖଚିତ ଅସୀମ ନୀଳାକାଶ ପ୍ରତି ଶିଷ୍ୟୋଚିତ ଜିଜ୍ଞାସୁନୟନର ଅବହିତ ଦୃଷ୍ଟି ନିକ୍ଷେପ କରିଆସୁଅଛି ଏବଂ ତତ୍ତ୍ୱାମୃତ ଲଭିବାପାଇଁ ବ୍ରହ୍ମାଣ୍ଡ ରୂପ ଅଗାଧ ସମୁଦ୍ର ମନ୍ଥନରେ ଆପଣାକୁ ବ୍ୟାପୃତ କରୁଅଛି ।

 

ବ୍ରହ୍ମାଣ୍ଡ - ଏହି ଶବ୍ଦ ଉଚ୍ଚାରଣ କଲାକ୍ଷଣି କି ଅନିର୍ବଚନୀୟ ଗାମ୍ଭୀର୍ଯ୍ୟ ଏବଂ ମହିମାର ଭାବ ହୃଦୟକୁ ଅଧିକାର କରେ। ଅନନ୍ତ ମହାକାଶ ମଧ୍ୟରେ ଅନନ୍ତ ମହାକାଳବ୍ୟାପୀ ଯେଉଁ ଅସଂଖ୍ୟ ଜଗତ୍‌ଯନ୍ତ୍ର ପରମ୍ପରା ନିୟମ-ଚକ୍ରରେ ନିତ୍ୟ ଆବର୍ତ୍ତମାନ ହେଉଅଛି, ତାହାର ମହୀରୟସୀ ସମଷ୍ଟିକୁ ବ୍ରହ୍ମାଣ୍ଡ ବୋଲାଯାଏ । କୋଟି କୋଟି ଜଗତ୍‌ ମାଳମାଳ ହୋଇ ବ୍ରହ୍ମାଣ୍ଡର ଗର୍ଭ ମଧ୍ୟରେ ବିରାଜିତ ରହିଅଛି । ଜ୍ୟୋତିଷ୍କଜଗତ୍‌ର ସମ୍ରାଟରୂପେ ଅସୀମ ଅତଳ ସ୍ପର୍ଶ ବ୍ରହ୍ମାଣ୍ଡୋଦର ମଧ୍ୟରେ ବିଚରଣ କରୁଅଛନ୍ତି, ତାହା କିଏ ଗଣନା କରିପାରିବ ? ଆମ୍ଭେମାନେ ତମୋମୟୀ ରଜନୀରେ ଯେଉଁ ନଭୋମଣ୍ଡଳ ଦର୍ଶନ କରି ତାହାର ମହିମାର ବିଷୟ ଚିନ୍ତା କଲାମାତ୍ରକେ ବିସ୍ମୟରେ ସ୍ତବ୍‌ଧ ହୋଇଯାଉଁ, ତାହା ଅନନ୍ତ ମହାକାଶର ଅତି କ୍ଷୁଦ୍ର ଅଂଶ ମାତ୍ର । ପୁଣି ସେହି କ୍ଷୁଦ୍ର ଅଂଶରେ ଯେଉଁ ନକ୍ଷତ୍ରବୃନ୍ଦ ଦୃଷ୍ଟଗୋଚର ହୁଏ, ତାହାହିଁ ଅଗଣ୍ୟ ବୋଲି ଆମ୍ଭମାନଙ୍କ ନିକଟରେ ପ୍ରତୀୟମାନ ହୁଏ । ପରିଦୃଶ୍ୟମାନ ଆକାଶର ଯେଉଁ କ୍ଷୁଦ୍ରାଦପିକ୍ଷୁଦ୍ର ଅଂଶକୁ ଛାୟାପଥ ବୋଲାଯାଏ, କେବଳ ସେହି ଛାୟାପଥ ମଧ୍ୟରେ ଆଧୁନିକ ଜ୍ୟୋତିଷୀମାନେ ଦୂରବୀକ୍ଷଣ ସାହାଯ୍ୟରେ ଦୁଇଶତ ଲକ୍ଷ ନକ୍ଷତ୍ର ଆବିଷ୍କାର କରିଅଛନ୍ତି । ଏହି ନକ୍ଷତ୍ରମାନେ ପ୍ରତ୍ୟକେ ଗୋଟିଏ ଗୋଟିଏ ସୂର୍ଯ୍ୟ ଏବଂ ପ୍ରତ୍ୟେକେ ଆମ୍ଭମାନଙ୍କ ସୌରଜଗତ୍‌ ସଦୃଶ ଗୋଟିଏ ଗୋଟିଏ ସୁବିଶାଳ ଜ୍ୟୋତିଷ୍କଜଗତ୍‌ର କେନ୍ଦ୍ର । ପୁଣି ଆକାଶର ଦୂରତର ପ୍ରଦେଶରେ ଏମନ୍ତ କୋଟି କୋଟି ମହାସୂର୍ଯ୍ୟରୂପୀ ନକ୍ଷତ୍ର ଅଛନ୍ତି, ଯେଉଁମାନେ ଦୂରବୀକ୍ଷଣ ଯନ୍ତ୍ରର ସଂପୂର୍ଣ୍ଣ ଅନଧିଗମ୍ୟ ଏବଂ ଯାହାଙ୍କର ଜ୍ୟୋତି ଲକ୍ଷ କୋଶ ଲେଖାଏଁ ଭ୍ରମଣ କରି ସୁଦ୍ଧା ଅଦ୍ୟାପି ଅବନୀମଣ୍ଡଳରେ ଉପନୀତ ହୋଇପାରିନାହିଁ । ଆମ୍ଭମାନଙ୍କର କଳ୍ପନା ଏତେଦୁର ଆସି ଏକାନ୍ତ ପରାସ୍ତ ଓ ପ୍ରତିହତ ହେଲା ।

 

ଗୋଟିଏ କ୍ଷୁଦ୍ର ସମୁଦ୍ରର ଭୀଷଣ, ବିରାଟ, ବିକଟ ଓ ଉଦାର ଦୃଶ୍ୟ ଦେଖି କବି ଅପାର ବିସ୍ମୟ-ବିହ୍ୱଳ ହୋଇ କହୁଅଛନ୍ତି–

 

‘ଚିତ୍ତବୃତ୍ତି ଗଲା ନିଜ ପଥ ହୁଡି,

ସତ୍ତା ଗଲା ସେହି ମହାଭାବେ ବୁଡି ।

ଖର ସୌରକରେ ତାରକା ଯେସନ,

ଅସ୍ମିତା ବିସ୍ମୟେ ହେଲା ନିଗମନ ।’

 

କିନ୍ତୁ ସମୁଦ୍ର ଆମ୍ଭମାନଙ୍କ ଅଧିଷ୍ଠାନଭୂତା । ପୃଥିବୀର ତୁଳନାରେ କି ସାମାନ୍ୟ ! ପୁଣି ଏହି ପୃଥିବୀ ଯେଉଁ ଶତ ଗ୍ରହୋପଗ୍ରହ ଧୂମକେତୁମୟ ସୌରଜଗତ୍‌ର ଅନ୍ତର୍ଗତ ଏବଂ ଯାହା ଆୟତନରେ ପୃଥିବୀର ଚତୁର୍ଦ୍ଦଶ ଲକ୍ଷ ଗୁଣ ଅଟେ, ତାହା ସଙ୍କରେ ତୁଳନା କଲେ ପୃଥିବୀ କି ଅକିଞ୍ଚିତକର ! ଏହିପରି ବା ଏତଦପ୍ରକ୍ଷା ବୃହତ୍ତର କୋଟି କୋଟି ସୌରଜଗତ୍ ଯେଉଁ ଅସଂଖ୍ୟ ଜୀବଲୋକମୟ ବ୍ରହ୍ମାଣ୍ଡର ଅନ୍ତର୍ଗତ, ତାହା କିଏ ଧାରଣା କରିପାରେ ? ଏଥିରୁ ବ୍ରହ୍ମାଣ୍ଡ କି ଅନୁଭବନୀୟ ପ୍ରକାଣ୍ଡ ବ୍ୟାପାର, ତାହା ସହଜରେ ଉପଲବ୍‌ଧ ହେବ ।

 

ଧନ୍ୟ ଧନ୍ୟ ମହିମାର୍ଣ୍ଣବ ବ୍ରହ୍ମାଣ୍ଡପତି ! ଅନନ୍ତ ଅଶେଷ ଅପାର ତୁମ୍ଭର ମହିମା !

Image